ସାମ୍ପ୍ରଦାୟିକ ହିଂସାକୁ ନେଇ ଦିଲ୍ଲୀରେ ତେଜୁଛି ବିବାଦ: ଅଭିଯୁକ୍ତଙ୍କୁ ଧରିବାବେଳେ ପୋଲିସ ଉପରକୁ ପଥର ମାଡ

92

କନକ ବ୍ୟୁରୋ: ଚର୍ଚ୍ଚାର ଦିଲ୍ଲୀ ଜାହାଙ୍ଗିରପୁରୀ ହିଂସା । ଗତ ୧୬ ତାରିଖ ହନୁମାନଜୟନ୍ତି ଅବସରରେ ଆରମ୍ଭ ହୋଇଥିବା ହିଂସା ଥମିବାକୁ ନାଁ ନେଉନାହିଁ । ଶନିବାର ଦଙ୍ଗାରେ ସାମିଲ୍ ହୋଇଥିବା ମହିଳାଙ୍କୁ ପଚରା ଉଚୁରା ପାଇଁ ପୋଲିସ ଧରିବାକୁ ଯାଇଥିବାବେଳେ ପୋଲିସ୍ ଉପରକୁ ହୋଇଛି ପଥର ମାଡ । ଦଙ୍ଗା ଘଟଣାରେ ୨୧ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏବେ ବି ସ୍ଥିତି ନିୟନ୍ତ୍ରଣକୁ ଆସି ନଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଦିଲ୍ଲୀ ଜାହାଙ୍ଗିରପୁରୀରେ ମୁଣ୍ଡ ଟେକିଥିବା ସାମ୍ପ୍ରଦାୟିକ ଦଙ୍ଗା ଥମିବାର ନାଁ ନେଉନାହିଁ । ସୋମବାର ଦଙ୍ଗାରେ ସମ୍ପୃକ୍ତ ଥିବା କିଛି ଅଭିଯୁକ୍ତକୁ ପଚରା-ଉଚୁରା ପାଇଁ ଯାଇଥିବାବେଳେ ପୋଲିସ ଉପରକୁ ଦଙ୍ଗାକାରୀ ପଥର ମାଡ କରିଛନ୍ତି । ଏଥିରେ ଜଣେ ପୋଲିସ୍ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଶନିବାର ହନୁମାନ ଜୟନ୍ତି ଅବସରରେ ଦିଲ୍ଲୀ ଜାହାଙ୍ଗିରପୁରୀରେ ହିଂସା ଦେଖିବାକୁ ମିଳିଥିଲା । ଘଟଣାରେ ଜଣେ ଯୁବକ ସୋନୁ ଗୁଳି ଚାଳନା କରିଥିଲା । ସୋନୁ ଏବେ ଫେରାର ଥିବାବେଳେ ତାଙ୍କର ଜଣେ ସମ୍ପର୍କୀୟ ମହିଳାଙ୍କୁ ପଚରା-ଉଚୁରା ପାଇଁ ପୋଲିସ ଧରିବାକୁ ଯାଇଥିବାବେଳେ ଜାହାଙ୍ଗିରପୁରୀର ମହିଳାମାନେ ପୋଲିସ ଉପରକୁ ପଥର ମାଡ କରିଥିବା ଅଭିଯୋଗ ହୋଇଛି ।

ଶନିବାର ହନୁମାନ ଜୟନ୍ତୀ ଅବସରରେ ଜାହାଙ୍ଗିରପୁରୀରେ ଏକ ଶୋଭାଯାତ୍ରା ଚାଲିଥିବାବେଳେ ହଠାତ୍ ସେଠାରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଧିରେ ଧିରେ ଦୁଇ ଗୋଷ୍ଠି ମଧ୍ୟରେ ବିବାଦ ବଢିବା ସହ ହିଂସାର ରୂପ ନେଇଥିଲା । କୁହାଯାଉଛି ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ନେଇ ହିନ୍ଦୁ ଓ ମୁସଲମାନ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଘଟଣାରେ ଜଣେ ବ୍ୟକ୍ତି ଗୁଳି ଚଳାଇବା ସହ ଦଙ୍ଗାରେ ହିଂସା ସୃଷ୍ଟିକରିବାର ଅଭିଯୋଗ ହୋଇଛି । ତେବେ ଗୁଳି ଚଳାଇଥିବା ବ୍ୟକ୍ତି ଫେରାର ରହିଥିବାବେଳେ ଉକ୍ତ ବ୍ୟକ୍ତିର ସ୍ତ୍ରୀକୁ ପଚରା ଉଚୁରା ପାଇଁ ପୋଲିସ ଉଠେଇ ନେଇଯାଇଛି । ଘଟଣାରେ ୨୧ ଜଣଙ୍କୁ ଗିରଫ କରାଯାଇଛି । ଶନିବାର ଠାରୁ ବର୍ତମାନ ସୁଦ୍ଧା ଏହି ଘଟଣାରେ ୮ ପୋଲିସ କର୍ମଚାରୀଙ୍କ ସହ ୯ ଜଣ ଆହତ ହୋଇ ସାରିଲେଣି ।

ଦିଲ୍ଲୀ ଜାହାଙ୍ଗିରପୁରୀରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାର ତଦନ୍ତ ଦାୟିତ୍ୱ ଏବେ କ୍ରାଇମ୍ବ୍ରାଂଚ୍କୁ ହସ୍ତାନ୍ତର କରାଯାଇଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଅଂସାର ଓ ଅସଲମ୍କୁ ଗିରଫ କରାଯିବା ସହ ପୋଲିସ ରିମାଣ୍ଡରେ ପଠାଇ ଦିଆଯାଇଛି । ଉଭୟ ପୂର୍ବରୁ ମଧ୍ୟ ଏକାଧିକ ଅପରାଧିକ ମାମଲା ସମ୍ପୃକ୍ତ ଥିବା ପୋଲିସ କହିଛି ।