କନକ ବ୍ୟୁରୋ: ମନ୍ଦିର ଗର୍ଭଗୃହ ବାହାରେ ରାଷ୍ଟ୍ରପତିଙ୍କ ପୂଜା । ସୋସିଆଲ ମିଡିଆରେ ଆରମ୍ଭ ହେଲା ବିତର୍କ । ଦିଲ୍ଲୀର ହଜଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିରର ଗର୍ଭଗୃହ ଦ୍ୱାର ବାହାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ରଥଯାତ୍ରା ଦିନ ନିଜର ୬୫ତମ ଜନ୍ମଦିନ ପଡିଥିବାରୁ ରାଷ୍ଟ୍ରପତି ଦର୍ଶନ ପାଇଁ ମନ୍ଦିର ଯାଇଥିଲେ । ଫଟୋରେ ଦେଖିବାକୁ ମିଳିଛି ଏହି ସମୟରେ ମହାମହିମ ଗର୍ଭଗୃହ ଦ୍ୱାର ବାହାରେ ହାତଯୋଡି ଠିଆ ହୋଇଛନ୍ତି ଓ ଭିତରେ ପୂଜାରୀ ପୂଜା କରୁଛନ୍ତି । ଆଉ ଏହାକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି ୟୁଜର୍ସ । ତେବେ ମନ୍ଦିରର ପୂଜକ କହିଛନ୍ତି , ମନ୍ଦିରର କିଛି ପ୍ରୋଟକଲ ରହିଛି । ରାଷ୍ଟପତି ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଆସିଥିଲେ । ଏହି କାରଣରୁ ସେ ଗର୍ଭହୃହ ଭିତରକୁ ଯାଇନଥିଲେ ।

Advertisment

କିଛି ଲୋକ ଦାବି କରିଛନ୍ତି, ରାଷ୍ଟ୍ରପତିଙ୍କୁ ଗର୍ଭଗୃହ ଭିତରକୁ ଯିବାକୁ ଦିଆଯାଇନାହିଁ । ଆଉ ତାଙ୍କୁ ବାହାରୁ ହିଁ ପୂଜା କରିବାକୁ ପଡିଥିଲା । ଆଦିବାସୀ ହୋଇଥିବାରୁ ତାଙ୍କୁ ଭିତରକୁ ପ୍ରବେଶ କରିବାକୁ ଦିଆଗଲା ନାହିଁ ବୋଲି ଅନେକ ୟୁଜର୍ସ ଦାବି କରିଛନ୍ତି । ସେପେଟ ଏ ନେଇ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଦେଖାଯାଇଛି ଦୁଇ ମନ୍ତ୍ରୀ ଗର୍ଭଗୃହ ଭିତରକୁ ଯାଇ ପୂଜାର୍ଚ୍ଚନା କରୁଛନ୍ତି । ଲୋକ ରାଷ୍ଟ୍ରପତିଙ୍କୁ ଭେଦଭାବର ଶିକାର ହେବାକୁ ପଡିଛି ବୋଲି ଅଭିଯୋଗ କରିଛନ୍ତି । ସାମ୍ବାଦିକ ଦିଲ୍ଲୀପ ମଣ୍ଡଳ ଏ ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ମହାରାଷ୍ଟ୍ରର ବିରୋଧୀ ମେଂଟ ଏମଭିଏ ମଧ୍ୟ ଏ ନେଇ ପ୍ରଶ୍ନ ଉଠାଇିଛି । ତେବେ ପୂଜକ କହିଛନ୍ତି, ଯାହାକୁ ବରଣ କରାଯିବ ସେ ହିଁ ଭିତରକୁ ଆସି ପୂଜା ଓ ପ୍ରାର୍ଥନା କରିପାରିବ ।

ସେହିଭଳି ଅନେକ ଟ୍ୱିଟ ବ୍ୟବହାରକାରୀ ମତ ଦେଇଛନ୍ତି, ଏନେଇ ଅଯଥା ବିବାଦ ସୃଷ୍ଟି କରାଯାଉଛି । ରାଷ୍ଟ୍ରପତିଙ୍କୁ ନେଇ ବିଭ୍ରାନ୍ତକାରୀ ଖବର ବନ୍ଦ ହେବା ଉଚିତ ବୋଲି ଅନେକ ମତ ଦେଇଛନ୍ତି ।