ମୁଖ୍ୟମନ୍ତ୍ରୀ ବଦଳିଲେ, ହେଲେ ସରିଲାନି ପଞ୍ଜାବ କଂଗ୍ରେସର କଳି । ହରିଶ ରାୱତଙ୍କ ବୟାନରେ ତେଜିଲା ବିବାଦ ।

204

କନକ ବ୍ୟୁରୋ: କ୍ୟାପଟେନ୍ ଅମରିନ୍ଦର ସିଂହ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଲାଗୁଥିଲା ପଂଜାବ ରାଜନୀତିରେ ଲାଗି ରହିଥିବା କନ୍ଦଳରେ ପୂର୍ଣ୍ଣଚ୍ଛେଦ ପଡିଛି । ଦଳ ପକ୍ଷରୁ ଚରଣଜିତ ସିଂହ ଚନ୍ନିଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବଛାଗଲା । ଆଉ ଏଥିରେ ସମସ୍ତେ ସହମତି ଜଣାଇଥିଲେ । ହେଲେ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ୍ ଶପଥ ନେବା ପରେ ହିଁ ପୁଣି ଦଳରେ ଅସନ୍ତୋଷ ଦେଖିବାକୁ ମିଳିଛି ଆଉ ଅସନ୍ତୋଷର ଏହି ଦାନା ବାନ୍ଧିଛନ୍ତି ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ । କାରଣ ହରିଶ ରାୱତ କହିଛନ୍ତି ଆସନ୍ତା ବର୍ଷ ପଞ୍ଜାବରେ ନବଜୋତ ସିଂହ ସିଦ୍ଧୁଙ୍କ ନେତୃତ୍ୱରେ କଂଗ୍ରେସ ବିଧାନସଭା ନିର୍ବାଚନ ଲଢିବ ଆଉ ରାୱତଙ୍କ ଏହି ବୟାନଙ୍କୁ ନେଇ ପୁଣିଥରେ ଆରମ୍ଭ ହୋଇଯାଇଛି କନ୍ଦଳ ।

୨୦୨୨ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ନେତୃତ୍ୱ ନେବେ ନବଜୋତ ସିଂହ ସିଦ୍ଧୁ । ପଞ୍ଜାବରେ ସିଦ୍ଧୁ ଜଣେ ଲୋକପ୍ରିୟ ଚେହେରା ଆଉ ଲୋକେ ସିଦ୍ଧୁଙ୍କୁ ସମର୍ଥନ କରନ୍ତି ବୋଲି ରାୱତ ନିଜ ବୟାନରେ କହିଛନ୍ତି । ହେଲେ ରାୱତଙ୍କ ଏଭଳି ସିଦ୍ଧୁଙ୍କୁ ସମର୍ଥନ କରିବାକୁ ସହଜରେ ହଜମ କରିପାରି ନାହାଁନ୍ତି ବରିଷ୍ଠ କଂଗ୍ରେସ ନେତା ସୁନିଲ ଝାକର । ଟ୍ୱିଟ୍ କରି କହିଛନ୍ତି -ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ବଛାହେବା ଦିନ ହରିଶ ରାୱତଙ୍କ ଏଭଳି ବୟାନ ଉଚିତ୍ ନୁହେଁ । କିଛି ନିଷ୍ପତି ନେବାର ହକ୍ କେବଳ ମୁଖ୍ୟମନ୍ତ୍ରୀଙ୍କ ଥାଏ । ହେଲେ ହରିଶ ରାୱତ ଏଭଳି କହି ମୁଖ୍ୟମନ୍ତ୍ରୀ ପଦର ଅବମାନନା କରିଛନ୍ତି । ତେବେ ଝାକରଙ୍କ ଟ୍ୱିଟକୁ ଅନେକ ସମାଲୋଚନା କରିବା ପରେ ସେ ନିଜ ବୟାନକୁ ବଦଳାଇ ଦେଇଛନ୍ତି ।

ସୁନୀଲ ଝାକର କ୍ୟାପଟେନ ଅମରିନ୍ଦର ସିଂହଙ୍କ ବଡ ସମର୍ଥକ । ସେ ପୂର୍ବରୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ମଧ୍ୟ ରହିଛନ୍ତି । ହେଲେ ଏବେ ଦଳରେ ନବଜୋତ ସିଂହ ସିଦ୍ଧୁ ଏବଂ ତାଙ୍କ ସମର୍ଥକଙ୍କ ଦବଦବା ରହିଛି । ସେଠାରେ ବିବାଦୀୟ ବୟାନ ଦେଇ ନିଜ ପାଇଁ ଅଡୁଆ ସୃଷ୍ଟି କରିବାକୁ ଚାହୁଁନାହାଁନ୍ତି ଝାକର । ଫଳରେ ନିଜ ବୟାନରୁ ନିଜେ ଓହରି ଯାଇଛନ୍ତି । ହେଲେ ଏକଥା ସ୍ପଷ୍ଟ ହୋଇଛି ଯେ, ଆସନ୍ତା ବର୍ଷ ପଞ୍ଜାବ ନିର୍ବାଚନବେଲେ କଂଗ୍ରେସର ନେତୃତ୍ୱ ନେବେ ନବଜୋତ ସିଂହ ସିଦ୍ଦୁ ।