କନକ ବ୍ୟୁରୋ : ନିଲମ୍ବିତ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ନୁପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ଝଡ ଉଠିଛି । ଉପସାଗରୀୟ ଦେଶରେ ଏହାକୁ ନେଇ ଅସନ୍ତୋଷ ବି ବଢୁଛି । ଆଜି ସାଉଦି ଆରବ, ଇଣ୍ଡୋନେସିଆ ଓ ମାଲଦୀପ୍ ଭଳି ଦେଶ ଏହି ନିଲମ୍ବିତ ବିଜେପି ପ୍ରବକ୍ତାଙ୍କ ମନ୍ତବ୍ୟକୁ ନେଇ ଭାରତ ସରକାରଙ୍କୁ ଆପତି ଜଣାଇଛନ୍ତି । ସେପଟେ ମୁମ୍ବାଇ ପୋଲିସ ତାଙ୍କୁ ସମନ କରିଛି ।

Advertisment

ନୁପୁର ଶର୍ମା ଏକ ଟିଭି ଚ୍ୟାନେଲର ବିତର୍କରେ ସାମିଲ ହୋଇ ମୁସଲିମ ଧର୍ମଗୁରୁଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଅଡୁଆ ବଢିଛି । ଗୋଟିଏ ପଟେ ମୁମ୍ବାଇ ପୁଲିସ ନୁପୁରଙ୍କୁ ସମନ କରି ହାଜର ହୋଇ ପକ୍ଷ ରଖିବାକୁ କହିଛି । ଅନ୍ୟପଟେ କାଶ୍ମୀରର ଏକ ଆତଙ୍କବାଦୀ ସଂଗଠନ ନୁପୁରଙ୍କୁ ନିଜର ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ କହିଛି । ନହେଲେ ହତ୍ୟାର ଧମକ ଦେଇଛି । ଏପରି ହତ୍ୟା ଧମକ ପରେ ଦିଲ୍ଲୀ ପୋଲିସ ନୁପୁରଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦେଇଛି । ଆଉ ବିରୋଧୀ ମଧ୍ୟ ନୁପୁରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ବିବାଦ ବଢିବା ପରେ କୁଏତର ଏକ ସୁପର ମାର୍କେଟରେ ଭାରତୀୟ ଉତ୍ପାଦକୁ ହଟାଇ ଦିଆଯାଇଥିବା ଜଣାପଡିଛି । ବାହାରିନ, ସାଉଦି ଆରବ, କତାର, କୁଏତ, ଓମାନ ଏବଂ ୟୁଏଇ ଏହାକୁ ନେଇ ପ୍ରତିବାଦ ଜଣାଇଛନ୍ତି । ଓଆଇସି ଏ ନେଇ ଭାରତକୁ କ୍ଷମା ମାଗିବାକୁ ଦାବି କରିଛି । ହେଲେ ଯେଉଁ ମନ୍ତବ୍ୟ ଆସିଛି ତାହା ଜଣେ ବ୍ୟକ୍ତିଙ୍କର, ଭାରତର ନୁହେଁ ବୋଲି ବୈଦେଶିକ ମନ୍ତ୍ରାଳୟ କହିଛି । ଓଆଇସିର ବୟାନ ଅପ୍ରାସଙ୍ଗିକ ବୋଲି ଭାରତ କହିଛି । ଓଆଇସି ଯେଉଁ ବୟାନ ରଖିଛି ତାହା ଉତେଜନା ସୃଷ୍ଟିକାରୀ, ବିଭ୍ରାନ୍ତିକର ଓ କ୍ଷତିକାରକ । ଭାରତ ସରକାର ସବୁ ଧର୍ମକୁ ସର୍ବୋଚ୍ଚ ସମ୍ମାନ ଦିଅନ୍ତି ।

ଇସଲାମିକ ଦେଶ ଉପରେ ତେଲ ପାଇଁ ଭାରତ ନିର୍ଭର କରେ । ବୈଦେଶିକ ମନ୍ତ୍ରାଳୟ ନିଜର ଆଭିମ୍ରୁଖ୍ୟ ରଖିସାରିଥିଲେ ମଧ୍ୟ ଇସଲାମିକ ଦେଶର ଚାପ ବଢି ଚାଲିଛି ।