ରାଜ୍ୟ ଚଳଚିତ୍ର ପୁରସ୍କାରକୁ ନେଇ ତେଜୁଛି ବିବାଦ । ମୌଳିକ କାହାଣୀକୁ ବାଛିବା ବଦଳରେ କପି କରାଯାଇଥିବା ଫିଲ୍ମକୁ ଆୱାର୍ଡ ମିଳିବାକୁ ନେଇ ଉଠିଲା ପ୍ରଶ୍ନ

250

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଚଳଚ୍ଚିତ୍ର ଓ ଟେଲି ଫିଲ୍ମ ପୁରସ୍କାରରେ ପାତର ଅନ୍ତର ଅଭିଯୋଗ । ମୌଳିକ କାହାଣୀକୁ ଅଣଦେଖା କରି କପି ଫିଲ୍ମକୁ ପୁରସ୍କାର ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ଉଭୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ଟେଲି ଫିଲ୍ମ ଆସୋସିଏସନ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଗତ ୫ ତାରିଖରେ ରାଜ୍ୟ ସରକାର ୨୦୧୯-୨୦ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଥିଲେ । କାଲିର ଅତୀତକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଦିଆଯାଇଥିବା ବେଳେ ଶଲା ବୁଢାର ବଦଲାକୁ ଯେପରି ସମ୍ମାନ ଦେବା କଥା ସେମିତି ଦିଆଯାଇନଥିବା ଅଭିଯୋଗ କରିଛନ୍ତି ବିଶିଷ୍ଟ ଚଳଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର । ସେହିପରି ଫିଲ୍ମ ପ୍ରଯୋଜକ ବବି ଇସଲାମ କହିଛନ୍ତି, ମୌଳିକ କାହାଣୀ ଉପରେ ଆଧାରିତ ଫିଲ୍ମକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ପଞ୍ଜାବ ଏବଂ କୋରିଆନ ଫିଲ୍ମର କପିକୁ ଗୁରୁତ୍ୱ ଦିଆଯାଇଛି । ବହୁଚର୍ଚ୍ଚିତ ଛବିରାଣୀ ଗଣଦୁଷ୍କର୍ମକୁ ନେଇ ଫିଲ୍ମ ତିଆରି ହୋଇଥିବା ବେଳେ ଏହାକୁ କାହିଁକି ପୁରସ୍କାର ପାଇଁ ଚୟନ କରାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ତାଙ୍କ ଫିଲ୍ନକୁ ନେଇ ପୁନର୍ବିଚାର ନହୁଏ ତାହେଲେ ସେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

  • ଟେଲି ଫିଲ୍ମ ଚୟନକୁ ନେଇ ମଧ୍ୟ ବିବାଦ
  • ହଲରେ ରିଲିଜ ହୋଇଥିବା ଫିଲ୍ମ କେମିତି ଟେଲି ଫିଲ୍ମରେ ହେଲା ସାମିଲ?
  • ୭ ସଦସ୍ୟ ପରିବର୍ତ୍ତେ ଜୁରୀରେ କାହିଁକି ରହିଲେ ୫ ଜଣ?

ଏଭଳି କିଛି ଅଭିଯୋଗ ଆଣି ଓଡିଶା ଟେଲି ଆକ୍ଟର୍ସ ଆସୋସିଏସନ ପ୍ରତିବାଦ କରିଛି । ସିନେମା ହଲରେ ରିଲିଜ ହୋଇଥିବା ଫିଲ୍ମ କେମିତି ଟେଲି ଫିଲ୍ମରେ ସାମିଲ ହେଲା ସେ ନେଇ ସଂଘ ପ୍ରଶ୍ନ ଉଠାଇଛି । ଟେଲି ଫିଲ୍ମର ଅବଧି ୪୫ ମିନିଟ୍ ରହିବା କଥା କିନ୍ତୁ ୨ ଘଣ୍ଟାରୁ ଅଧିକ ଅବଧିର ଫିଲ୍ମକୁ କିପରି ବଛାଗଲା ବୋଲି ପ୍ରଶ୍ନ ଉଠାଇଛି ସଂଘ । ଏହାଛଡ଼ା ଜୁରୀରେ ୭ ଜଣ ସଦସ୍ୟ ରହି ଆସୁଥିବା ବେଳେ ୫ ଜଣ କେମିତି ରହିଲେ ବୋଲି ମଧ୍ୟ ସଂଘ ପ୍ରଶ୍ନ ଉଠାଇଛି ।