ନିଜ ଜିଦରେ ଅଟଳ ସିଦ୍ଧୁ । ହାଇକମାଣ୍ଡଙ୍କ ଆଗରେ ରଖିଲେ ତିନି ସର୍ତ୍ତ । କେଉଁ ମୋଡ ନେବ ପଞ୍ଜାବ ରାଜନୀତି ?

347

କନକ ବ୍ୟୁରୋ : ଦିଲ୍ଲୀରୁ ପଞ୍ଜାବ ରାଜନୀତି ସରଗରମ । ଦିନେ ମଙ୍ଗ ଧରିଥିବା ନେତା ଆଜି ବିଜେପି କ୍ୟାମ୍ପକୁ ଢଳୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ମଙ୍ଗ ସମ୍ଭାଳିବାକୁ ଦାୟିତ୍ୱ ମିଳିଥିବା ନେତା ନୈତିକତାର ଦ୍ୱାହି ଦେଇ ପଛକୁ ହଟିଛନ୍ତି । କ୍ୟାପଟେନ ଓ ସିଦ୍ଧୁଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ କଂଗ୍ରେସକୁ ପଞ୍ଜାବରେ ପଛକୁ ଠେଲୁଥିବା ବେଳେ ସ୍ଥିତିକୁ ସାମାନ୍ୟ କରିବା ପାଇଁ ହାଇକମାଣ୍ଡଙ୍କ ପକ୍ଷରୁ ସେଭଳି ବଡଧରଣର ଉଦ୍ୟମ ଆରମ୍ଭ ହୋଇନାହିଁ । ତେଣୁ ପଞ୍ଜାବ ପଲିଟିକାଲ ଲିଗ୍ ଧିରେ ଧିରେ ରୋଚକ ହେଉଛି ।

କେଉଁ ମୋଡ ନେବ ପଞ୍ଜାବ ରାଜନୀତି ? ହାଇକମାଣ୍ଡଙ୍କ ଆଗରେ ସିଦ୍ଧୁ ରଖିଲେ ତିନି ସର୍ତ୍ତ । ଇଏ ଥିଲା ସେପ୍ଟେମ୍ବର ୨୦ର ସ୍ଥିତି । ମୁଖ୍ୟମନ୍ତ୍ରୀ ଭାବରେ ଚନ୍ନିଙ୍କ ନାମ ଘୋଷଣା ହେବା ପରେ ଏକାଠି ସାମ୍ବାଦିକ ସମ୍ମିଳନୀ କରିଥିଲେ ନବଜ୍ୟୋତ ସିଂହ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି । ସିଦ୍ଧୁ ସେତେବେଳେ ଚନ୍ନିଙ୍କ କାନ୍ଧରେ ହାତ ରଖି ସବୁ ସ୍ଥିତିରେ ସାଥୀରେ ଠିଆ ହେବାର ଆଶ୍ୱାସନା ଦେଇଥିଲେ । କିନ୍ତୁ ସପ୍ତାହକ ପରେ ସ୍ଥିତି ବଦଳିଯାଇଛି । ଏବେ ଚନ୍ନିଙ୍କ ନିଷ୍ପତ୍ତିରେ ଖପ୍ପା ହୋଇ ସିଦ୍ଧୁ ଜାରି କରିଛନ୍ତି ଭିଡିଓ । ଆଉ ସିଧା କହିଛନ୍ତି ସେ ତାଙ୍କ ନୀତି ନୈତିକତା ସହିତ ସାଲିସ କରିବେନି । ମନ୍ତ୍ରୀ ମଣ୍ଡଳରୁ ଦାଗୀ ନେତାଙ୍କୁ ବାଦ୍ ଦେବା ଡିଜିପି ଏବଂ ଆଡଭୋକେଟ ଜେନେରାଲଙ୍କୁ ହଟାଇବା ଭଳି ଦାବି ରଖିଛନ୍ତି ସିଦ୍ଧୁ ।

ଆଉ ସିଦ୍ଧୁଙ୍କୁ ବୁଝାଇବେନି ହାଇକମାଣ୍ଡ ! ମୁଖ୍ୟମନ୍ତ୍ରୀ କହିଲେ, ବସିବା କଥାହେବା । ଅନ୍ୟପଟେ ସିଦ୍ଧୁଙ୍କ ନିଷ୍ପତ୍ତିରେ ଖପ୍ପା ହାଇକମାଣ୍ଡ । ସିଦ୍ଧୁଙ୍କୁ ମନାଇବା ପାଇଁ ପ୍ରଭାରୀ ହରିଶ ରାୱତ ଚଣ୍ଡିଗଡ ଆସିବାର କାର୍ଯ୍ୟକ୍ରମ ନିର୍ଦ୍ଧାରଣ ହୋଇଥିଲେ ବି ଶେଷ ମୁହୂର୍ତ୍ତରେ ଗସ୍ତ ବାତିଲ ହୋଇଛି । ହେଲେ ମୁଖ୍ୟମନ୍ତ୍ରୀ ଚରଣଜିତ, ସିଦ୍ଧୁଙ୍କ ସହ ଫୋନ ଯୋଗେ କଥା ହୋଇ ବିବାଦର ସମାଧାନ କରିବାକୁ ପ୍ରୟାସ କରିଛନ୍ତି । ମାତ୍ର ସିଦ୍ଧୁ ହଠାତ କାହିଁକି ତାଙ୍କ ଉପରେ ଅସନ୍ତୁଷ୍ଟ ହେଲେ, ଗଣମାଧ୍ୟମର ଏହି ପ୍ରଶ୍ନକୁ ଏଡାଇ ଦେଇଛନ୍ତି ଚରଣଜିତ । ଅନ୍ୟପଟେ ସିଦ୍ଧୁଙ୍କୁ ନେଇ ବିରୋଧୀ ବିଜେପି ମଧ୍ୟ ଶାସକ କଂଗ୍ରେସକୁ ବାଣ ମାରିଛି ।

ଅନ୍ୟପଟେ ସିଦ୍ଧୁଙ୍କୁ ବୁଝାଇବା ବଦଳରେ ନୂଆ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ କିଏ ହେବ ସେ ନେଇ ଖୋଜିବା ଆରମ୍ଭ କରିଛି କଂଗ୍ରେସ । ଯାହା ମ୍ୟୁଜିକ ଚେୟାର ଖେଳ ସଦୃଶ ବୋଲି କୁହାଯାଇପାରେ । କୁଲଦୀପ ନାଗରା, ରବନୀତ ସିଂହ ବିଟ୍ଟୁ ଏବେ ଏହି ରେସରେ ରହିଛନ୍ତି । ଆଗାମୀ ବର୍ଷ ପଞ୍ଜାବରେ ଭୋଟ୍ ପଡିବାକୁ ଥିବା ବେଳେ କଂଗ୍ରେସ ନିଜ ଘର ସଜାଡି ନପାରିବା, ୧୦ ଜନପଥ ପାଇଁ ଚିନ୍ତାର କାରଣ ହେଲାଣି ।