କନକ ବ୍ୟୁରୋ: ଲମ୍ବା ପ୍ରତୀକ୍ଷା ପରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ନୂଆ ଟିମ୍ ଗଠନ ହୋଇଛି । ସବୁ ନେତାଙ୍କୁ ଖୁସି କରିବା ଓ ଥଇଥାନ କରିବା ଉଦ୍ଦେଶ୍ୟରେ ଏକ ବିଶାଳ ଟିମ୍ ଗଠନ କରାଯାଇଛି । କିନ୍ତୁ କମିଟି ହେବାର ଦିନକ ପରେ ସାମନାକୁ ଆସିଛି ଦଳ ଭିତରେ କୁହୁଳୁଥିବା ଅସନ୍ତୋଷ । ଦଳର ବରିଷ୍ଠ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଦଳରେ ବରିଷ୍ଠ ଉପସଭାପତି ଦାୟିତ୍ୱ ଦିଆଯାଇଛି, ହେଲେ ରହିବି ନାହିଁ, ଏ କମିଟିରୁ ଇସ୍ତଫା ଦେଇଦେବି । ଖାଲି କିଏ ଖରାପ ଭାବିବ ବୋଲି ଏବେ ଯାଏଁ ଦେଇନାହିଁ । କମିଟିରେ ରହିବାକୁ ଇଛା ନାହିଁ । ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି, ଯାହା ଦଳ ଦାୟିତ୍ୱ ଦେଇଛି ତାକୁ ତୁଲାଇବେ । ଜିଲ୍ଲା ସଭାପତିଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଗଲା ସେଥିପାଇଁ ଖୁସି, କିନ୍ତୁ ଜିଲ୍ଲା ସଭାପତି ପଦରୁ ପରିବର୍ତ୍ତନ କଲେ ଆଗକୁ ଦଳ ପାଇଁ ବଡ ଅସୁବିଧା ହେବ । ତେବେ ତାଲିକାରେ ରହିବାକୁ ସଂଯୋଗବଶତଃ ବୋଲି କହି ହାଲୁକା ଭାବେ ନେଇଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ।

Advertisment

ବରିଷ୍ଠ ନେତାଙ୍କ ଭିତରେ ଅସନ୍ତୋଷକୁ ନେଇ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ୨୦୨୪କୁ ଦୃଷ୍ଟିରେ ରଖି କମିଟି ଗଠନ କରାଯାଇଛି । ଯେଉଁମାନେ ଅସନ୍ତୁଷ୍ଟ ଅଛନ୍ତି, ସେମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବେ ।

ଆଉ କାର୍ଯ୍ୟକାରୀ ସଭାପତି ପଦବୀ ରଖାଯାଇନଥିଲେ ବି ୫ଜଣ ବରିଷ୍ଠ ଉପସଭାପତି, ୧୨ଜଣ ଉପସଭାପତି, ୩୯ ଜଣ ସାଧାରଣ ସମ୍ପାଦକ, ୬୧ ଜଣ ସମ୍ପାଦକ ଓ ୭୦ରୁ ଅଧିକ ସଦସ୍ୟଙ୍କୁ ନେଇ କାର୍ଯ୍ୟକାରୀ କମିଟି ଗଠନ କରିଛି ରାଜ୍ୟ କଂଗ୍ରେସ । ମିଡିଆ ଟିମରେ ମଧ୍ୟ ୨୭ ଜଣଙ୍କୁ ସ୍ଥାନ ଦେଇଛି ଦଳ । ଏହି ଟିମକୁ ନେଇ ଦଳ ୨୦୨୪ ନିର୍ବାଚନ ମଇଦାନକୁ ଓହ୍ଲାଇବ।