ରାମଦେବଙ୍କ କରୋନିଲକୁ ନେଇ ପୁଣି କେଁ । ସ୍ପଷ୍ଟୀକରଣ ଲୋଡିଲା ଭେଷଜ ସଂଘ ।

107

କନକ ବ୍ୟୁରୋ : ଯୋଗଗୁରୁ ରାମଦେବଙ୍କ ପତଞ୍ଜଳି ସଂସ୍ଥା ଦ୍ୱାରା ପ୍ରସ୍ତୁତ କୋଭିଡ୍‌ ଉପଯୋଗୀ ଔଷଧ ‘କରୋନିଲ୍‌’ ପୁଣି ଥରେ ବିବାଦରେ ଫସିଛି। ଗତ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ୍‌ ଗଡ଼କରୀଙ୍କ ଉପସ୍ଥିତିରେ ରାମଦେବ ଉକ୍ତ ଔଷଧର ଲୋକାର୍ପଣ କରିଥିଲେ। ଏହା ଆୟୁଷ ମନ୍ତ୍ରଣାଳୟର ଭେଷଜ ଉତ୍ପାଦ ପ୍ରମାଣପତ୍ରପ୍ରାପ୍ତ(ସିଓପିପି) ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ଉତ୍ତମ ପ୍ରସ୍ତୁତ ପ୍ରଣାଳୀ ପ୍ରମାଣପତ୍ରପ୍ରାପ୍ତ(ଜିଏମପି) ଔଷଧ ବୋଲି ରାମଦେବ ଘୋଷଣା କରିଥିଲେ।

ତେବେ ରାମଦେବଙ୍କ ଏଭଳି ଘୋଷଣା ସମ୍ପୂର୍ଣ୍ଣ ମିଛ ଏବଂ ଏଥିପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଭାରତୀୟ ଭେଷଜ ସଂଘ(ଆଇଏମଏ) ଦାବି କରିଛି। ଦେଶର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମ୍ମୁଖରେ କିପରି ନିର୍ଦ୍ଧାରିତ ପରୀକ୍ଷାନିରୀକ୍ଷା ବିହୀନ ତଥା ବିଜ୍ଞାନସମ୍ମତ ତଥ୍ୟବିହୀନ ଔଷଧର ଏପରି ପ୍ରଚାର କରାଗଲା ବୋଲି ଆଇଏମଏ ପ୍ରଶ୍ନ କରିଛି। ସମଗ୍ର ଦେଶ ଏ ବାବଦରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଠାରୁ କୈଫିୟତ ଚାହୁଁଛି ଏବଂ ଭାରତୀୟ ଭେଷଜ ପରିଷଦର ଆଚାର ସଂହିତାକୁ ଅସମ୍ମାନ କରିଥିବା ବାବା ରାମଦେବଙ୍କ ଠାରୁ ମଧ୍ୟ କୈଫିୟତ ମାଗିବା ଲାଗି ସଂଘ ଜାତୀୟ ଭେଷଜ ପରିଷଦକୁ ଚିଠି ଲେଖିବ ବୋଲି କହିଛି।