ଜିପରେ ସମ୍ବିତଙ୍କ ହାତରେ ଜଗନ୍ନାଥ । ଜୋତା ପିନ୍ଧି ଜଗାକୁ ଧରିବାକୁ ଗ୍ରହଣ କଲେନି ସେବାୟତ, କହିଲେ ଲାଭ ହେବା ବଦଳରେ କ୍ଷତି ହେବ ।

337

କନକ ବ୍ୟୁରୋ : ଜିପରେ ସମ୍ବିତ, ହାତରେ ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ । ଆଉ ପଛରେ ଫରଫର ହୋଇ ଉଡୁଥିଲା ବିଜେପିର ପତାକା । ଏଭଳି ଦୃଶ୍ୟ ଗତକାଲି ପୁରୀରେ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଯେତେବେଳେ ଗତକାଲି ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ସେତେବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ଧର୍ମ ସହ ରାଜନୀତିକୁ ଯୋଡି ଏବେ ବିବାଦ ଘେରକୁ ଠେଲି ହୋଇ ଆସିଛନ୍ତି ସମ୍ବିତ । ନିଜର ରାଜନୈତିକ ଫାଇଦା ପାଇଁ ସମ୍ବିତ ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହକୁ ଧରି ପ୍ରଚାର ମୈଦାନକୁ ଓହ୍ଲାଇବାକୁ ନାପସନ୍ଦ କରିଛନ୍ତି ସାଧାରଣ ଲୋକ । ସମ୍ବିତ ଧର୍ମ ନାଁରେ ଭୋଟ ହାତେଇବାକୁ ପ୍ରୟାସ କରୁଛନ୍ତି । ଏପରିକି ସମ୍ବିତଙ୍କ ଏଭଳି କାର୍ଯ୍ୟକଳାପ ଓଡିଶାରେ ଧର୍ମ ରାଜନୀତିକୁ ପ୍ରଶୟ ଦେଉଥିବା ଅଭିଯୋଗ ସାମ୍ନାକୁ ଆସିଛି ।

ଏନେଇ କଂଗ୍ରେସ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି । ସାରା ରାଜ୍ୟରେ ନିର୍ବାଚନୀ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ କେଉଁ ଆଧାରରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ହାତରେ ଧରି ନିର୍ବାଚନୀ ପ୍ରଚାର କଲେ ବିଜେପି ନେତା ସମ୍ବିତ ପାତ୍ର ବୋଲି ସିଇଓଙ୍କ ନିକଟରେ ଅଭିଯୋଗ କରିଛି କଂଗ୍ରେସ । ପୂର୍ବରୁ ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ନିର୍ବାଚନରେ କୌଣସି ରାଜନୈତିକ ଦଳର ପ୍ରାର୍ଥୀ ଠାକୁରଙ୍କ ମୂର୍ତ୍ତି କିମ୍ବା ଫଟୋ ଧରି ପ୍ରଚାର କରିପାରିବେ ନାହିଁ ବୋଲି ପ୍ରତିବନ୍ଧକ ଲଗାଇଛନ୍ତି । କିନ୍ତୁ ଏହାକୁ ଖୋଲାଖୋଲି ଉଲଂଘନ କରିଛନ୍ତି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ତେଣୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି କଂଗ୍ରେସ ।

ଏହାଛଡା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ସମ୍ବିତ ଏଭଳି କାର୍ଯ୍ୟକଳାପକୁ ନାପସନ୍ଦ କରିବା ସହ ଏହା ନିର୍ବାଚନର ନୀତି, ନିୟମ ଓ ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି । ସେହିଭଳି ନିକଟରେ ଭୋପାଳରେ ମଧ୍ୟ ଏଭଳି ରାମଙ୍କ ଫୋଟୋ ଧରି ପ୍ରଚାର କରିଥିବାରୁ ସମ୍ବିତ ପାତ୍ରଙ୍କ ନାଁରେ ୱାରେଣ୍ଟ ଆସିଛି ତେଣୁ ତୁରନ୍ତ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି କଂଗ୍ରେସ ବୋଲି କହିଛନ୍ତି ମୁଖପାତ୍ର ନିଶିକାନ୍ତ ପାତ୍ର ।

ସେହିଭଳି ବିଜେଡି ମଧ୍ୟ ସମ୍ବିତଙ୍କ ଏଭଳି ଧର୍ମୀୟ ରାଜନୀତିକୁ ନେଇ କଡା ସମାଲୋଚନା କରିଛି ।ଧର୍ମ ନାଁରେ ରାଜନୀତିକୁ ଓଡିଶାବାସୀ ଆଦୌ ଗ୍ରହଣ କରିବେ ନାହିଁ । ଭିନ୍ନତା ମଧ୍ୟରେ ଏକତା,ଭାଇଚାରାର ରାଜ୍ୟରେ ଧର୍ମର ଦ୍ୱାହି ଦେଇ ବିଜେପି ବିଭେଦ ସୃଷ୍ଟି କରିପାରିବ ନାହିଁ ବୋଲି କହିଛି ବିଜେଡି । ଏହାର ଜବାବ ୨୦୧୯ରେ ରାଜ୍ୟବାସୀ ନିଶ୍ଚୟ ଦେବେ ବୋଲି କହିଛି ବିଜେଡି ।

ଶ୍ରୀମନ୍ଦିରର ସେବାୟତମାନଙ୍କ ପକ୍ଷରୁ ମଧ୍ୟ ସମ୍ବିତଙ୍କ ଏଭଳି ରାଜନୀତିକୁ ନାପସନ୍ଦ କରାଯାଇଛି । ଜଗନ୍ନାଥ ଓଡିଶାବାସୀଙ୍କ ଆରାଧ୍ୟ ଠାକୁର, କୌଣସି ରାଜନୈତିକ ଦଳ ବ୍ୟକ୍ତିବିଶେଷଙ୍କର ଜଗନ୍ନାଥଙ୍କୁ ଧରି ପ୍ରଚାର କରିବାର ଅଧିକାର ନାହିଁ । ଏହା ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ ବୋଲି କହିଛନ୍ତି ରାମଚନ୍ଦ୍ର ଦାସ ମହାପାତ୍ର । ଏହାଛଡା ସମ୍ବିତ ଯେଉଁଭଳି ଜୋତା ଚପଲ ପିନ୍ଧି ଜଗନ୍ନାଥଙ୍କୁ ଧରି ପ୍ରଚାର କରୁଛନ୍ତି, ତାହା ଦ୍ୱାରା ତାଙ୍କର ଲାଭ ହେବା ବଦଳରେ ଅଧିକ କ୍ଷତି ହେବ । ତେଣୁ ଜଗନ୍ନାଥଙ୍କ ପ୍ରତି ଅବମାନନା ନ କରି ସମ୍ବିତ ନିଜର ନିର୍ବାଚନ ପ୍ରଚାର କରନ୍ତୁ ବୋଲି କହିଛନ୍ତି ରାମକୃଷ୍ଣ ଦାସ ମହାପାତ୍ର ।

ଏହାପୂର୍ବରୁ ଗତକାଲି ପୁରୀ ଗସ୍ତ ସମୟରେ ସମ୍ବିତ ହିନ୍ଦୁ ବୋଲି ନିଜକୁ ଗର୍ବିତ କରନ୍ତି କହିବା ସହ ଜଗନ୍ନାଥ ବିଗ୍ରହ ଧରି ପ୍ରଚାର କରିଥିଲେ । ଆଉ ସମ୍ବିତ ଜଗତର ନାଥ ଜଗନ୍ନାଥଙ୍କୁ ଯେଉଁଭଳି ଭାବେ ରାଜନୀତି ସହ ଯୋଡି ଧର୍ମ ନାଁରେ ଭୋଟ ହାତେଇବାକୁ ପ୍ରୟାସ ଚଳାଇଛନ୍ତି ତାହାକୁ ନେଇ ଏବେ ବିବାଦ ଛିଡା ହୋଇଛି ।