କରଞ୍ଜିଆ ବିଜେଡିରେ ଗୋଷ୍ଠୀ କନ୍ଦଳ ! ଟିକେଟ ପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ, ରାଜରାସ୍ତାରେ ହେଲା ମାରପିଟ୍ ।

100

କନକ ବ୍ୟୁରୋ : ଆଶାୟୀ ଅନେକ, ଯାହା ବଢାଇଲାଣି ବିଜେଡି ନେତାଙ୍କ ଚିନ୍ତା । କରଞ୍ଜିଆରେ ବିଧାୟିକା ଏବଂ ବ୍ଲକ ଅଧ୍ୟକ୍ଷ ଗୋଷ୍ଠୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଛକାପଞ୍ଝା ମାରପିଟ ଯାଏଁ ପହଞ୍ଚିଲାଣି । ପରସ୍ପର ବିରୋଧରେ ଥାନାରେ ଏଫଆଇଆର ଦିଆଯାଉଛି ଓ ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ନେତାଙ୍କ ନିକଟରେ ଅଭିଯୋଗ ପହଞ୍ଚୁଛି । ଆଗାମୀ ଦିନରେ ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ମନାଇ ବିଜେଡି କେଉଁଭଳି ନିର୍ବାଚନର ସାମ୍ନା କରିବ ତାହା ଦଳ ପାଇଁ ଆହ୍ୱାନ ସୃଷ୍ଟି କଲାଣି ।

କରଞ୍ଜିଆ ବିଜେଡିରେ ଗୋଷ୍ଠୀ କନ୍ଦଳ ! ଟିକେଟ ପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ । ରାସ୍ତା ଉପରେ ବଚସା, କଥା କଟାକଟିରୁ ଧସ୍ତାଧସ୍ତି । ରାଜରାସ୍ତାରେ ବିଜେଡି କର୍ମୀଙ୍କ ମାରପିଟ ଭିଡିଓ ଭାଇରାଲ ହେବାରେ ଲାଗିଛି । ରବିବାର ବିଳମ୍ବିତ ରାତିର ଦୃଶ୍ୟ ପ୍ରମାଣିତ କରୁଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଜେଡିରେ ସବୁ କିଛି ଠିକଠାକ ନାହିଁ । ବିଧାୟିକା ଓ ବ୍ଲକ ଅଧ୍ୟକ୍ଷ ସମର୍ଥକ ଗୋଷ୍ଠୀଙ୍କ ବିବାଦ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ଏନେଇ ତିନି ଦିନରେ ଠାକୁରମୁଣ୍ଡା ଥାନାରେ ଉଭୟ ପକ୍ଷରୁ ପରସ୍ପର ବିରୋଧରେ ୬ଟି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛିି ।

ପଞ୍ଚାୟତ ନିର୍ବାଚନକୁ ହାତ ଗଣତି ଦିନ ଥିବା ବେଳେ କରଞ୍ଜିଆ ବିଜେଡିର ଗୋଷ୍ଠୀ କନ୍ଦଳକୁ ନେଇ ଚର୍ଚ୍ଚା ବଢିଛି । ପୂର୍ବରୁ ଆଠଗଡରେ ଆଉ ଏବେ କରଞ୍ଜିଆରେ ଦଳୀୟ କର୍ମୀଙ୍କ ମଧ୍ୟରେ କନ୍ଦଳ ଦଳର ନେତୃତ୍ୱଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ରବିବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ପରେ ସୋମବାର ଏହାର ସମାଧାନ କରିବାକୁ ବିଧାୟିକାଙ୍କ ସମର୍ଥକ, ବ୍ଲକ ଅଧ୍ୟକ୍ଷଙ୍କୁ ଭେଟିବାକୁ ଯାଇଥିଲେ । ତେବେ ବ୍ଲକ ପରିସରରେ ପୁଣି ଉଭୟ ଗୋଷ୍ଠୀ ହାତାହାତି ହୋଇଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷଙ୍କ ଜଣେ ସମର୍ଥକ ଆହତ ହୋଇଛନ୍ତି । ସେପଟେ ବିଧାୟିକାଙ୍କ ସମର୍ଥକ ବ୍ଲକ ଅଧ୍ୟକ୍ଷଙ୍କ ଗାଡିକୁ ଅଟକାଇ ଭଙ୍ଗାରୁଜା କରିବା ପାଇଁ ଉଦ୍ୟମ କରୁଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । କାହା କ୍ୟାମ୍ପର ସମର୍ଥକଙ୍କୁ ଟିକେଟ ମିଳିବ, ସେନେଇ ଚାଲିଛି ଛକାପଂଝା । ୨୦୧୭ରେ ପଞ୍ଚାୟତ ନିର୍ବାଚନରେ ମୟୁରଭଞ୍ଜରେ ବିଜେଡିକୁ ସବୁଠାରୁ ବଡ ଝଟକା ଲାଗିଥିଲା । ଆଉ ଏହାପରେ ଜିଲ୍ଲାରେ ସଂଗଠନ ସଜାଡିବା ଦାୟିତ୍ୱ ନିଜେ ନେଇଛନ୍ତି ଦଳର ସାଂଗଠନିକ ସମ୍ପାଦକ । ନୂଆ ରଣନୀତି ଆଧାରରେ ପଞ୍ଚାୟତ ନିର୍ବାଚନ ଆଗରୁ ଗୋଷ୍ଠୀ କନ୍ଦଳ ପ୍ରଶମିତ ହେଉଛି କି ନାହିଁ, ତାଉପରେ ନଜର ରହିଛି ।