ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ : ଛାଡ଼ପତ୍ର ମାମଲାର ଶୁଣାଣି କରିବେ କୋର୍ଟ

281

କନକ ବ୍ୟୁରୋ : ଓଲିଉଡର ଷ୍ଟାର ଦମ୍ପତି ବର୍ଷା-ଅନୁଭବ ଆଜି କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଫ୍ୟାମିଲ କୋର୍ଟରେ ଉଭୟେ ହାଜର ହୋଇଛନ୍ତି। ଛାଡ଼ପତ୍ର ମାମଲାର ଶୁଣାଣି କରିବେ କୋର୍ଟ ।ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବଦଳରେ କଟକରେ ପରିବାର ଅଦାଲତରେ ଚାଲିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସାଂସଦ ସ୍ବାମୀ ଅନୁଭବ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ପତ୍ନୀ ବର୍ଷାଙ୍କ ଠାରୁ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ।

ଏହାପରେ ସ୍ବାମୀ ଅନୁଭବଙ୍କ ବିରୁଦ୍ଧରେ ବର୍ଷା ଘରୋଇ ହିଂସା ଓ ବୈବାହିକ ଜୀବନକୁ ବଜାୟୀ ରଖିବାକୁ କଟକ ଏସଡିଜେଏମ କୋର୍ଟରେ ଦୁଇଟି ଆବେଦନ କରିଥିଲେ। ଏହାର କିଛି ଦିନ ପରେ ବର୍ଷା ପଟିଆଲା ହାଉସ କୋର୍ଟରେ ଅନୁଭବ ଦାୟର କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତରିତ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରି ମାର୍ଚ୍ଚ ୫ ତାରିଖରେ ଏହି ମାମଲାକୁ କଟକ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନୁଭବଙ୍କ ପକ୍ଷରୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ଜବାବ ଦାଖଲ ପିଟିସିନ ଦାୟର ହୋଇଥିଲା ।

ଏହି ପିଟିସିନରେ ସାଂସଦ ଉଲ୍ଲେଖ କରିଥିଲେ ଯେ, ସେ ଓ ତାଙ୍କ ପରିବାର ଏହି ମାମଲା ଯୋଗୁଁ ମାନସିକ ଅବସାଦ ମଧ୍ୟରେ ରହୁଛନ୍ତି। ଏହା ସହିତ ତାଙ୍କ ବାପାଙ୍କ ଦେହ ଖରାପ ରହୁଛି। ବର୍ଷା ତାଙ୍କ ମାନସମ୍ମାନକୁ ନଷ୍ଟ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏହି ମାମଲା ଯୋଗୁଁ ସେ ରାଜନୈତିକ ସ୍ତରରେ ଆକ୍ରେଶର ଶିକାର ହୋଉଥିବା କଥା ଉଲ୍ଲେଖ କରି ମାମଲାକୁ ତୁରନ୍ତ ଫୈସଲା ପାଇଁ ସୁପ୍ରିମକୋର୍ଟରେ ଦାୟର ନିଜ ପିଟିସନରେ କହିଥିଲେ ।

ଅନ୍ୟପଟେ, ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପ୍ରୋଟେକସନ ଅଫ ଓମେନ ଫ୍ରମ ଡୋମେଷ୍ଟିକ ଭାଓଲେନ୍ସ ଆକ୍ଟ ୨୦୦୫ର ଧାରା ୧୨,୧୭, ୧୮, ୧୯, ୨୦ ଓ ୨୨ ଅନୁସାରେ କଟକ ଏସଡିଜେଏମରେ ମକଦ୍ଦମା କରିଛନ୍ତି। ମକଦ୍ଦମାରେ ବର୍ଷା ନିଜ ସ୍ୱାମୀଙ୍କୁ ମଦ୍ୟପ ଓ ମଧୁମେହ ରୋଗୀ ବୋଲି ଦର୍ଶାଇଛନ୍ତି। ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି ଅନୁଭବ ଶୟନ କକ୍ଷରେ ମଦ୍ୟପ ସାଙ୍ଗମାନଙ୍କ ସହ ମିଶି ମଦ୍ୟପାନ କରିବା ସହ ବର୍ଷାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଥାନ୍ତି ।

ବିବାହ ପରେ ଅନୁଭବ ବର୍ଷାଙ୍କୁ ଅନ୍ୟ କାହା ସିନେମାରେ ଅଭିନୟ କରିବାର ସୁଯୋଗ ଦେଇ ନାହାଁନ୍ତି। ଅନୁଭବଙ୍କ ସହ କରିଥିବା ସିନେମାରେ ବର୍ଷାଙ୍କୁ ପାରିଶ୍ରମିକ ମଧ୍ୟ ମିଳି ନ ଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି । ସେହିପରି ବିବାହକୁ ସ୍ଥାୟୀ କରିବା ଓ ଅନୁଭବ ମହାନ୍ତି ଅନ୍ୟଜଣେ ମହିଳାଙ୍କ ସହ ରହୁଥିବା ଅଭିଯୋଗ କରି କଟକ ପରିବାର ଅଦାଲତରେ ମାମଲା ଦାୟର କରିଥିଲେ। ଦୁଇଟି ଯାକ ମାମଲା ଆପୋଷ ସମାଧାନ ପାଇଁ ମଧ୍ୟସ୍ଥତା କେନ୍ଦ୍ରକୁ ଯାଇଛି । ହେଲେ ସେଥିରେ ସୁଫଳ ମିଳିନାହିଁ ।

ସେପଟେ, ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶରେ ଅନୁଭବ ଦାୟର କରିଥିବା ଛାଡ଼ପତ୍ର ମାମଲାର ଅତିଶୀଘ୍ର ଶୁଣାଣି କରିବା ସହିତ ଶୁଣାଣି ସମୟରେ ଉଭୟ ବର୍ଷା ଓ ଅନୁଭବ କଟକ ପରିବାର ଅଦାଲତରେ ହାଜର ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ୧୫ ଦିନ ମଧ୍ୟରେ ମାମଲାଟିକୁ ବିଚାରପାଇଁ ତାଲିକାଭୁକ୍ତ କରିବା ପାଇଁ ମଧ୍ୟ କହିଥିଲେ ସର୍ବୋଚ୍ଚ ଅଦାଲତ। କଟକ ପରିବାର ଅଦାଲତ ଆଜି ଠାରୁ ଏହି ବହୁଚର୍ଚ୍ଚିତ ବିବାହ ବିଚ୍ଛେଦ ମାମଲାର ଶୁଣାଣି ଆରମ୍ଭ କରିବେ।