ଥମୁନି ବର୍ଷା-ଅନୁଭବ ବିବାଦ : ଫ୍ୟାମିଲି କୋର୍ଟ ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେ ଅନୁଭବ, ବର୍ଷା ଅନୁପସ୍ଥିତ

252

କନକ ବ୍ୟୁରୋ :  କଟକ ସଦର ଏସଡି‌େଜଏମ୍ ଅଦାଲତରେ ଘରୋଇ ହିଂସା ଅଭିଯୋଗ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ରୁଜୁ କରିଥିବା ମାମଲାରେ ଗତକାଲି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ହାଜର ହୋଇଥିଲେ । ବିବାଦର ମଧ୍ୟସ୍ଥତା ମାଧ୍ୟମରେ ସମାଧାନ ସମ୍ଭାବନାକୁ ଦୃଷ୍ଟିରେ ରଖି କଟକ ସଦର ଏସଡିଜେଏମ୍ ବର୍ଷା-ଅନୁଭବଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଧାର୍ଯ୍ୟ ତାରିଖ ଅନୁସାରେ ଗତକାଲି ଅନୁଭବ ଆଇନଜୀବୀଙ୍କ ସହିତ ଜିଲ୍ଲା ଅଦାଲତ ପରିସରରେ ଥିବା ମଧ୍ୟସ୍ଥତା କେନ୍ଦ୍ରରେ ପହଞ୍ଚିଥିଲେ । କିନ୍ତୁ ବର୍ଷା ଆସି ନଥିଲେ। ମଧ୍ୟସ୍ଥତା କେନ୍ଦ୍ରରୁ ଅନୁଭବ ବାହରିବା ପରେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ସେ ବୁଧବାର ଆସିଥିଲେ ଓ ଆଜି ବି ଆସିଛନ୍ତି ।

କିନ୍ତୁ ମାମଲା ରୁଜୁ କରିଥିବା ବର୍ଷା ଆସୁ ନାହାନ୍ତି । ସେ ମାମଲାରେ ଦାଖଲ କରିଥିବା ଜବାବର କପି ଗ୍ରହଣ କରିବାକୁ ବର୍ଷା ଆସୁ ନାହାନ୍ତି । ମଧ୍ୟସ୍ଥତା କେନ୍ଦ୍ରକୁ ବି ବର୍ଷା ଆସୁ ନାହାନ୍ତି । ଯେଉଁ ମଣିଷକୁ ବହୁତ ସମୟ ମିଳୁଛି ସୋସିଆଲ ମିଡିଆରେ ବିଭିନ୍ନ କଥା, ‌ଫଟୋ ପୋଷ୍ଟ କରିବାକୁ, କଣ ତାଙ୍କ ପାଖରେ ୫ ମିନିଟ ମିଳୁନି କୋର୍ଟକୁ ଆସିବାକୁ ବୋଲି ଅନୁଭବ ପ୍ରଶ୍ନ କରିଥିଲେ । ମୁଁ ସବୁ ଦିନ ଆସୁଛି, ମେଡିଏସନକୁ ୭ ମାସ ହେଲାଣି କିଛି ଫଳ ମିଳୁ ନାହିଁ । ମେଡିଏସନ୍ କ୍ଲୋଜ୍ କରିବା ପାଇଁ ଚାରିଥର ଲେଖିକି ଦେଇ ସାରିଲେଣି ବୋଲି ଅନୁଭବ କହିଥିଲେ ।

ଆଜି ହିଁ ମେଡିଏସନ୍ କ୍ଲୋଜ କରି ରିପୋର୍ଟ ପଠାଇବାକୁ ସେ ଅନୁରୋଧ କରିଥିବା ସୂଚନା ଦେଇଥିଲେ। ମଧ୍ୟସ୍ଥତା କେନ୍ଦ୍ର ରିପୋର୍ଟ ଗଲେ ହିଁ ବର୍ଷା ‌ଘରୋଇ ହିଂସାକୁ ନେଇ ରୁଜୁ କରିଥିବା ମାମଲାର ଶୁଣାଣି ଆଗେଇବ । ଯଥା ଶୀଘ୍ର ମାମଲା ସମାଧାନ କରାଯାଉ ବୋଲି ଅନୁଭବ କହିଥିଲେ । ଅନ୍ୟପକ୍ଷରେ ବର୍ଷାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ରାମକୃଷ୍ଣ ରଥ କହିଥିଲେ ବର୍ଷା ଅସୁସ୍ଥ ଥିବାରୁ ଆଜି ମଧ୍ୟସ୍ଥତା କେନ୍ଦ୍ରକୁ ଯାଇ ପାରି ନଥିଲେ। ଆଜି ପରିବାର ଅଦାଲତରେ ବିଚାରାଧୀନ ଥିବା ଛାଡ଼ପତ୍ର ମାମଲା ସହିତ ଘରୋଇ ହିଂସା ମାମଲାର ମଧ୍ୟସ୍ଥତା କେନ୍ଦ୍ରରେ ତାରିଖ ଥିଲା । ବର୍ଷା ଅସୁସ୍ଥତା କାରଣରୁ ଆସି ପାରିବେ ନାହିଁ ବୋଲି ପୂର୍ବରୁ ସେ ମଧ୍ୟସ୍ଥତା କେନ୍ଦ୍ରରେ ଜଣାଇଥିଲେ ।

ଅନୁଭବ ପୂର୍ବରୁ ମଧ୍ୟସ୍ଥତାକୁ ନାହିଁ କରିଥିଲେ । ପୂର୍ବରୁ ଏକାଧକ ଥର ବର୍ଷା ମଧ୍ୟସ୍ଥତା କେନ୍ଦ୍ରକୁ ଆସିଥିବା ବେଳେ ଅନୁଭବ ଆସୁ ନଥିଲେ । ଏବେ କରୋନା କଟକଣା ଯୋଗୁଁ ଅଦାଲତରେ ଜରୁରୀ ମାମଲା ଶୁଣାଣି କରାଯାଉଥିବା ବେଳେ ଅନୁଭବ ମଧ୍ୟସ୍ଥତା କେନ୍ଦ୍ରକୁ ଆସି ବର୍ଷାଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ କରିବା ଉଚିତ ନୁହେଁ ବୋଲି ଶ୍ରୀ ରଥ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ଘରୋଇ ହିଂସା ସଂପର୍କିତ ଏହି ମାମଲାରେ ଉଭୟ ବର୍ଷା-ଅନୁଭବ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇ ନିଜ ମତ ରଖିବା ପରେ କାଉନସେଲରଙ୍କ ପକ୍ଷରୁ ଏ ସଂପର୍କିତ ରିପୋର୍ଟ ଅଦାଲତରେ ଦାଖଲ କରାଯିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଘରୋଇ ହିଂସା ଅଭିଯୋଗ ନେଇ ବର୍ଷା ଦାର କରିଥିବା ମାମଲାରେ ଡିସେମ୍ବର ୧୮ରେ ଅନୁଭବ ବ୍ୟକ୍ତିଗତ ଭାବେ ଅଦାଲତରେ ହାଜର ହୋଇ ଜବାବ ଦାଖଲ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଘରୋଇ ହିଂସା ଅଭିଯୋଗ ଆଣି ବର୍ଷା ଗତ ଅଗଷ୍ଟ ୭ରେ ଏହି ମାମଲା ରୁଜୁ କରିଥିଲେ । ସେପ୍ଟେମ୍ବର ୭ରେ ସୁରକ୍ଷା ଅଧିକାରୀ ଅନୁଭବଙ୍କ ବାସଭବନରେ ପହଞ୍ଚି ବର୍ଷାଙ୍କ ବୟାନ ରେକର୍ଡ କରିଥିଲେ। ସୁରକ୍ଷା ଅଧିକାରୀ ବର୍ଷାଙ୍କୁ କଣ ସବୁ ନିର୍ଦ୍ଦିଷ୍ଟ ଭାବେ ଘରୋଇ ହିଂସା ସଂପର୍କିତ ଅଭିଯୋଗ ରହିଛି ସେ ସଂପର୍କରେ ପଚାରି ବୁଝିଥିଲେ। କେବେଠାରୁ ଏଭଳି ନିର୍ୟାତନାର ଶିକାର ହେଉଛନ୍ତି, କାହା ବିରୋଧରେ ନିର୍ଦ୍ଦିଷ୍ଟ ଭାବେ ତାଙ୍କ ଅଭିଯୋଗ ରହିଛି ସେ ନେଇ ବର୍ଷାଙ୍କୁ ସୁରକ୍ଷା ଅଧିକାରୀ ପଚାରିଥିଲେ । ‌

