କାନାଡା ସରକାରଙ୍କୁ ଭାରତର କଡ଼ା ଜବାବ । କାନାଡ଼ା ହାଇକମିଶନରକୁ ଦେଶ ଛାଡିବାକୁ ନିର୍ଦ୍ଦେଶ

257

କନକ ବ୍ୟୁରୋ : କାନାଡାକୁ ଭାରତର କଡ଼ା ଜବାବ । ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହଙ୍କ ହତ୍ୟା ଅଭିଯୋଗ ପ୍ରସଙ୍ଗରେ କାନାଡାର ବରିଷ୍ଠ କୂଟନୀତିଜ୍ଞ କ୍ୟାମେରୋନ ମ୍ୟାକେଙ୍କୁ ବହିଷ୍କାର କରାଯାଇଛି । ଭାରତରେ ଅବସ୍ଥାପିତ କାନାଡା ହାଇ କମିଶନରଙ୍କୁ ବହିଷ୍କାର କରିବା ସହ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତ ସରକାର ଏଥିପାଇଁ ୫ଦିନର ମହଲତ ଦେଇଛନ୍ତି । ଭାରତ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଛି । ବୈଦେଶିକ ମନ୍ତ୍ରାଳୟର ମୁଖ୍ୟ କାର୍ଯ୍ୟାଳୟ ସାଉଥ ବ୍ଲକକୁ କାନାଡାର ବରିଷ୍ଠ କୂଟନୀତିଜ୍ଞ କ୍ୟାମେରୋନ ମ୍ୟାକେଙ୍କୁ ସମନ କରାଯାଇଥିଲା । ଏହି ସମୟରେ ତାଙ୍କୁ ସରକାରଙ୍କ ନିଷ୍ପତି ସମ୍ପର୍କରେ ଅବଗତ କରାଯାଇଛି । ଆସନ୍ତା ୫ଦିନ ଭିତରେ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭାରତର ଅଭ୍ୟନ୍ତରୀଣ ମାମଲାରେ ଅତ୍ୟଧିକ ହସ୍ତକ୍ଷେପ ଓ ଭାରତ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ କାନାଡାର ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯାଇଛି । ଭାରତ-କାନାଡା ସମ୍ପର୍କରେ ତିକ୍ତତା ବଢ଼ିବାରେ ଲାଗିଛି । ଓଟାୱାରେ ଅବସ୍ଥାପିତ ଭାରତୀୟ କୂଟନୀତିଜ୍ଞଙ୍କୁ ବିଦା କରିଦେଇଥିଲେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ପଛରେ ଭାରତର ହାତ ଥିବା ଭଳି ସଙ୍ଗୀନ ଅଭିଯୋଗ କରିଛି କାନାଡା । ଏହାସହ ଓଟାୱାରେ ଅବସ୍ଥାପତି ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ ବା ‘ର’ ମୁଖ୍ୟଙ୍କୁ ବହିଷ୍କାର କରିଛି ।

କାନାଡ଼ର ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛି ଭାରତ । ଟ୍ରୁଡୋ ଉଠାଇଥିବା ପ୍ରସଙ୍ଗକୁ ମୋଦୀ ସରକାର ଖଣ୍ଡନ କରିଛନ୍ତି । ପ୍ରେସ ବିବୃତି ଜାରି କରି ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି, ସଂସଦରେ କାନାଡା ପ୍ରଧାନମନ୍ତ୍ରୀ ଦେଇଥିବା ବୟାନ ଓ ବୈଦେଶିକ ମନ୍ତ୍ରୀଙ୍କ ବୟାନକୁ ଭାରତ ଅଗ୍ରାହ୍ୟ କରୁଛି । କାନାଡାରେ ଭାରତ ହିଂସା ସୃଷ୍ଟି କରିବା ଭଳି ବୟାନ ହାସ୍ୟସ୍ପଦ ଓ ଉଦ୍ଦେଶ୍ୟ ପ୍ରଣୋଦିତ । କାନାଡା ଉଗ୍ରପନ୍ଥୀ ଓ ଖଲିସ୍ତାନୀଙ୍କୁ ଶରଣ ଦେଇଛି । ଭାରତର ସାର୍ବଭୋମତ୍ୟ ଓ ଅଖଣ୍ଡତା ପ୍ରତି ଖାଲିସ୍ତାନୀ ବିପଦ ଏବଂ କାନାଡାରେ ସକ୍ରୀୟ ଥିବା ଏପରି କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ କାନାଡା ପଦକ୍ଷେପ ନେବା ଜରୁରୀ