ପଖାଳକୁ ନେଇ ବଢିଲା ବିବାଦ । ଓଡି଼ଶାର ସଂସ୍କୃତିପ୍ରେମୀ କହିଲେ, ରସଗୋଲା ପରେ ପଖାଳକୁ ବି ନେଇଯିବ ପଶ୍ଚିମବଙ୍ଗ । 

805

କନକ ବ୍ୟୁରୋ : ପଖାଳକୁ ନେଇ ନୂଆ ବିବାଦ ଦେଖା ଦେଇଛି । ଓଡିଆଙ୍କ ପାରମ୍ପରିକ ଖାଦ୍ୟ ପଖାଳକୁ ଏବେ ବିଶ୍ୱ ଦରବାରରେ ପଶ୍ଚିମବଙ୍ଗର ଖାଦ୍ୟ ବୋଲି ପରିଚୟ ଦିଆଯାଉଛି । ଅଷ୍ଟ୍ରେଲିଆର ଏକ ଟିଭି କାର୍ଯ୍ୟକ୍ରମରେ ପଖାଳକୁ ପଶ୍ଚିମବଙ୍ଗର ଖାଦ୍ୟ ବୋଲି କୁହାଯାଇଛି । ତେଣୁ ରସଗୋଲା ପରେ ଏବେ ପଖାଳ ଉପରେ ପଶ୍ଚିମବଙ୍ଗର ଆଖି ପଡିଥିବା ଚର୍ଚ୍ଚା ହେଇଛି । ତୁରନ୍ତ ଓଡିଶା ସରକାର ଏ ଦିଗରେ ପଦକ୍ଷେପ ନନେଲେ ପଖାଳର ଜିଆଇ ଟ୍ୟାଗ ପଶ୍ଚିମବଙ୍ଗ ହାତେଇନେବା ଆଶଙ୍କା ଦେଖାଦେଇଛି ବୋଲି କହିଛନ୍ତି ସଂସ୍କୃତି ଗବେଷକ ।

ପଖାଳ କଂସା ପାଖରେ ବସିଲେ ମେଂଟିଯାଏ ଭୋକ । ଓଡିଆ ସମାଜ, ପରମ୍ପରା ଓ ସଂସ୍କୃତି ସହ ଜଡିତ ଏହି ପ୍ରିୟ ଖାଦ୍ୟ ପଖାଳକୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ । ପ୍ରଶ୍ନ ଉଠିଛି, ପଖାଳ କାହାର?

ରସଗୋଲା ପରେ ପଖାଳକୁ ନେଇ ବଢିଲା ବିବାଦ । ରସଗୋଲା ଭଳି ପଖାଳକୁ ନିଜର କରିନନେଉ ବଙ୍ଗ! କିଛି ଦିନ ତଳେ ରିଆଲିଟି ଟିଭି ସୋ -ଅଷ୍ଟ୍ରେଲିଆନ ମାଷ୍ଟର ସେଫ୍–ସିଜନ ୧୩ର ଗ୍ରାଣ୍ଡ ଫିନାଲେରେ ବାଂଲାଦେଶୀ ପ୍ରତିଯୋଗୀ କିଶୱାର ଚୌଧୁରୀ ପଖାଳ ଓ ଆଳୁ ଭର୍ତ୍ତା ପ୍ରସ୍ତୁତ କରିଥିଲେ । ହେଲେ ଏହାକୁ ସେ ବଙ୍ଗାଳି ଖାଦ୍ୟ ‘ପାନ୍ତୋ ଭାତ୍’ ବୋଲି କହିଛନ୍ତି । ତେଣୁ ଏବେଠୁ ଓଡିଶା ଉଦ୍ୟମ ନକଲେ ରସଗୋଲା ଭଳି ପଖାଳର ଜିଆଇ ଟ୍ୟାଗ୍ ମଧ୍ୟ ପଶ୍ଚିମବଙ୍ଗକୁ ମିଳିଯିବା ଆଶଙ୍କା ଦେଖାଦେଇଛି ।

ପଖାଳ ଓଡିଶାର ଘରେ ଘରେ ପରିଚିତ ଖାଦ୍ୟ ହୋଇଥିବା ବେଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଠାରେ ମଧ୍ୟ ଲାଗି କରାଯାଇଥାଏ । ଓଡିଶାରେ ପୁରାତନ କାଳରୁ ଚଳି ଆସୁଥିବା ଏହି ପାରମ୍ପରିକ ଖାଦ୍ୟ କିନ୍ତୁ ବିଦେଶରେ ପଶ୍ଚିମବଙ୍ଗର ଖାଦ୍ୟ ବୋଲି ପରିଚୟ ପାଉଛି । କିଛି ଦିନ ତଳେ ଭୁବନେଶ୍ୱର ଏମ୍ସର ଡାକ୍ତର ଗବେଷଣା କରି ପଖାଳ, ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ବୋଲି ରିପୋର୍ଟ ଦେଇଥିଲେ ।