ଟିକେଟକୁ ନେଇ ବିଜେପି ଶିବିରରେ ସାରା ରାତି ପାଲା ! ଏକାମ୍ର ଆସନରେ ବାବୁ ସିଂହଙ୍କୁ ପ୍ରାର୍ଥୀ କରିବା ପରେ ତାଲିଲେ ଅମୀୟ ଦାଶଙ୍କ ସମର୍ଥକ ।

270

କନକ ବ୍ୟୁରୋ : ବିଜେପି ୯୯ଟି ଆସନ ପାଇଁ ଟିକେଟ ଘୋଷଣା କରିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଶାୟୀ  । ଖାସ୍ କରି ନିକଟରେ ଦଳରେ ସାମିଲ ହୋଇଥିବା ନେତାଙ୍କୁ ଟିକେଟ ଦେବା ପରେ ଉଗ୍ରରୂପ ନେଇଛି କନ୍ଦଳ । ଭୁବନେଶ୍ୱର ଏକାମ୍ରରେ ବିଜେଡିରୁ ଆସିଥିବା ବାବୁ ସିଂହଙ୍କୁ ଟିକେଟ୍ ମିଳିବା ପରେ ବିରୋଧ କରିଛନ୍ତି ଆଶାୟୀ ଅମୀୟ ଦାସ । ଆନ୍ଦୋଳନକାରୀ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଭଙ୍ଗାରୁଜା କରି ତାଲା ପକାଇବା ପରେ ଧାରଣାରେ ବସିଥିଲେ ।

ଟିକେଟ ଘୋଷଣା ହେଲା । ବିଜେପିରେ ଅସନ୍ତୋଷ ତେଜିଲା । ପାର୍ଟି ଅଫିସରେ ତାଲା ପଡିଲା । ଚାରିଆଡେ ହୋଲି ସେଲିବ୍ରେସନ ଚାଲିଥିବା ବେଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଝୁଲିଥିଲା ତାଲା । ଗତକାଲି ରାତିରେ ହେଲା ଟିକେଟ ଘୋଷଣା । ଆଉ ଏହା ପରେ ଆରମ୍ଭ ହୋଇଗଲା ଅସନ୍ତୁଷ୍ଟଙ୍କ ଭଙ୍ଗାରୁଜା ପ୍ରତିବାଦ । ବିଜେପିର ବରିଷ୍ଠ ନେତା ସମୀର ମହାନ୍ତିଙ୍କ ଘର ସାମନାରେ ଭଙ୍ଗାରୁଜା କରିଥିଲେ ଆଶାୟୀ ନେତାଙ୍କ ଅସନ୍ତୁଷ୍ଟ କର୍ମୀ ।

ସେପଟେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଧାରଣାର ଦୃଶ୍ୟ । ଏହି ପ୍ରତିବାଦ ଥିଲା, ଭୁବନେଶ୍ୱର ଏକାମ୍ର ଆସନରେ ବାବୁ ସିଂହଙ୍କୁ ଟିକେଟ ମିଳିବାକୁ ବିରୋଧ କରି । ପ୍ରଥମେ ବରିଷ୍ଠ ନେତାଙ୍କ ଘରେ ଭଙ୍ଗାରୁଜା କଲେ । ପରେ ଅଫିସରେ ତାଲା ପକାଇ ଧାରଣାରେ ବସି ରହିଥିଲେ । ଭୁବନେଶ୍ୱର ଏକାମ୍ର ଟିକେଟର ପୁନର୍ବିଚାର ଦାବିରେ ଧାରଣାରେ ବସିରହିଥିଲେ ବିଜେପି କର୍ମୀ । ଭୁବନେଶ୍ୱର ଏକାମ୍ର ପାଇଁ ବାବୁ ସିଂହଙ୍କୁ ଟିକେଟ ଦେବା ପରେ ଆଶାୟୀ ଅମୀୟ ଦାଶଙ୍କ ସମର୍ଥକଙ୍କ ବିରୋଧ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସେହିପରି ବଡଚଣା ଆସନରେ ବିଜେପି ଟିକେଟ ଆଶାୟୀ ଉଦୟ ନାଥ ସାହୁ ଟିକେଟ ନପାଇବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଟିକେଟ ବଂଟନ ଠିକ ଠାକ୍ ହୋଇନି ବୋଲି କହିଛନ୍ତି । ଦଳ ପକ୍ଷରୁ ବଡଚଣା ପାଇଁ ଅମର ନାୟକଙ୍କ ନାମ ଘୋଷଣା ହେବାପରେ ବଡଚଣା ବିଜେପିରେ କୁହୁଳୁଥିବା ଅସନ୍ତୋଷ ପଦାକୁ ଆସିଛି । ସେପଟେ ବାସୁଦେବପୁର ଆସନରେ ନିକଟରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ମାଧବାନନ୍ଦ ମଲ୍ଲିକଙ୍କୁ ଟିକେଟ ମିଳିବାକୁ ବିରୋଧ କରିଛନ୍ତି ଟିକେଟ ଆଶାୟୀ ଦୀନବନ୍ଧୁ ପତି । ବିଜେପି ୯୯ଟି ଆସନ ପାଇଁ ବିଜେପିରେ ଟିକେଟ ଘୋଷଣା ହେବା ପରେ ଆଶାୟୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଖାସ୍ କରି ଦଳରେ ନିକଟରେ ସାମିଲ ହୋଇଥିବା ନେତାଙ୍କୁ ଟିକେଟ ଦେବା ପରେ ଉଗ୍ରରୂପ ନେଇଥିଲା କନ୍ଦଳ ।