ମତଦାନ ବେଳେ ମୋଦୀଙ୍କ ରୋଡ୍ ଶୋ’କୁ ନେଇ ବିବାଦ: ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ଅଭିଯୋଗ ଆଣିଲା କଂଗ୍ରେସ

192

କନକ ବ୍ୟୁରୋ: ଗୁଜରାଟରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ମତ ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଭୋଟ୍ ଦେବାକୁ ନେଇ ଦେଖାଦେଇଛି ବିବାଦ । ଭୋଟ୍ ଦେବା ପୂର୍ବରୁ ଓ ପରେ ମୋଦୀଙ୍କୁ ଦେଖିବା ପାଇଁ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା । ଆଉ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନିଜକୁ ରୋକିପାରିନଥିଲେ । ଚାଲିଚାଲି ଲୋକଙ୍କ ଅଭିବାଦନ ସ୍ୱୀକାର କରିଥିଲେ । ତେବେ ମତଦାନ ବେଳେ ମୋଦୀ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି । ଏମିତିକି ବିରୋଧୀ ମଧ୍ୟ ମୋଦୀଙ୍କୁ ଟାର୍ଗେଟ୍ କରିବାକୁ ପଛାଇ ନାହାନ୍ତି ।

ଭୋଟ୍ ଦେବା ସମୟରେ ପିଏମ୍ ମୋଦୀ ପ୍ରାୟ ୨ଘଂଟା ଧରି ରୋଡ୍ କରିଥିବା ନେଇ କଂଗ୍ରେସ ଯେଉଁ ଅଭିଯୋଗ ଆଣିଛି, ତା’ଉପରେ ନିର୍ବାଚନ କମିଶନ କି ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସେହିପରି କଂଗ୍ରେସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛି କଂଗ୍ରେସ । କଂଗ୍ରେସ ଅଭିଯୋଗ ଆଣିଛି ଯେ, ଗୃହମନ୍ତ୍ରୀ ଗୁଜରାଟର ଜଣେ ସାଂସଦଙ୍କ ସହ ପ୍ରଚାର କରୁଥିଲେ ଏବଂ ସେହି ସମୟରେ ବିଜେପିର ନାରା ଲାଗିଥିଲା । ସେପଟେ କଂଗ୍ରେସ ନିର୍ବାଚନ କମିଶନ ଉପରେ ମଧ୍ୟ ବର୍ଷିଛି । କହିଛି, ନିର୍ବାଚନ କମିଶନ ଆମ ଅଭିଯୋଗକୁ ଆଦୌ କର୍ଣ୍ଣପାତ କରୁନାହିଁ । ବିଜେପି ଗୁଜରାଟରେ ମଦ ବାଂଟୁଛି । କିନ୍ତୁ ନିର୍ବାଚନ କମିଶନ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଦୁର୍ଭାଗ୍ୟଜନକ ।

କ’ଣ ରହିଛି ନିର୍ବାଚନ କମିଶନଙ୍କ ନିୟମ?
– ମତଦାନର ୪୮ ଘଂଟା ପୂର୍ବରୁ ପ୍ରଚାର ବନ୍ଦ
– ଭୋଟରଙ୍କୁ ପ୍ରଭାବିତ କରିପାରିବେ ନାହିଁ ପ୍ରାର୍ଥୀ
– ମତଦାନ ସ୍ଥାନରେ ଶୋଭାଯାତ୍ରା ଉପରେ କଟକଣା
– ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ମତଦାନ ସମୟରେ ମୋଦୀଙ୍କ ରୋଡ୍ ଶୋ’ କରିବା ଏବଂ ଲୋକଙ୍କ ଅଭିବାଦନ ସ୍ୱୀକାର କରିବାକୁ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।