କନକ ବ୍ୟୁରୋ: ନୂଆବର୍ଷରେ ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ ହେବ । ଆଉ ଏହାକୁ ନେଇ ବିଜେଡି ବିଜେପି ବୟାନବାଜି ଆରମ୍ଭ ହୋଇଛି । ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ରେଳ ପ୍ରକଳ୍ପକୁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ନିର୍ମାଣ କରିବାକୁ ନିଷ୍ପତି ନେବା ପରେ, ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିମାନବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ଉପରେ ଉପରେ ମେଟ୍ରୋ ନେବାକୁ ରାଜ୍ୟ ସରକାର କେତେ ସଫଳ ହେଉଛନ୍ତି, ସେ ନେଇ ସନ୍ଦେହ ପ୍ରକାଶ କରିଛି ବିଜେପି । ତେବେ ବିଜେପିର ଅଭିଯୋଗ ପରେ, ଶାସକ ଦଳ ପ୍ରତିକ୍ରିୟା ରଖିଛି । ବିଜେଡି ବିଧାୟକ ଶଶି ଭୂଷଣ ବେହେରା କହିଛନ୍ତି, ନବୀନ ବାବୁଙ୍କ ହାତରେ କୁହୁକ ଅଛି । ସେ ଯେଉଁ କାମ ହାତକୁ ନିଅନ୍ତି, ତାକୁ ସବୁଠି ପ୍ରଶଂସା ମିଳେ ।

Kanak News is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ସରକାର ନିଜ ଖର୍ଚ୍ଚରେ ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣ କରିବାକୁ ନିଷ୍ପତି ନେବା ପରେ, ଆରମ୍ଭ ହୋଇଯାଇଛି ବୟାନବାଜି । ପ୍ରକଳ୍ପର ସଫଳତାକୁ ନେଇ ପ୍ରଶ୍ନ ଉଠାଇବା ସହ ସମାଲୋଚନା କରିଛନ୍ତି ବିଜେପି ନେତା । ବିଜେପି ଉପସଭାପତି ବିରଂଚି ତ୍ରିପାଠୀ କହିଛନ୍ତି, ରାଜ୍ୟ ସରକାର ଯେତେବେଳେ ନିର୍ବାଚନ ଆସେ, ସେ ସମୟରେ ଅନେକ ଘୋଷଣା କରନ୍ତି । ପୁରୀରୁ କଟକ ପର୍ଯ୍ୟନ୍ତ ବନ୍ଦେ ମେଟ୍ରୋ ଟ୍ରେନ୍ ଯୋଜନା କାର୍ଯ୍ୟକାରୀ ପାଇଁ ରେଳମନ୍ତ୍ରୀ ଘୋଷଣା କରିବା ପରେ, ରାଜ୍ୟ ସରକାର ତରବରିଆ ଭାବେ ଏହା କରୁଛନ୍ତି । ଏଥିସହ ପ୍ରକଳ୍ପର ସଫଳତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିରଂଚି । ଜବାବରେ ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ନବୀନ ବାବୁଙ୍କ ହାତରେ କୁହୁକ ଅଛି । ସେ ଯେଉଁ କାମ ହାତକୁ ନିଅନ୍ତି, ତାକୁ ସବୁଠି ପ୍ରଶଂସା ମିଳେ । ୨୩ବର୍ଷ ଧରି ଗ୍ରାମାଂଚଳରୁ ଆରମ୍ଭ କରି ସହର ଯାଏ ବିକାଶ ହୋଇ ଆସୁଛି । ହେଲେ, ବିକାଶର ଜୟଯାତ୍ରାକୁ ବିରୋଧୀ ସହ୍ୟ କରି ପାରୁ ନାହାନ୍ତି ।
ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ ତ୍ରିଶୁଳିଆ ଛକରୁ ଭୁବନେଶ୍ୱର ବିମାନ ବନ୍ଦର ପର୍ଯ୍ୟନ୍ତ ନିର୍ମାଣ ହେବ । ଏଥିପାଇଁ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତେବେ ପ୍ରଥମ ପର୍ଯ୍ୟାୟ ସ୍ଥିତି କେମିତି ରହିଛି, ଶନିବାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାର ସମୀକ୍ଷା କରିଛନ୍ତିି । ପ୍ରକଳ୍ପ ପାଇଁ ୫୯୨୯ କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବା ଡିପିଆରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ଏଥିପାଇଁ ଅତିରିକ୍ତ ବଜେଟରେ ୨୧୦କୋଟି ଟଙ୍କାର ବରାଦ ହୋଇଛି । ୪ବର୍ଷ ଭିତରେ ଅର୍ଥାତ ୨୦୨୮ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେଣୁ ସମସ୍ତ ବିଭାଗ ସମନ୍ୱୟ ରଖି କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।