କନକ ବ୍ୟୁରୋ: ଭୁବନେଶ୍ୱର ପାୱାର ହାଉସ ଛକରେ ରେଂଜ ରୋଭର ଦୁର୍ଘଟଣାରେ ଦୁଇଜଣ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଦରକାର ପଡୁଛି । କିନ୍ତୁ ଦୁର୍ଘଟଣା ଘଟାଇଥିବା କୋଟି କୋଟି ଟଙ୍କାର ଗାଡି ମାଲିକ ଯେମିତି ପଥର ପାଲଟିଯାଇଛନ୍ତି । ଗାଡିର ମାଲିକ କିଏ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ମାଲିକାନା ଝାରସୁଗୁଡାର ଆର୍ମର-ରେ ଭେଂଚର୍ସ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ରହିଛି । ପ୍ରଶ୍ନ ଉଠୁଚି, ଗାଡି ଭିତରେ କିଏ ଥିଲେ ଓ ଗାଡି ଚଲାଉଥିଲା କିଏ?

Kanak News is now on WhatsApp
Join and get latest news updates delivered to you via WhatsApp
ପାୱାର ହାଉସ ଛକରେ ରେଞ୍ଜ ରୋଭର ଦୁର୍ଘଟଣା ଘଟଣା, ଏବେ ସାରାରାଜ୍ୟରେ ଚାଂଚଲ୍ୟ ଖେଳାଉଛି । ଗାଡି ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ହସ୍ପିଟାଲ ବେଡରେ ଜୀବନ ସହ ସଂଘର୍ଷ କରୁଥିବାବେଳେ, ଚୁପ ବସିଛନ୍ତି ଗାଡି ମାଲିକ । କାହ୍ନୁ ଚରଣ ନାୟକଙ୍କର ଏଭଳି ଅବସ୍ଥା ହୋଇଛି ଯେ ତିନି ଦିନ ହେଲା ତାଙ୍କ ସେନ୍ସ ଫେରୁନି । ସେହିପରି ଲୋପାମୁଦ୍ରା ସାହୁଙ୍କ ବ୍ରେନ୍ ଡେଡ୍ ରହିଛି । ହେଲେ, କୋଟିପତି ଗାଡି ଚଢୁଥିବା ମାଲିକଙ୍କ ହୃଦୟ ତରଳୁ ନାହିଁ । ନା ସହାୟତା ପାଇଁ ହାତ ବଢ଼ାଉଛନ୍ତି ନା ଟିକିଏ ସମବେଦନ ଜଣାଇବାକୁ ହସ୍ପିଟାଲକୁ ଆସୁଛନ୍ତି । ଆଉ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଦୁର୍ଘଟଣାଗ୍ରସ୍ତଙ୍କ ସମ୍ପର୍କୀୟ ।
ଦୁର୍ଘଟଣା ଘଟାଇଥିବା ଏହି ଗାଡିର ମାଲିକ କିଏ ଏପର୍ଯ୍ୟନ୍ତ ପୋଲିସ ସ୍ପଷ୍ଟ କରିନି । କିନ୍ତୁ ଆରଟିଓର ତଥ୍ୟ ଅନୁସାରେ ରେଞ୍ଜରୋଭର ଗାଡି ନଂ- ଓଡି-୨୩-କେ- ୦୦୦୬ର ମାଲିକାନା ଝାରସୁଗୁଡାର ଆର୍ମର-ରେ ଭେଂଚର୍ସ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ରହିଛି । ଏ ହେଉଛି ଝାରସୁଗୁଡା ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଉପଲବ୍ଧ ହେଉଥିବା ତଥ୍ୟ । ବଡ କଥା ହେଉଛି,ଏହି କମ୍ପାନୀର ଦୁଇ ଜଣ ନିର୍ଦ୍ଦେଶକ ରହିଛନ୍ତି । ଜଣେ ନିର୍ଦ୍ଦେଶକ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ହୋଇଥିବାବେଳେ ଆଉ ଜଣେ ଜଣେ ସ୍ୱରାଜ ଭୋଇ.. ।.. ଏପରିକି ପୂର୍ବରୁ ବିଶାଳ ଏହି ଗାଡିରେ ଯାତାୟତ କରୁଥିବା ଭିଡିଓ ବି ରହିଛି । ବିଶାଳ ଏହି ଗାଡିକୁ ବ୍ୟବହାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ଦୁର୍ଘଟଣା ଦିନ ଏହି ଗାଡିକୁ କିଏ ଚଳାଉଥିଲେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଆହତଙ୍କ ଭାଇ ।
ତେବେ ଦୁର୍ଘଟଣା ସମୟରେ ବିଶାଳ ଓ ସ୍ୱରାଜ ସେହି ଗାଡିରେ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ପୋଲିସ ଏହି ମାମଲାରେ ଜଣଙ୍କ ଗିରଫ କରିଥିବା ସୂଚନା ଦେଇଛି । ହେଲେ, ଗାଡିର ମାଲିକ ଥିଲେ କି ନାହିଁ ତାହା ସ୍ପଷ୍ଟ କରିନାହିଁ । ପ୍ରଶ୍ନ ଉଠୁଛି
– ଦୁର୍ଘଟଣା ସମୟରେ ଗାଡି ଭିତରେ କିଏ ଥିଲେ?
– କିଏ ଚଳାଉଥିଲେ ଗାଡି ?
– ଆହତଙ୍କୁ ସହାୟତାର ହାତ ବଢ଼ାଇବାକୁ କାହିଁକି ଆସୁନାହାନ୍ତି?
– ନ୍ୟାୟ ପାଇବେ ତ ଆହତଙ୍କ ପରିବାର?