କନକ ବ୍ୟୁରୋ: ମମିତା ମେହେର ହତ୍ୟା ମାମଲାରେ ଗୋବିନ୍ଦ ସାହୁ ଗିରଫ ହେବାପରେ, ବିବାଦକୁ ଚାଲି ଆସିଛି ମହାଲିଙ୍ଗ କଲେଜ । କାରଣ ଏହି କଲେଜର କେବଳ ପରିଚାଳନା କମିଟି ସଭାପତି ନଥିଲେ ବରଂ ସର୍ବେସର୍ବା ଥିଲେ ଗୋବିନ୍ଦ ସାହୁ । ୨୦୧୩ ମସିହାରେ ଏହି କଲେଜ ପ୍ରଶ୍ନପତ୍ର ଲିକ ମାମଲାରେ ବିବାଦକୁ ଆସିଥିଲା । ମହାଲିଙ୍ଗ ସାଇନ୍ସ କଲେଜରେ ଯୁକ୍ତ ଦୁଇ କେମିଷ୍ଟ୍ରି ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗରେ ପରୀକ୍ଷା ଦାୟିତ୍ୱରେ ଥିବା ବିଜୟ କୁମାର ଜେନାଙ୍କୁ ବାନ୍ଧିଥିଲା କ୍ରାଇମବ୍ରାଞ୍ଚ ।

Advertisment

ପରୀକ୍ଷା ଦାୟିତ୍ୱରେ ଥିବା ବିଜୟ ଜେନା ହିଁ ପ୍ରଶ୍ନପତ୍ର ଲିକ ମାମଲାର ମାଷ୍ଟର ମାଇଣ୍ଡ ଥିଲେ । ସୂଚନା ଅନୁସାରେ ଏହି ଘଟଣା ପରେ ୬ ବର୍ଷ ପାଇଁ କଲେଜରୁ ଆଫିଲିଏସନ ଅର୍ଥାତ ଅନୁବନ୍ଧନ ବାତିଲ କରିଥିଲା ଉଚ୍ଚଶିକ୍ଷା ବିଭାଗ । ପରେ ୨୦୧୯ରେ ପୁଣି ଏହି କଲେଜରେ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଗୋବିନ୍ଦ ସାହୁ । ଯିଏକି ଏହି ମହାଲିଙ୍ଗ କଲେଜର ପରିଚାଳନା କମିଟିର ସଭାପତି ଥିଲେ । ତାଙ୍କର ଏପରି କାର୍ଯ୍ୟକଳାପ ପରେ ଏବେ ବିବାଦ ଘେରକୁ ଆସିଛି ଏହି କଲେଜ । ତେବେ ଗତକାଲି ଅଧିକାଂଶ ପିଲା କଲେଜରୁ ନିଜର ଟିସି ପାଇଁ ଲାଇନ୍ ଲଗେଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । କଲେଜରୁ ଏପରି ଘଟଣା ସାମ୍ନାକୁ ଆସିବା ପରେ ଅଭିଭାବକମାନେ ତାଙ୍କ ପିଲାଙ୍କୁ ଏହି କଲେଜରୁ ବଦଳି କରିବାକୁ ଲାଇନ୍ ଲଗେଇଥିବା ଦେଖିବାକୁ ମିଳିଥିଲା । ଆଉ ଏହାରି ଭିତରେ ଏହି ପୁରୁଣା ପ୍ରଶ୍ନପତ୍ର ଲିକ୍ ଘଟଣା ମଧ୍ୟ ସାମ୍ନାକୁ ଆସିଛି ।