ବିରୋଧ ସତ୍ତ୍ୱେ ଓଡ଼ିଶା ସୀମାନ୍ତ ଗାଁରେ ପଶୁଛି ପଡ଼ୋଶୀ । ଫାଟୁସିନେରୀରେ ବାଣ୍ଟିଲା ଗୃହ ଋଣ, ପେନସନ୍

ସ୍ୱଂୟ ସହାୟକ ଗୋଷ୍ଠୀ ଜରିଆରେ କୋଟିଆବାସୀଙ୍କୁ ଫୁସୁଲାଉଛି ଆନ୍ଧ୍ର

63

କନକ ବ୍ୟୁରୋ : ବାରମ୍ବାର ବିରୋଧ ଓ ତାଗିଦ ସତ୍ତ୍ବେ ମାନୁନାହାନ୍ତି ଆନ୍ଧ୍ର ସରକାରଙ୍କ ଅଧିକାରୀ । କୋଟିଆରେ ଅନୁପ୍ରବେଶ କରି ଅଞ୍ଚଳବାସୀଙ୍କୁ ଆକୃଷ୍ଟ କରି ନିଜ ଆଡ଼କୁ ଟାଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏପରିକି କୋଟିଆ ଗ୍ରାମପୁଞ୍ଜର ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରେ ପ୍ରତିଦିନ ଅନୁପ୍ରବେଶ କରି କିଛି ନା କିଛି ସରକାରୀ ଯୋଜନାର କାର୍ଯ୍ୟକ୍ରମ ଆୟୋଜନ କରି ଲୋଭ ଦେଖାଉଛନ୍ତି । ଏହି କ୍ରମରେ ପୁଣି ଆଜି କୋଟିଆର ଫାଟୁସିନେରୀ ଗ୍ରାମରେ ଆନ୍ଧ୍ର ଅଧିକାରୀ ଵାଇ. ସତ୍ୟମଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚିଥିଲେ ।

ସେଠାରେ ଏକ ବୈଠକ କରି କିଛି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଵାଇଏସ୍‌ଆର୍‌ ଯୋଜନାରେ ଋଣ ପ୍ରଦାନ କରିବା ସହିତ ଦୁଇ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ, ୬ ଜଣଙ୍କୁ ପେନସନ୍ ଓ ୩୩ ଜଣଙ୍କୁ ଗୃହ ଋଣ ପ୍ରଦାନ କରାଯାଇଥିଲା । ଏପରିକି ବାହାରୁ ଋଣ ନ ଆଣିବା ପାଇଁ ମଧ୍ୟ ଏହି ଅଧିକାରୀମାନେ କହିଥିଲେ । ଏଥି ସହ ଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଆନ୍ଧ୍ର ପକ୍ଷରୁ ଯୋଗାଇଦେବା ପାଇଁ ଆଶ୍ବାସନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସଲପଗୁଡ଼ା, ହରମାଣ୍ଡାଙ୍ଗି ଓ ଫଗୁଣସିନେରୀ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ ।

କିଛି ଦିନ ତଳେ କୋଟିଆର ଫଗୁଣସିନେରୀ ଗାଁରେ ଆନ୍ଧ୍ର ପାର୍ବତୀପୁରମ୍ ପିଏ ଆଇଟିଡିଏ ଓ କିଛି ସରକାରୀ ଅଧିକାରୀ ପହଞ୍ଚି ଭୋଜି ଭାତର ଆୟୋଜନ କରିଥିଲେ । ଏହି ଅବସରରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ନିମନ୍ତେ ଜମି ଚିହ୍ନଟ ଚାଲିଥିଲା । ଏ ସମ୍ପର୍କରେ ସୂଚନା ପାଇବା ପରେ ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ସେଠାରେ ପହ଼ଞ୍ଚିଥିଲେ ଓ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶକୁ ବିରୋଧ କରିଥିଲେ। ଉଭୟଙ୍କ ମଧ୍ୟରେ କିଛି ସମୟ ଧରି କଥା କଟାକଟି ଚାଲିଲା । ଶେଷରେ ଘଟଣା ସ୍ଥଳରୁ ଫେରି ଯାଇଥିଲେ ଆନ୍ଧ୍ର ଅଧିକାରୀ ।