ସବୁଠୁ ଅଧିକ ନମ୍ବର ରଖିଲେ, ହେଲେ ସ୍ୱର୍ଣ୍ଣପଦକରୁ ହେବେ ବଞ୍ଚିତ । ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣପଦକ ଚୟନକୁ ନେଇ ଅଭିଯୋଗ ଉଠାଇଲେ ପରିସଂଖ୍ୟାନ ବିଭାଗ ଛାତ୍ରୀ ।

200

କନକ ବ୍ୟୁରୋ : ଆସନ୍ତା ୩ ତାରିଖରେ ହେବାକୁ ଯାଉଛି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ । ହେଲେ ଏହି ଉତ୍ସବ ପୂର୍ବରୁ ସ୍ୱର୍ଣ୍ଣପଦକ ଚୟନକୁ ନେଇ ପାତର ଅନ୍ତର ହୋଇଥିବା ଅଭିଯୋଗ ଆସିଛି । ପରିସଂଖ୍ୟାନ ବିଭାଗର ସ୍ନାତକୋତର ଛାତ୍ରୀ ତନୁଶ୍ରୀ ରାଉତ ଏହି ଅଭିଯୋଗ କରିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, କୁଳପତି, ଉଚ୍ଚଶିକ୍ଷା ସଚିବ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କୁ ଇମେଲ ଓ ଟ୍ୱିଟ୍ କରି ଜଣାଇଛନ୍ତି ତନୁଶ୍ରୀ । ଛାତ୍ରୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ।

ପରିସଂଖ୍ୟାନ ବିଭାଗର ପିଜି ଛାତ୍ରୀ ତନୁଶ୍ରୀ ରାଉତ । ତାଙ୍କର ଅଭିଯୋଗ ହେଉଛି, ପରୀକ୍ଷାରେ ସେ ବିଶ୍ୱବିଦ୍ୟାୟରେ ସବୁଠୁ ଅଧିକ ନମ୍ବର ରଖିଛନ୍ତି, ୮.୮୧ ସିଜିପିଏ ଗ୍ରେଡ ମିଳିଛି । ସିଜିପିଏ ହେଉଛି କମୁଲେଟିଭ୍ ଗ୍ରେଡ୍ ପଏଂଟସ୍ ଆଭରେଜ୍ । ହେଲେ ତାଙ୍କୁ ମିଳିବନି ସ୍ୱର୍ଣ୍ଣ ପଦକ, ତାଙ୍କଠାରୁ କମ ମାର୍କ ରଖିଥିବା ଏବଂ କମ୍ ଗ୍ରେଡରେ ଉତୀର୍ଣ୍ଣ ହୋଇଥିବା ଛାତ୍ରୀକୁ ମିଳିବ ସ୍ୱର୍ଣ୍ଣ ପଦକ ।
ଗୋଲ୍ଡ ମେଡାଲରୁ ବଂଚିତ ହେଉଥିବା ତନୁଶ୍ରୀ ରାଉତ ଏବଂ ଗୋଲ୍ଡ ମେଡାଲ୍ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରୀଙ୍କ ତୁଳନାତ୍ମକ ମାର୍କ ସିଟ୍ ।
ତନୁଶ୍ରୀଙ୍କ ମାର୍କ ସିଟ୍
୨୦୦୦ ମାର୍କରୁ ତନୁଶ୍ରୀ ରଖିଛନ୍ତି ୧୬୨୪
ସିଜିପିଏ ହେଉଛି ୮.୮୧
ସ୍ୱର୍ଣ୍ଣ ପଦକ ପାଉଥିବା ଛାତ୍ରୀଙ୍କ ମାର୍କ ସିଟ୍
୨୦୦୦ ମାର୍କରୁ ରଖିଛନ୍ତି ୧୬୧୫
ସିଜିପିଏ ହେଉଛି ୮.୫୬
ଅର୍ଥାତ ତନୁଶ୍ରୀ ରାଉତ, ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୯ ମାର୍କ ଅଧିକ ପାଇଛନ୍ତି, ତାଙ୍କର ସିଜିପିଏ ଗ୍ରେଡ୍ ମଧ୍ୟ ଅଧିକ ରହିଛି । ହେଲେ ପ୍ରଥମ ସେମିଷ୍ଟାରରେ ଗୋଟିଏ ବିଷୟରେ ତାଙ୍କର ୬୦ ପ୍ରତିଶତ ମାର୍କ ରହିନଥିବାରୁ ତାଙ୍କୁ ଗ୍ରେସ ମାର୍କ ଦିଆଯାଇଥିଲା । ଏହା ଆଧାରରେ ତାଙ୍କୁ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଗ୍ରେସ୍ ମାର୍କକୁ ଛାଡିଦେଲେ ବି ସମସ୍ତଙ୍କ ଠାରୁ ଅଧିକ ମାର୍କ ରଖିଥିବା କହିଛନ୍ତି ତନୁଶ୍ରୀ । ତେବେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ଯୁକ୍ତି ହେଉଛି, ତନୁଶ୍ରୀଙ୍କୁ ଗ୍ରେସ ମାର୍କ ମିଳିଥିବାରୁ ତାଙ୍କୁ ସ୍ୱର୍ଣ୍ଣ ପଦକ ଦିଆଯାଇପାରିବ ନାହିଁ । ୟୁଜିସିର ନିୟମ ଅନୁସାରେ ଦିଆଯାଉଛି ସ୍ୱର୍ଣ୍ଣ ପଦକ ।

ଆସନ୍ତୁ ନଜର ପକାଇବା ଗୋଲ୍ଡ ମେଡାଲ ଚୟନ ନେଇ କ’ଣ ରହିଛି ୟୁଜିସି ନିୟମ ।
କାହାକୁ ମିଳିବ ସ୍ୱର୍ଣ୍ଣ ପଦକ?
ସର୍ବନିମ୍ନ ଅବଧି ମଧ୍ୟରେ କୃତକାର୍ଯ୍ୟ ହୋଇଥିବେ
ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବେ
ଫାଷ୍ଟ ଡିଭିଜନ୍ ପାଇଥିବେ
ପ୍ରାଇଭେଟ୍ କିମ୍ବା ଡିଷ୍ଟାନ୍ସ ଏଜୁକେସନରେ ପଢୁଥିଲେ ମିଳିବନି ସ୍ୱର୍ଣ୍ଣ ପଦକ

ଯଦି ଗ୍ରେସ ନମ୍ବରକୁ କାଟି ଦେଲେ ବି ତନୁଶ୍ରୀ ଅଧିକ ନମ୍ବର ରଖୁଛନ୍ତି, ସେ ଗୋଲ୍ଡ ମେଡାଲ ପାଇବାକୁ ହକଦାର କି ନାହିଁ, ତାହା ହିଁ ଏବେ ସବୁଠୁ ବଡ଼ ପ୍ରଶ୍ନ । ୟୁଜିସି ନିୟମ କହୁଛି, ସ୍ୱର୍ଣ୍ଣ ପଦକ ପାଇବାକୁ ହେଲେ ଫାଷ୍ଟ ଡିଭିଜନ ପାଇବାକୁ ହେବ । ପ୍ରତ୍ୟେକ ବିଷୟରେ ୬୦ ପ୍ରତିଶତ ନମ୍ବର ନା ଏଗ୍ରିଗେଟରେ ୬୦ ନମ୍ବର, ତାହା ବିଶ୍ୱ ବିଦ୍ୟାଳୟ କର୍ତୃପକ୍ଷ ସ୍ପଷ୍ଟ କରିବା ଉଚିତ୍୍ ।