କନକ ବ୍ୟୁରୋ : ଫକୀରମୋହନ ସେନାପତି । ଭାରତୀୟ ଭାଷା ସାହିତ୍ୟକୁ ତାଙ୍କର ଅତୁଳନୀୟ ଅବଦାନ ରହିଛି । ତାଙ୍କର ଅନବଦ୍ୟ କୃତି ପାଇଁ ସାରା ଓଡ଼ିଶା ଗର୍ବିତ । ବିଡ଼ମ୍ବନାର ବିଷୟ ହେଉଛି ମୃତ୍ୟୁର ୧୦୦ ବର୍ଷ ପରେ ବି ତାଙ୍କର ଆତ୍ମଜୀବନୀ ପ୍ରକାଶକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହି ବିବାଦ ହୋଇଛି ବିଶିଷ୍ଟ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ରାଷ୍ଟ୍ରୀୟ ଅଭିଲେଖାଗାର ସହନିର୍ଦ୍ଦେଶକ ଲଲାଟେନ୍ଦୁ ଦାସ ମହାପାତ୍ର ଏବଂ ଫକୀର ମୋହନଙ୍କ ଅଣନାତୁଣୀ ମୀନାକ୍ଷୀ ଦତଙ୍କ ମଧ୍ୟରେ । ପ୍ରକାଶନ ବନ୍ଦ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୀନାକ୍ଷୀ ଦତ ।

Advertisment

ଫକୀରମୋହନଙ୍କ ଆତ୍ମଜୀବନୀକୁ ନେଇ ବିବାଦ । ଅଦାଲତକୁ ଗଲେ ଫକୀରମୋହନଙ୍କ ଅଣନାତୁଣୀ । ପ୍ରାୟ ୧୪୦ ବର୍ଷ ତଳର ଫକୀରମୋହନଙ୍କ ହାତଲେଖା ପାଣ୍ଡୁଲିପି ଓ ଆତ୍ମଜୀବନୀର ପ୍ରକାଶନ ପାଇଁ ଉଦ୍ୟମ ଚାଲିଥିବା ବେଳେ ପ୍ରକାଶନ ବନ୍ଦ କରିବାକୁ ଅଦାଲତର ଆଶ୍ରୟ ନେଇଛନ୍ତି ଫକୀରମୋହନଙ୍କ ଅଣନାତୁଣୀ ମୀନାକ୍ଷୀ ଦତ । ତାଙ୍କର କହିବା କଥା, ଏହିସବୁ ପାଣ୍ଡୁଲିପିକୁ ସେ ୪ ପିଢ଼ି ଧରି ସାଇତି ରଖିଥିଲେ, ଏହା ସର୍ବସାଧାରଣ ସମ୍ପତି ନୁହେଁ । ଡିଜିଟାଲ ସଂରକ୍ଷଣ ପାଇଁ ଭାଷାବିତ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ସେ ବିଶ୍ୱାସ କରି ପାଣ୍ଡୁଲିପି ଦେଇଥିଲେ ଏବଂ ଏଥିପାଇଁ ୧ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ ।

ଫକୀରମୋହନଙ୍କ ଆତ୍ମଜୀବନୀ ପ୍ରକାଶ ପାଇଁ ଦେବୀପ୍ରସନ୍ନ ପଟ୍ଟନାୟକ, ମୀନାକ୍ଷୀ ଦତ ଓ ରାଷ୍ଟ୍ରୀୟ ଅଭିଲେଖାଗାର ସହନିର୍ଦ୍ଦେଶକ ଲଲାଟେନ୍ଦୁ ଦାସ ମହାପାତ୍ରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା । ଆତ୍ମଜୀବନୀ ପୁସ୍ତକରେ ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ସଂପାଦକ ରହିଥିବା ବେଳେ, ଲଲାଟେନ୍ଦୁ ବାବୁ ଏବଂ ମୀନାକ୍ଷୀ ଦେବୀ ସଂପାଦକ ରହିଥିଲେ । ଦେବୀପ୍ରସନ୍ନ କହିଛନ୍ତି, ପ୍ରକାଶକ ଏଥିପାଇଁ ୩୩ ହଜାର ଟଙ୍କା ରୟାଲିଟି ଦେବା ପାଇଁ ରାଜି ହୋଇଥିଲେ । ୧୧ ହଜାର ଟଙ୍କାର ରୟାଲିଟି ମଧ୍ୟ ସେ ମୀନାକ୍ଷୀ ଦତଙ୍କୁ ଦେଇଥିଲେ ।

ଫକୀରମୋହନଙ୍କ ଆତ୍ମଜୀବନୀଙ୍କୁ ନେଇ ବିବାଦ ତେଜୁଥିବା ବେଳେ ଏହା ଓଡ଼ିଆ ଭାଷାପ୍ରେମୀଙ୍କୁ ଗଭୀର ଭାବେ ମର୍ମାହତ କରିଛି । ବିଶ୍ୱବନ୍ଦିତ ଔପନ୍ୟାସିକ ଫକୀରମୋହନଙ୍କ ପାଣ୍ଡୁଲିପି ପ୍ରକାଶ ପାଇଲେ ଓଡ଼ିଆ ଭାଷା ସାହିତ୍ୟ ସମୃଦ୍ଧ ହେବ ଏବଂ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ହେବ ବୋଲି ମତପ୍ରକାଶ ପାଇଛି । ସେପଟେ ଦେବୀ ପ୍ରସନ୍ନ କହିଛନ୍ତି, ଫକୀରମୋହନଙ୍କ ଆତ୍ମଜୀବନୀ ପ୍ରକାଶନକୁ କେହି ଅଟକାଇ ପାରିବେନି ।

ମାମଲା ଅଦାଲତରେ ଥିବାରୁ ଏହି ବିବାଦ ସମ୍ପର୍କରେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି ମୀନାକ୍ଷା ଦତ । ତେବେ ଫକୀରମୋହନଙ୍କ ଅପ୍ରକାଶିତ ପାଣ୍ଡୁଲିପି ଦେଶ ଓ ଜାତି ପାଇଁ ଅମୁଲ୍ୟ ସମ୍ପଦ ହୋଇଥିବାରୁ ଏହାର ସୁରକ୍ଷା ପାଇଁ ଓଡ଼ିଶା ସରକାର ଆଗେଇ ଆସିବା ଉଚିତ । ଏବଂ ଯେଉଁ ବିବାଦ ସୃଷ୍ଟି ହୋଇଛି, ଏହାର ମୂଳକୁ ଯାଇ ସମାଧାନର ବାଟ ସରକାର ବାହାର କରନ୍ତୁ ବୋଲି ଦାବି ହୋଇଛି ।