ସଲମାନଙ୍କ ଚେକକୁ ନେଇ ଜୋର ଧରିଲା ରାଜନୀତି । ହକି ଇଣ୍ଡିଆର ସ୍ପଷ୍ଟୀକରଣ ପରେ ମଧ୍ୟ ବଦଳିଲାନି ବିଜେପି ନେତ୍ରୀଙ୍କ ଆଭିମୁଖ୍ୟ, କହିଲେ, ଚକ୍ରାନ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ଓ ନରିନ୍ଦର ବାତ୍ରା

364

କନକ ବ୍ୟୁରୋ : ବାରବାଟୀରେ ସଲମାନ ଖାନଙ୍କ ସୋ’କୁ ନେଇ କଟକରେ ଯେତିକି ଉତ୍ସାହ ଦେଖିବାକୁ ମିଳିଥିଲା, ଏବେ ସେହି ସୋ’କୁ ନେଇ ତାଠୁ ଅଧିକ ରାଜନୀତି ହେବାରେ ଲାଗିଛି । ବିଶେଷ କରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସୋସିଆଲ ମିଡିଆରେ କରିଥିବା ଏକ ଟିପ୍ପଣୀ, ନୂଆ ବିବାଦ ସୃଷ୍ଟି କରିଛି । ଲେଖାଶ୍ରୀ ଅଭିଯୋଗ କରିଛନ୍ତି- ମୁଖ୍ୟମନ୍ତ୍ରୀ ନିଜର ପ୍ରଚାର ପାଇଁ ଗୋଟିଏ କୋଟି ୮୯ ଲକ୍ଷ ଟଙ୍କା ଉଡେଇ ଦେଇଛନ୍ତି । ଜବାବରେ ବିଜେଡି, ହକି ଇଣ୍ଡିଆର ଟ୍ୱିଟ୍ ଦେଖିବାକୁ ପରାମର୍ଶ ଦେବା ସହ ଏଭଳି ବିଭ୍ରାନ୍ତିକର ତଥ୍ୟ ପାଇଁ କ୍ଷମା ମାଗିବାକୁ ଦାବି କରିଛି ।

ବାରବାଟୀ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ସଲମାନଙ୍କ ସୋ’କୁ ବେଶ ଉତ୍ସାହର ସହ ସମସ୍ତେ ଚାହିଁ ରହିଥିଲେ । ହେଲେ ଭାଇଜାନଙ୍କ ଏହି ଉପସ୍ଥିତି, ଏକ ବିବାଦ ସୃଷ୍ଟି କରିବ ହୁଏତ, ସେତେବେଳେ କେହି ଚିନ୍ତା ବି କରିନଥିବେ । ସଲମାନଙ୍କ ନାଁରେ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଚେକ୍ ଏବେ ଏକ ନୁଆ ବିବାଦ ତିଆରି କରିଛି ।

ବ୍ୟାଙ୍କ୍ ଚେକ୍ ସହ ସଲମାନ ଖାନ୍ ଲେଖାଥିବା କିଛି ତଥ୍ୟ ରଖି ନିଜ ଟ୍ୱିଟର ପେଜରେ ପୋଷ୍ଟ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେ ଅଭିଯୋଗ କରି ଲେଖିଛନ୍ତି- ମୁଖ୍ୟମନ୍ତ୍ରୀ ନିଜ ପ୍ରଚାର ପାଇଁ ଲୋକଙ୍କ କଷ୍ଟ ଉପାର୍ଜିତ ଟଙ୍କାକୁ ସଲମାନଙ୍କୁ ଟେକି ଦେଇଛନ୍ତି । ଏପଟେ ହକି ଇଣ୍ଡିଆ ଇଣ୍ଡିଆ ଟ୍ୱିଟ୍ କରି ଲେଖିଛି-ହକି ଇଣ୍ଡିଆର ସ୍ପନସରମାନଙ୍କ ଆର୍ଥିକ ସହଯୋଗରେ ଭୁବନେଶ୍ୱର ଏବଂ କଟକରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ଓଡ଼ିଶା ସରକାରଙ୍କର କୌଣସି ଭୂମିକା ନାହିଁ କିମ୍ବା ଅର୍ଥ ଖର୍ଚ୍ଚ ହୋଇନାହିଁ ।

ହକି ଇଣ୍ଡିଆର ସ୍ପଷ୍ଟୀକରଣ ପରେ ବି ବଦଳି ନାହିଁ ବିଜେପି ନେତ୍ରୀଙ୍କ ଆଭିମୁଖ୍ୟ । ପାଲଟା ଅର୍ନ୍ତଜାତୀୟ ହକି ଫେଡେରେସନ୍ର ଅଧ୍ୟକ୍ଷ ନରିନ୍ଦର ବାତ୍ରା ଏବଂ ମୁଖ୍ୟମନ୍ତ୍ରୀଙ୍କ ମିଳିତ ଚକ୍ରାନ୍ତ ବୋଲି ଅଭିଯୋଗ କରିଛନ୍ତି । ଏପଟେ ବିଜେଡି, ଲେଖାଶ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି । ବଡ କଥା ହେଉଛି-ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ସଲମାନ ଖାନଙ୍କ ନାଁର ଏହି ଚେକର ବିଶ୍ୱସନୀୟତା କେତେ, ତାହା କହିବା ଯେତିକି କଷ୍ଟ, ହକି ଇଣ୍ଡିଆର ସ୍ପଷ୍ଟିକରଣ ପରେ ଏହାକୁ ନେଇ ସମାଲାଚନା କରିବା ହୁଏତ, ସେତିକି ମୁଲ୍ୟହୀନ ।