ମନୋଜ ଦାସଙ୍କ ଫଟୋ ଚିତ୍ରକୁ ନେଇ ତେଜିଲା ବିବାଦ? ସୋସିଆଲ ମିଡ଼ିଆରେ ସମାଲୋଚନା, ସ୍ପଷ୍ଟୀକରଣ ଦେଲା ସମ୍ପାଦନାମଣ୍ଡଳୀ ।

156

କନକ ବ୍ୟୁରୋ : ଶିଶୁଲେଖାରେ ପ୍ରକାଶିତ ବିଶିଷ୍ଟ ସାହିତ୍ୟକ ସ୍ୱର୍ଗତ ମନୋଜ ଦାସଙ୍କ ଫଟୋକୁ ନେଇ ବିବାଦ ଦେଖା ଦେଇଛି । ଫଟୋ ବିକୃତ କରି ଚିତ୍ରଣ କରାଯାଇଥିବା ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି । ତେବେ ଫଟୋ ଚିତ୍ରକୁ ବିକୃତ କରାଯାଇନଥିବା ସ୍ପଷ୍ଟିକରଣ ରଖିଛନ୍ତି, ସମ୍ପାଦନାମଣ୍ଡଳୀ ଓ ଚିତ୍ରଶିଳ୍ପୀ  ।

ରାଜ୍ୟ ସରକାରଙ୍କ ଦ୍ବାରା ପ୍ରକାଶିତ ଶିଶୁ ପତ୍ରିକା ଶିଶୁ ଲେଖାର ମନୋଜ ବିଶେଷାଙ୍କର ଏକ ଫଟୋ ଚିତ୍ରକୁ ନେଇ ତେଜୁଛି ବିବାଦ ।  ସାହିତ୍ୟିକ ମନୋଜ ଦାସଙ୍କ ଏହି ଫଟୋକୁ ନେଇ ଏବେ ସାହିତ୍ୟ ମହଲ ଉଠୁଛି ପଡୁଛି ।  ପତ୍ରିକାର ମନୋଜଙ୍କ ମହତବାଣୀରେ ପ୍ରକାଶ ପାଇଛି ଏହି ଫଟୋ ।  ଏହି ଫଟୋ ଚିତ୍ରକୁ ଏଡିଟ କରି ମନୋଜ ଦାସଙ୍କୁ ବିକୃତ କରାଯାଇଛି ବୋଲି ଅଭିଯୋଗ ହୋଇଛି ।  ପତ୍ରିକାର ସଂପାଦନା ଦାୟିତ୍ୱ ତୁଲାଇଥିବା ସାହିତ୍ୟିକ ଦାସ ବେନହୁର  ଓ ଶିଳ୍ପୀ ଚିନ୍ତାମଣିଙ୍କୁ  ସୋସିଆଲ ମିଡିଆରେ ସମାଲୋଚନା କରିଛନ୍ତି ପ୍ରବନ୍ଧକ ସମୀର ଦାସ ।  ଫଟୋ ଚିତ୍ରର ସତ୍ୟତା ପ୍ରମାଣ ପାଇଁ ଫରେନସିକ ଲ୍ୟାବ ପଠାଇବେ ଏହି ଫଟୋ ।

ଅନ୍ୟପଟେ ଏଭଳି ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ସଂପାଦନା ମଣ୍ଡଳୀ । ମନୋଜ ଦାସଙ୍କୁ ବିକୃତ କରି ଦେଖାଇବା ଉଦ୍ଦେଶ୍ୟ ନଥିଲା । ଚିତ୍ରଶିଳ୍ପୀ ତାଙ୍କ ଭାବନାରୁ ଏଭଳି ଚିତ୍ର କରିଥିବା କହିଛନ୍ତି ଦାସ ବେନହୁର । କୌଣସି ଚକ୍ରାନ୍ତ ଗୋଷ୍ଠୀ ଏଭଳି କରିଥିବା ସେ ଆଶଙ୍କା କରିଛନ୍ତି । ଚିତ୍ରଶିଳ୍ପୀ ବି ଏହି ପ୍ରସଙ୍ଗରେ ମୁହଁ ଖୋଲି ଅଭିଯୋଗକାରିଙ୍କୁ ଓଲଟା ଜବାବ ଦେଇଛନ୍ତି । ଶିଶୁ ମାନଙ୍କ ଦ୍ବାରା ଆଦୃତ ହେଲା ଭଳି ଚିତ୍ର କରାଯାଇଥିବା ସେ ଯୁକ୍ତି ବାଢିଛନ୍ତି । ପତ୍ରିକାକୁ ନେଇ ସମସ୍ୟା ଥିଲେ ସୋସିଆଲ ମିଡିଆରେ ନୁହଁ ବରଂ ସରକାରଙ୍କ ପାଖରେ ଅଭିଯୋଗ କରିପାର ବୋଲି ପରାମର୍ଶ ଦେଇଛି ଶିଶୁ ଲେଖାର ସଂପାଦନାମଣ୍ଡଳୀ ।