କନକ ବ୍ୟୁରୋ: ବିଧାନସଭାରେ ବିଧାୟକଙ୍କ ଟ୍ରେନିଂ ଆରମ୍ଭ ପୂର୍ବରୁ ବଢିଛି ବିବାଦ। ଅତିଥି ନିମନ୍ତ୍ରଣକୁ ନେଇ ତୀବ୍ର ଅସନ୍ତୋଷ ଝାଡିଛନ୍ତି ବିରୋଧୀ । ଟ୍ରେନିଂ କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବା, ବିଧାନସଭାର ପରମ୍ପରାକୁ ଭଙ୍ଗ କରୁଛି ଓ ମୁଖ୍ୟମନ୍ତ୍ରୀଙ୍କ ପଦ ମର୍ଯ୍ୟାଦା ହାନି କରୁଛି ବୋଲି ଅଭିଯୋଗ ଆଣି ଦିଗଦର୍ଶନ କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି ବିଜେଡି ଓ କଂଗ୍ରେସ । ଅତିଥି ତାଲିକାରେ ସଂଶୋଧନ ପରେ ମଧ୍ୟ ବିରୋଧୀ ନିଜ ଜିଦରେ ଅଟଳ ରହିଛନ୍ତି।

  • ବିଧାୟକଙ୍କୁ ପ୍ରଶିକ୍ଷଣ ନେଇ ରାଜନୀତି
  • ବିଧାନସଭା ପକ୍ଷରୁ ବଦଳିଲା ନିଷ୍ପତ୍ତି

ବିଧାନସଭା ପକ୍ଷରୁ ଜାରି ହୋଇଛି ୨ଟି କାର୍ଯ୍ୟସୂଚୀ । ପ୍ରଥମ କାର୍ଯ୍ୟସୂଚୀରେ କୁହାଗଲା, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜିଜୁ ସାମିଲ ହୋଇ ବିଧାୟକଙ୍କୁ ଦିଗଦର୍ଶନ ଦେବେ। ଯାହାକୁ ନେଇ ଚିହିଁକି ଉଠିବା ସହ ପୂରା କାର୍ଯ୍ୟକ୍ରମକୁ ବୟକଟ କରିବାକୁ ନିଷ୍ପତ୍ତି ନେଇଥିଲା ବିଜେଡି। ଏହାପରେ ଗତକାଲି ଦ୍ୱିତୀୟ ସଂଶୋଧିତ ଅତିଥି ତାଲିକାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେପି ନଡ୍ଡାଙ୍କୁ ବାଦ୍ ଦିଆଯାଇଥିଲା। ଏହାସତ୍ତ୍ୱେ ମଧ୍ୟ ପ୍ରଶିକ୍ଷଣ ଶିବିରରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ବିରୋଧୀ। ଅନ୍ୟପଟେ ଶାସକ ଦଳ ବିଧାୟକଙ୍କ ଯୁକ୍ତି, ଏହା କୌଣସି ରାଜନୈତିକ କିମ୍ବା ଦଳୀୟ କାର୍ଯ୍ୟକ୍ରମ ନୁହେଁ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୭ ଓ ୧୮ ତାରିଖରେ ନୂଆ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଦଳୀୟ ସ୍ତରରେ କାଦୁଅ ଫିଙ୍ଗା ରାଜନୀତି ଜାରି ରହିଛି।