ଯୌତୁକ ଦାବି ଓ ଅନ୍ୟ ଘରୋଇ ବିବାଦ ପ୍ରସଂଗରେ ବର୍ଷାଙ୍କର କ’ଣ ଅଭିଯୋଗ ରହିଛି ସେ ନେଇ ମଧ୍ୟ ସୁରକ୍ଷା ଅଧିକାରୀ ପଚାରି ବୁଝିବା ସହିତ ନିର୍ଦ୍ଦିଷ୍ଟ ଫର୍ମରେ ଲେଖିଥିଲେ। ଫର୍ମର ଥିବା ୭ଟି ନିର୍ଦ୍ଦିଷ୍ଟ ପ୍ରଶ୍ନ ଓ ଅନ୍ୟ ତଥ୍ୟ ପୂରଣ କରାଯିବା ପରେ ବର୍ଷା ସେଥିରେ ସ୍ବାକ୍ଷର କରିଥିଲେ। ଏହାପରେ ସୁରକ୍ଷା ଅଧିକାରୀ ଏ ସଂପର୍କିତ ରିପୋର୍ଟ ଅଦାଲତରେ ଦାଖଲ କରିଥିଲେ।

ଏହି ମାମଲାରେ ୨୦୨୦, ଅକ୍ଟୋବର ୧୨ରେ ଅଦାଲତ ଅନୁଭବଙ୍କୁ ଜବାବ ରଖିବାକୁ ନୋଟିସ୍ କରିଥିଲେ। ଅନ୍ୟପଟେ ବର୍ଷାଙ୍କ ପକ୍ଷରୁ କଟକ ପରିବାର ଅଦାଲତରେ ତାଙ୍କ ଦାମ୍ପତ୍ୟ ସଂପର୍କର ସୁରକ୍ଷା ଅନୁରୋଧ କରି ଦାୟର ମାମଲା ଓ ଅନୁଭବଙ୍କ ଛାଡପତ୍ର ଆବେଦନ ଏବେ ବିଚାରାଧୀନ ରହିଛି। କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷା ବିଭିନ୍ନ ସଂଗିନ ଅଭିଯୋଗ ଆଣିବା ସହିତ ଭରଣପୋଷଣ ଏବଂ କ୍ଷତିପୂରଣ ବାବଦକୁ ୧୫ କୋଟିରୁ ଅଧିକ ଟଙ୍କା ଦାବି କରି କଟକ ଏସଡିଜେଏମ୍ ଅଦାଲତର ଦ୍ବାରସ୍ଥ ହାଇଥିଲେ। ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ-୨୦୦୫ର ଧାରା ୧୨, ୧୭, ୧୮, ୧୯, ୨୦, ୨୨ ଓ ୨୩ ଅନୁଯାୟୀ ବର୍ଷା ଏହି ମାମଲା ରୁଜୁ କରିଥିଲେ।