କନକ ବ୍ୟୁରୋ : ରାଜସ୍ଥାନର ସରିସ୍କା ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଏବେ ହୁ ହୁ ହୋଇ ଜଳୁଛି । ଜଙ୍ଗଲର ଅଧିକାଂଶ ଅଞ୍ଚଳରେ ନିଆଁ ଲାଗିଥିବା ବେଳେ ଏହାକୁ କାବୁ କରିବାକୁ ବନବିଭାଗ ନାକେଦମ ହେଲାଣି । କିନ୍ତୁ ଏହା ଭିତରେ ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଫଟୋରେ ସଚିନଙ୍କ ପତ୍ନୀ ଅଞ୍ଜଳିଙ୍କୁ ଦେଖିବାକୁ ମିଳିଛି । ଆଉ ଏହି ଫଟୋକୁ ନେଇ ଏବେ ବିବାଦ ଘେରରେ ସଚିନଙ୍କ ପତ୍ନୀ ।
ସଚିନଙ୍କ ପତ୍ନୀ ଅଞ୍ଚଳିଙ୍କୁ ନେଇ ବିବାଦ ପଛର ବଡ କାରଣ ହେଉଛି, ଯେତେବେଳେ ଜଙ୍ଗଲରେ ନିଆଁ ଲାଗିଥିଲା ସେତେବେଳେ ଅଞ୍ଚଳି ଏଠାକୁ ବୁଲିବାକୁ ଆସିଥିଲେ । ଆଉ ସବୁଠୁ ବଡ କଥା ହେଲା, ସେତେବେଳେ ଜଙ୍ଗଲରେ ନିଆଁ ଲିଭାଇବା ପରିବର୍ତ୍ତେ ନିଜ ଟିମ୍ ସହ ଅଞ୍ଚଳିଙ୍କୁ ଜଙ୍ଗଲ ବୁଲାଇବାକୁ ନେଇଥିଲେ ।
ଗତ ୩ ଦିନ ଭିତରେ ସାରିସ୍କା ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ପ୍ରାୟ ୨୦ କିଲୋମିଟର ବ୍ୟାପି ନିଆଁ ଲାଗିଛି । ଯେଉଁଦିନ ଅଞ୍ଚଳି ଏଠାକୁ ଆସିଥିଲେ, ସେହିଦିନ ହିଁ ଜଙ୍ଗଲରେ ନିଆଁ ଲାଗିଥିଲା । ଏନେଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ସୂଚନା ମଧ୍ୟ ମିଳିଥିଲା । କିନ୍ତୁ ଏହି ସୂଚନାକୁ ଗୁରୁତ୍ୱ ନଦେଇ ଅଞ୍ଜଳିଙ୍କୁ ବାଘ ଦେଖାଇବାକୁ ଜଙ୍ଗଲକୁ ନେଇଥିଲେ ଅଧିକାରୀ । ତେବେ ଏନେଇ ସ୍ଥାନୀୟ ଡିଏଫଓ କହିଛନ୍ତି, ନିଆଁ ଲିଭାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ରେଞ୍ଜର ମଧ୍ୟ ଉକ୍ତ ସ୍ଥାନରେ ଉପସ୍ଥିତ ଥିଲେ । ଏହାଛଡା ନିଆଁ ଲିଭାଇବାକୁ ନିର୍ଦ୍ଦେଶକ ଯାଆନ୍ତି ନାହିଁ । ଯେହେତୁ ଭିଆଇପି ପର୍ଯ୍ୟଟକ ଆସିଥିଲେ ତେଣୁ ପୋଟ୍ରୋକଲ ଅନୁଯାୟୀ ଅଞ୍ଜଳି ତେନ୍ଦୁଲକରଙ୍କୁ ଏହି ସେବା ଯୋଗାଇ ଦିଆଯାଇଥିଲା ।
Anjali Tendulkar, wife of Sachin Tendulkar enjoyed tiger sighting at Ranthambore on Friday #SachinTendulkar#AnjaliTendulkar#Ranthambore#Jaipur#JaipurAirport#photography#celebrity#TheFirstIndiapic.twitter.com/yovidyLpzf
— First India (@thefirstindia) March 26, 2022
ଏହାଛଡ଼ା ନିଆଁ ଲାଗିଥିବା ସ୍ଥ୍ାନରୁ ବାଘ ମାନେ ତଳକୁ ଚାଲି ଆସିଥିବା କହିଛନ୍ତି ସ୍ଥାନୀୟ ଡିଏଫଓ । ତେବେ ନିଆଁକୁ ଆୟତ୍ତ କରିବାକୁ ବାୟୁସେନାର ହେଲିକପ୍ଟର ନିୟୋଜିତ କରାଯାଇଛି । ହେଲିକପ୍ଟର ଯୋଗେ ପାଣି ସିଞ୍ଚନ କରାଯାଇ ନିଆଁ ଲିଭାଇବାକୁ ପ୍ରୟାସ ଜାରି ରହିଛି । ଗୋଟିଏ ଥରକେ ହେଲିକପ୍ଟରରେ ୪୦୦୦ ଲିଟର ପାଣି ସିଞ୍ଚନ କରାଯାଉଛି । ତେଣୁ ନିଆଁକୁ ଖୁବଶୀଘ୍ର ଆୟତ୍ତ କରାଯିବ ବୋଲି ଆଶା ଥିବା କହିଛନ୍ତି ଡିଏଫଓ ।