କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟର ତାଲିକାରେ ନାଁ ନରହିବା ନେଇ ପ୍ରବଳ ପ୍ରତିକ୍ରିଆ ପ୍ରକାଶ ପାଉଛି । ଏହାକୁ ନେଇ ହିଂସାକାଣ୍ଡ ଓ ଆକ୍ରମଣ ଭଳି ଘଟଣା ଦେଖିବାକୁ ମିଳୁଛି । ପ୍ରଶ୍ନ ଉଠୁଛି ଏଭଳି ପରିସ୍ଥିତି କାହିଁକି ସୃଷ୍ଟି ହେଲା । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭୋଟର ତାଲିକା ସଂଶୋଧନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଥିଲା କି ?
ଭୋଟର ତାଲିକାରେ ତ୍ରୁଟି । ମତଦାନ ବେଳେ ମାଳ ମାଳ ଅଭିଯୋଗ । ରାଜ୍ୟର ସମସ୍ତ ଜିଲ୍ଲାରୁ ଭୋଟର ତାଲିକାର ତ୍ରୁଟି ଅଭିଯୋଗ ଆସିଛି । ଜଣେ ଗୋଟିଏ ୱାର୍ଡର ବାସିନ୍ଦା କିନ୍ତୁ ତାଲିକାରେ ଅନ୍ୟ ୱାର୍ଡରେ ନାଁ ରହିଛି କିମ୍ବା ମୂଳରୁ ନାଁ ନାହିଁ । ଯାହାକି ଭୋଟର ତାଲିକାରେ ହୋଇଥିବା ସଂଶୋଧନ ପ୍ରକ୍ରିୟା ଉପରେ ପ୍ରଶବାଚୀ ସୃଷ୍ଟି କରିଛି ।
ରାୟଗଡା କଲ୍ୟାଣସିଂହପୁରରେ କିଛି ଡଙ୍ଗରିଆ କନ୍ଧଙ୍କର ଭୋଟର ତାଲିକାରେ ନାଁ ନଥିବାରୁ ଭୋଟ୍ ଦେଇପାରିନଥିଲେ । ଆଉ ଉତ୍ୟକ୍ତ ହୋଇ ଅସନ୍ତୁଷ୍ଟ ଡଙ୍ଗରିଆ ଭୋଟ୍ ବାକ୍ସ ନେଇ ଯାଇଥିଲେ । ସେହିପରି ନବରଙ୍ଗପୁର ବ୍ଲକ ଜୋନ-୨ର ଜିଲ୍ଲା ପରିଷଦ ସଭ୍ୟ ଭାବେ ବିଜେଡି ପକ୍ଷରୁ ମଞ୍ଜୁଳା ମାଝୀଙ୍କୁ ଦ୍ୱିତୀୟ ଥର ଟିକେଟ୍ ପ୍ରଦାନ କରାଯାଇଥିଲା । କିନ୍ତୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଗଲାବେଳେ ଭୋଟର ତାଲିକାରେ ତାଙ୍କ ନାଁ ନଥିବା ଜଣାପଡିଥିଲା । ଫଳରେ ତାଙ୍କୁ ନିରାଶ ହେବାକୁ ପଡିଥିଲା ।
ସେହିପରି କନ୍ଧମାଳ ଜିଲ୍ଲା ଡୁମୁଡିବନ୍ଧ ବ୍ଲକର କୁର୍ତମଗଡ ପଞ୍ଚାୟତରେ ୧୧୧ ଭୋଟରଙ୍କ ନାମ ଦୁଇଟି ସ୍ଥାନରେ ଥିବା ଅଭିଯୋଗ ଆସିଥିଲା । ଏପରି ଅବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ କରି ଅସନ୍ତୋଷ ପ୍ରକାଶ କରିଥିଲେ । ଆଉ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ ।
ତେବେ ସବୁଠୁ ବଡ଼ ପ୍ରଶ୍ନ ଉଠୁଛି, କେମିତି ବଦଳୁଛି ଭୋଟରଙ୍କ ଠିକଣା ? ଠିକଣା ପରିବର୍ତନ ପାଇଁ କାହାର ନିଆଯାଉଛି ଅନୁମତି ? ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କହିବା କଥା ତ୍ରୁଟି ଥିଲେ ସଂଶୋଧନ କରିବାକୁ ସମୟ ଦିଆଯାଇଥିଲା । କିନ୍ତୁ ତ୍ରୁଟି ସଂଶୋଧନ ନହେବାରୁ ଭୁଲ୍ ରହିଯାଇଥିବ । କିନ୍ତୁ ଗୋଟିଏ ପରିବାରର ଅଧା ଲୋକ ଗୋଟିଏ କେନ୍ଦ୍ରରେ ଭୋଟ୍ ଦେଉଛନ୍ତି କିନ୍ତୁ ଆଉ ଜଣଙ୍କ ନାଁ ଅନ୍ୟ ଏକ କେନ୍ଦ୍ରରେ ରହିଛି । ଏହା କିପରି ହେଲା ? ନେତାଙ୍କ ସୁବିଧା ପାଇଁ ଜାଣିଶୁଣି କରାଯାଉଛି କି ତ୍ରୁଟି ? ଠିକଣା ବଦଳିବା ପଛରେ ରହିଛି କି ରାଜନୈତିକ ଅଭିସନ୍ଧି? ଏହାର ଜବାବ କିଏ ରଖିବେ?
ପଞ୍ଚାୟତ ନିର୍ବାଚନରେ ଭୋଟର ତାଲିକାରେ ଦେଖାଦେଇଥିବା ଅବ୍ୟବସ୍ଥା ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ ବେଳେ ସଂଶୋଧନ କରିବାକୁ ନିର୍ବାଚନ ଆୟୋଗ ପଦକ୍ଷେପ ନେବେ କି ?