କନକ ବ୍ୟୁରୋ: ପୃଷ୍ଟିଯୁକ୍ତ ଚାଉଳ ପାଇଁ ସଚେତନ କରୁନାହାନ୍ତି ସରକାର । ଥାଲାସେମିଆ, ସିକିଲ୍ ସେଲ୍ ରୋଗୀଙ୍କ ପାଇଁ ହୋଇପାରେ ହାନିକାରକ । ଫର୍ଟିଫାଏଡ୍ ରାଇସ୍ ବା ପୃଷ୍ଟିଯୁକ୍ତ ଚାଉଳକୁ ଲୋକେ ପ୍ଲାଷ୍ଟିକ୍ ଚାଉଳ ଭାବି ଅଭିଯୋଗ କରିବା ପରେ ଖାଦ୍ୟ ସୁରକ୍ଷା ଯୋଜନାରେ ବଣ୍ଟା ଯାଉଥିବା ଏହି ଭିଟାମିନ୍ ଯୁକ୍ତ ଚାଉଳକୁ ନେଇ ଆଉ ଏକ ବିବାଦ ସୃଷ୍ଟି ହୋଇଛି । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି, ଫର୍ଟିଫାଏଡ୍ ମିଶ୍ରିତ ପିଡିଏସ୍ ଚାଉଳ, କିଛି ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିପାରେ । ଲୋକଙ୍କୁ ସଚେତନ ନକରି ଲୋକଙ୍କୁ ବିତରଣ କରାଯାଉଥିବାରୁ ସିକିଲ୍ ସେଲ୍, ଥାଲେସେମିଆ ଓ ଫାଇଲେରିଆ ରୋଗୀଙ୍କ ପାଇଁ ହାନିକାରକ । ତାରାଙ୍କ ସହ ସ୍ୱର ମିଳାଇଛନ୍ତି ବିଆରଏସ୍ ନେତା ଶିଶିର ଗମାଙ୍ଗ ।

Advertisment

ନଜର ପକାନ୍ତୁ ଫର୍ଟିଫାଏଡ୍ ରାଇସ୍ ବା ଭିଟାମିନ୍-ଯୁକ୍ତ ଚାଉଳ କ’ଣ?
ଭିଟାମିନ୍ ଅଭାବ ଦୂର ପାଇଁ ପିଡିଏସ୍ ଚାଉଳରେ ଫର୍ଟିଫାଏଡ୍ ରାଇସ୍ ମିଶାଯାଉଛି
ଶିଶୁ ଓ ମହିଳାଙ୍କ ପୁଷ୍ଟିହୀନତା ଦୂର ପାଇଁ ଏହି ଚାଉଳ ଦିଆଯାଏ
ଏଫଏସଏସଏଆଇ ମାନଦଣ୍ଡ ଅନୁସାରେ ୧ କେଜି ସାଧାରଣ ଚାଉଳରେ ୧୦ ଗ୍ରାମ ଭିଟାମିନ୍-ଯୁକ୍ତ ଚାଉଳ ମିଶାଯାଏ
ଏଥିରେ ଲୌହସାର, ଫଲିକ୍ ଏସିଡ ଓ ଭିଟାମିନ୍ ବି-୧୨ ରହିଥାଏ

ତେବେ ଡାକ୍ତରଙ୍କ କହିବା କଥା - ସିକିଲ୍ ସେଲ୍, ଥାଲେସେମିଆ ଓ ଫାଇଲେରିଆ ରୋଗୀଙ୍କ ପାଇଁ ଏହି ଚାଉଳ ଖାଇବା କ୍ଷତିକାରକ ହୋଇପାରେ । ଏହି ରୋଗରେ ଶିକାର ହୋଇଥିବା ରୋଗୀ ଡାକ୍ତରଙ୍କ ପରାମର୍ଶ ନେଇ ପୃଷ୍ଟିଯୁକ୍ତ ଚାଉଳ ଖାଇବା ଉଚିତ ।

ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କୁ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଯୋଜନା ଅନ୍ତର୍ଗତ ଲୋକଙ୍କୁ ପିଡିଏସ୍ ଚାଉଳ ଯୋଗାଇ ଦିଆଯାଉଛି । ଲୋକଙ୍କୁ ପିଡିଏସ୍ ଚାଉଳରେ ସ୍ୱତନ୍ତ୍ର ଫର୍ଟିଫାଏଡ୍ ଚାଉଳ ମିଶାଇ ପିଡିଏସ୍ ଚାଉଳରେ ଯୋଗାଇ ଦିଆଯାଉଛି । ଭିଟାମିନ୍ ଅଭାବ ଦୂର ପାଇଁ ଫର୍ଟିଫାଏଡ୍ ରାଇସ୍ ଦିଆଯାଉଛି । ବିଶେଷ କରି ଶିଶୁ ଓ ମହିଳାଙ୍କ ପୃଷ୍ଟିହୀନତା ଦୂର ପାଇଁ ଏପରି ବ୍ୟବସ୍ଥା ହୋଇଛି ।