କନକ ବ୍ୟୁରୋ : ବିଧାୟକ ଭାବେ ନିର୍ବାଚିତ ହେଲେ ବାବୁଲ ସୁପ୍ରିୟୋ । ହେଲେ ନେଇପାରୁନାହାନ୍ତି ଶପଥ । ବାଲିଗଞ୍ଜ ବିଧାନସଭା ଉପନିର୍ବାଚନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଏମ୍ସି ନେତା ବାବୁଲ ସୁପ୍ରିୟୋଙ୍କୁ ବିଧାୟକ ଭାବେ ଶପଥ ଦେବାକୁ ନେଇ ବିବାଦ ଲାଗି ରହିଛି । ରାଜ୍ୟପାଳ ଜଗଦୀପ ଧନଖଡ଼ ବିଧାନସଭା ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କୁ ଶପଥ ଦେବାକୁ ଅଧିକାର ପ୍ରଦାନ କରିଛନ୍ତି । ହେଲେ ଉପବାଚସ୍ପତି କହିଛନ୍ତି, ବିଧାନସଭାର ବାଚସ୍ପତି ଥିବାରୁ ସେ ବାବୁଲ ସୁପ୍ରିୟୋଙ୍କୁ ଶପଥ ପାଠ କରାଇବା କିଛି ଆବଶ୍ୟକ ନାହିଁ । ବାବୁଲ ସୁପୟିୟୋଙ୍କୁ ପୂର୍ବରୁ ଶପଥ ଦେବା ପାଇଁ ରାଜ୍ୟପାଳଙ୍କ ପାଖକୁ ଫାଇଲ ଯାଇଥିଲା । ହେଲେ ରାଜ୍ୟପାଳ ଜଗଦୀପ ଧନଖଡ଼ ଫାଇଲକୁ ଫେରାଇ ଦେଇଥିଲେ । ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ ।
ସମ୍ବିଧାନର ନିୟମ ଅନୁସାରେ ରାଜ୍ୟପାଳ ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇଥାନ୍ତି । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ରାଜ୍ୟପାଳ ଜଣେ ପ୍ରତିନିଧିଙ୍କୁ ମଧ୍ୟ ଏଥିପାଇଁ ନିଯୁକ୍ତ କରିପାରିବେ । ଧାରା ୧୮୮ରେ ଥିବା କ୍ଷମତାର ପ୍ରୟୋଗ କରି ରାଜ୍ୟପାଳ ଜଗଦୀପ ଧନଖଡ଼ ଏଥିପାଇଁ ପଶ୍ଚିମବଙ୍ଗ ବିଧାନସଭାର ଉପବାଚସ୍ପତିଙ୍କୁ ନିଯୁକ୍ତ କରିଛନ୍ତି । କୁହାଯାଉଛି ପଶ୍ଚିମବଙ୍ଗ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ଏହା ହେଉଛି ପରିଣାମ । ରାଜ୍ୟପାଳଙ୍କ ନିଷ୍ପତିରେ ଦୁଃଖ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି ବାବୁଲ ସୁପ୍ରିୟୋ । ବିଜେପିରେ ଥିବା ବେଳେ ଆସନସୋଲ ଆସନରୁ ସେ ଦୁଇ ଥର ସାଂସଦ ହୋଇଥିଲେ । ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ମଧ୍ୟ ମନ୍ତ୍ରୀ ହୋଇଥିଲେ ବାବୁଲ ସୁପ୍ରିୟୋ । ହେଲେ କେନ୍ଦ୍ର ମନ୍ତ୍ରୀ ପଦ ଯିବା ପରେ ସେ ବିଜେପି ଛାଡି ଟିଏମ୍ସିରେ ଯୋଗଦେଇଥିଲେ । ବାଲିଗଞ୍ଜ ବିଧାନସଭା ଉପନିର୍ବାଚନରେ ବାବୁଲ ସୁପ୍ରିୟୋଙ୍କୁ ଟିକେଟ୍ ଦେଇଥିଲା ଟିଏମ୍ସି । ଗତ ୧୨ ତାରିଖରେ ହୋଇଥିବା ନିର୍ବାଚନରେ ସେ ବିଜୟୀ ହୋଇଥିଲେ ।

Advertisment