ଧର୍ମଶାଳା ଭାଙ୍ଗିଲା, ଏବେ ଧର୍ମଶାଳା କର । ବଗଲା ଧର୍ମଶାଳା ଜାଗାକୁ ଲଜ୍ ମାଲିକଙ୍କୁ ଦେବା ନେଇ ଉଠିଲା ବିବାଦ, ଗରିବ ଲୋକଙ୍କ ପାଇଁ ଧର୍ମଶାଳା କରିବାକୁ ଉଠିଲା ଦାବି ।

125

କନକ ବ୍ୟୁରୋ : ପୁରୀର ବଗଲା ଧର୍ମଶାଳାର ଜାଗାକୁ ଲଜ୍ ମାଲିକଙ୍କୁ ଦେବାକୁ ନେଇ ମୁଣ୍ଡ ଟେକିଛି ବିବାଦ । ଏହି ଜମିରେ ପୁଣି ଧର୍ମଶାଳା ତିଆରି ପାଇଁ ଦାବି ଜୋର ଧରିଛି । ଗରିବ ଭକ୍ତ ପାଇଁ ଥିବା ଏହି ଧର୍ମଶାଳାକୁ ୧୯୦୫ ମସିହାରେ ଜଣେ ବ୍ୟକ୍ତି ପୁରୀ ପ୍ରଶାସନକୁ ଦାନ ସୂତ୍ରରେ ଦେଇଥିଲେ । ଉଦ୍ଦେଶ୍ୟ ଥିଲା ଗରିବ ଲୋକ ରହିବା ପାଇଁ ଧର୍ମଶାଳା ହେବ । କିନ୍ତୁ ସେହି ଧର୍ମଶାଳା ଏବେ ଲଜ୍ ମାଲିକଙ୍କ ହାତକୁ ଯିବ । ସରକାର ପୁନଃ ଥଇଥାନ ଯୋଜନାରେ ଏହି ଜମିକୁ ୬ ଜଣ ଲଜ୍ ମାଲିକଙ୍କୁ ଦେଇ ଦେଇଛନ୍ତି ।

ଗରିବ ଭକ୍ତଙ୍କ ବଗଲା ଧର୍ମଶାଳା । ଯେଉଁଠି ଅତି ଶସ୍ତାରେ ରହିବାକୁ ଘର ମିଳୁଥିଲା । ଏବଂ ଅତି ଗରିବ ଲୋକ ବି ପୁରୀରେ ରହି ଠାକୁରଙ୍କ ଦର୍ଶନ କରିପାରୁଥିଲେ । ଅବଶ୍ୟ କୋଠା ଅତି ପୁରୁଣା ହୋଇଥିବାରୁ ୨ବର୍ଷ ତଳେ ଏହାକୁ ଭାଙ୍ଗି ଦିଆଯାଇଥିଲା । ବର୍ତମାନ ଏହି ଜାଗାକୁ ୬ଜଣ ଲଜ ମାଲିକଙ୍କୁ ପୁରୀ ପ୍ରଶାସନ ପୁନଃଥଇଥାନ ଯୋଜନାରେ ଏହାର ମାଲିକାନା ବିକ୍ରି କରିଦେଇଛି । ପ୍ରଶ୍ନ ଉଠୁଛି, ଗରିବଙ୍କ ପାଇଁ ଦାନ ସୁତ୍ରରେ ମିଳିଥିବା ଏହି ଜମିକୁ ଲଜ ମାଲିକଙ୍କୁ କେମିତି ଦେଲା ପ୍ରଶାସନ । ୧୯୦୫ ମସିହାରେ କହ୍ନେୟା ଲାଲ ବଗଲା ନାମକ ଜଣେ ବ୍ୟକ୍ତି ଏହାକୁ ମହାପ୍ରଭୁଙ୍କୁ ଦାନ କରିଥିଲେ । ଉଦ୍ଦେଶ୍ୟ ଥିଲା ଗରିବଙ୍କ ରହିବା ପାଇଁ ଧର୍ମଶାଳା ନିର୍ମାଣ କରିବା ଏବଂ ସେୟା ମଧ୍ୟ ହେଲା । ୨୦୧୮ ମସିହାରେ ଏହି ଧର୍ମଶାଳାର ନବୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପୁରୁଣା କୋଠା ଭାଙ୍ଗି କାମ ମଧ୍ୟ ଆରମ୍ଭ ହୋଇଥିଲା । ଏପରିକି କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଏଥିପାଇଁ ୧୮ କୋଟି ଟଙ୍କା ଅନୁଦାନ ମଧ୍ୟ ମିଳିଥିଲା । ଏହି କାମରେ ଖର୍ଚ୍ଚ ହୋଇସାରିଥିଲା ୨ କୋଟି ଟଙ୍କା । କିନ୍ତୁ ଆଉ କାମ ଆଗେଇଲା ନାହିଁ ।

କିନ୍ତୁ ପ୍ରଶ୍ନ ଉଠୁଛି, ଗରିବରୁ ଅତି ଗରିବ ଲୋକମାନେ ପୁରୀରେ ଆସି ରହିବାପାଇଁ କଣ ବ୍ୟବସ୍ଥା କରାଯାଉଛି । ଧନୀ ଲୋକଙ୍କ ପାଇଁ ବହୁସଂଖ୍ୟାରେ ହୋଟେଲ ଓ ଲଜ ରହିଛି । ତେଣୁ ବଗଲା ଧର୍ମଶାଳା ସ୍ଥାନରେ ସେହି ଗରିବ ଲୋକଙ୍କ ପାଇଁ ଆଉ ଏକ ଧର୍ମଶାଳା ତିଆରି ପାଇଁ ଦାବି ହେଉଛି ।