କଂଗ୍ରେସରେ ତୁଟୁନି କଳି । ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ ବେଳେ ଅଧାରୁ ଉଠି ପଳାଇଲେ ବିଧାୟକ ।

132

କନକ ବ୍ୟୁରୋ : କଂଗ୍ରେସ ବୈଠକରେ ବିଧାୟକ ବନାମ ପ୍ରଭାରୀ ଚେଲ୍ଲା କୁମାର । କଂଗ୍ରେସ ଭବନରେ ଚାଲିଥିବା ବୈଠକରେ ୪ ଜଣ ବିଧାୟକ ମଞ୍ଚ ଛାଡି ଚାଲି ଯାଇଥିଲେ । ବିଧାୟକଙ୍କୁ ପ୍ରଥମେ କହିବାର ସୁଯୋଗ ଦିଆନଯିବାରୁ ଏଭଳି ପ୍ରତିବାଦ କରିଥିଲେ । ସେପଟେ ଏହି ଘଟଣାକୁ ଏଡାଇ ଯାଇଥିଲେ ପ୍ରଭାରୀ ।  ଏକତା ହେଲେ ସବୁ କିଛି ସମ୍ଭବ, ସରକାର ଗଢିବା ପାଇଁ ଦଳ ଭିତରେ ଯେଉଁ ଏକତା ଆବଶ୍ୟକ ତାହା କଂଗ୍ରେସ ନେତାଙ୍କ ପାଖରେ ଥିଲା ଭଳି ଲାଗୁନି । କାରଣ ହେଉଛି, ଯେଉଁ ମଞ୍ଚରେ ପ୍ରଭାରୀଙ୍କ ଉପସ୍ଥିତିରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରି ଲୋକଙ୍କୁ ଏକାଠି କରିବାର ବାର୍ତ୍ତା ଦିଆଯାଉଛି, ସେହି ମଞ୍ଚରେ କଂଗ୍ରେସ ନେତାଙ୍କ ମଧ୍ୟରେ ଏକତା ନଥିବା ଦେଖିବାକୁ ମିଳିଛି ।

କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭରୁ ବିବାଦ । ପ୍ରଭାରୀଙ୍କ ସାମ୍ନାରେ ମଞ୍ଚ ଛାଡିଲେ କଂଗ୍ରେସ ବିଧାୟକ । ଓଡିଶା କଂଗ୍ରେସ ଭବନରେ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରି ପୁରୁଣା କଷ୍ଟକୁ ଭୁଲି ନୂଆ ଆରମ୍ଭ କରିବାକୁ ସଂକଳ୍ପ ନେଇଛି ପ୍ରଦେଶ କଂଗ୍ରେସ । ହେଲେ ମଞ୍ଚରେ ପ୍ରଭାରୀଙ୍କ ପୂର୍ବରୁ ବିଧାୟକଙ୍କୁ କହିବାକୁ ସୁଯୋଗ ନଦେବାରୁ ମଞ୍ଚ ଛାଡିଥିଲେ ନେତା । ପ୍ରଭାରୀ ଓ ପିସିସି ସଭାପତିଙ୍କ ଉପସ୍ଥିତିରେ ବିଧାୟକ ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ, ତାରା ବାହିନୀପତି, ସିଏସ ରାଜନ ଏକ୍କା ମଞ୍ଚ ଛାଡି ଚାଲିଯାଇଥିଲେ । ତେବେ ଅନୁରୋଧ କରିବା ପରେ ତାରା ବାହିନୀପତି ମଞ୍ଚକୁ ଆସି ଭାଷଣ ଦେଲେ ଓ ଫାଇଲ ଅପେକ୍ଷା ଫିଲ୍ଡରେ କାମ କରୁଥିବା ନେତାଙ୍କୁ ଗୁରୁତ୍ୱ ଦେବାକୁ ଅନୁରୋଧ କଲେ ।

ପ୍ରଭାରୀ ଚେଲ୍ଲା କୁମାର କଥା କଥାକେ ଦଳୀୟ ଅନୁଶାସନର କଥା କହୁଥିଲେ ମଧ୍ୟ ସଭ୍ୟ ସଂଗ୍ରହ ଅଭିଯାନ ମଞ୍ଚରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ସାଂସଦ ସପ୍ତଗିରି ଉଲ୍ଲାକା ଓ ବିଧାୟକ ତାରାପ୍ରସାଦ ବାହିନୀପତି ଭାଷଣ ଭାଷଣରେ କିଏ ଫିଲ୍ଡ, କିଏ ଫାଇଲ ନେତା ତାହା ବୁଝାଇବାରେ ଲାଗିଥିଲେ ।

ଗୋଟିଏ ପଟେ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରି ଅଧିକରୁ ଅଧିକ ଲୋକଙ୍କୁ କଂଗ୍ରେସ ସହ ଯୋଡିବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ତେବେ ମଞ୍ଚରେ ପତିଆରା ପାଇଁ ନେତାଙ୍କ ମଧ୍ୟରେ ଏହି ମାନ ଅଭିମାନ ଆଗକୁ ପ୍ରଦେଶ କଂଗ୍ରେସ ଉପରେ କି ପ୍ରଭାବ ପକାଇବ ଆଉ ପ୍ରଭାରୀ କଣ ବାର୍ତ୍ତା ଧରି ଦିଲ୍ଲୀ ଯିବେ ତାକୁ ନେଇ କଂଗ୍ରେସ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି ।