ମହାକାଳ ମନ୍ଦିରରେ ମୁସଲିମ୍ ଯୁବକଙ୍କ ପ୍ରବେଶକୁ ନେଇ ହଙ୍ଗାମା । ସନ୍ଥ କଲେ ବିରୋଧ, ସଫେଇ ଦେଲେ ମନ୍ଦିର କମିଟି

123

କନକ ବ୍ୟୁରୋ : ଉଜୟିନୀ ମହାକାଳ ମନ୍ଦିରରେ ଗୁରୁବାର ଦିନ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କୁ ନେଇ ଏବେ ଦିନସାରା ବିବାଦ ଲାଗି ରହିଛି । ଦର୍ଶନ କରିଥିବା ଫଟୋ ଭାଇରାଲ ହେବା ପରେ ମନ୍ଦିର କମିଟି ଏନେଇ ସଫେଇ ଦେଇଛି ।

ସୂଚନା ମୁତାବକ ଜଣେ ମୁସଲିମ୍ ଯୁବକ ଟୋପୀ ପିନ୍ଧି ମହାକାଳ ମନ୍ଦିର ଭିତରକୁ ଦର୍ଶନ ପାଇଁ ପ୍ରବେଶ କରିଥିଲେ । କେହିଜଣେ ସେହି ଯୁବକର ଫଟୋ ଉଠାଇ ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲା । ଏହି ଫଟୋ ଭାଇରାଲ ହେବା ପରେ ଆରମ୍ଭ ହୋଇଥିଲା ବିବାଦ । ଯୁବକ ଜଣଙ୍କ ମହାରାଷ୍ଟ୍ରରୁ ଆସିଥିବା ବେଳେ ସେ ମହାକାଳଙ୍କ ଭକ୍ତ ବୋଲି କହିଛି ।
ଅନ୍ୟପଟେ ଏଭଳି ଭାବେ ଜଣେ ମୁସଲିମ ଯୁବକ ମନ୍ଦିର ଭିତରକୁ ପ୍ରବେଶ କରିବା ନେଇ ମନ୍ଦିରର ସନ୍ଥମାନେ ଏହାକୁ ଘୋର ବିରୋଧ କରିଥିଲେ । ଏହାକୁ ନେଇ ସନ୍ଥମାନେ ପ୍ରତିବାଦ କରିବା ପରେ ବିବାଦ ଉଗ୍ରରୂପ ନେଇଥିଲା । ଏହି ବିବାଦକୁ ସମାଧାନ କରିବାକୁ ଶେଷରେ ମନ୍ଦିର ପ୍ରଶାସନ ଆଗକୁ ଆସିଥିଲା । ମନ୍ଦିର କମିଟି ଅନୁପ୍ରବେଶ କରିଥିବା ଯୁବକଙ୍କ ବୟାନ ଶୁଣାଇବା ପରେ ସନ୍ଥମାନେ ଶାନ୍ତ ହୋଇଥିଲେ ।

ମନ୍ଦିରର ଜଣେ ପୁଜାରୀ କହିଛନ୍ତି କି ମନ୍ଦିର ଭିତରେ ପ୍ରବେଶ କରିଥିବା ମୁସଲିମ୍ ଯୁବକଙ୍କ ନାମ ଜୁନେଦ ଇଦରିଶ ଶେଖ୍ । ସେ ମହାରାଷ୍ଟ୍ରର ଗୌନ୍ଦିଆ ଜିଲ୍ଲାର ବାସିନ୍ଦା । ସେ ତାଙ୍କର ବନ୍ଧୁ ସ୍ୱାମୀ ଜୟଶୱାଲ ଓ ଶ୍ୟାମ କୁମାରଙ୍କ ସହ ଅନେକ ବର୍ଷଧରି ଏଠାକୁ ମହାକାଳଙ୍କ ଦର୍ଶନ ପାଇଁ ଆସୁଛନ୍ତି । ସେ ମନ୍ଦିର ପ୍ରଶାସନର ସମସ୍ତ ନିୟମ ପାଳନ କରିବା ସହ ଦାନ ମଧ୍ୟ କରିଥାନ୍ତି । ମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି କି ସବୁ ଧର୍ମର ଅନୁଗାମୀମାନେ ମହାକାଳ ଦର୍ଶନ କରିବାକୁ ଏଠାକୁ ଆସିଥାନ୍ତି । ବାବାଙ୍କ ଦରବାର ସମସ୍ତଙ୍କ ପାଇଁ ଖୁଲାଥିବା କଥା ପୁଜାରୀ କହିଛନ୍ତି ।