କନକ ବ୍ୟୁରୋ: ଦୀଘ ର୍ବର୍ଷ ପରେ ନିର୍ବାଚନ ହୋଇଥିବାରୁ ଚର୍ଚ୍ଚାରେ ଥିବା ଭୁବନେଶ୍ୱର କ୍ଲବର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ନେଇ ଉଠିଛି ପ୍ରଶ୍ନ । ସରକାରୀ ଚାକିରିରେ ଥାଇ କିଭଳି ପ୍ରାଇଭେଟ ଲିମିଟେଡ୍ କମ୍ପାନୀ ଭାବେ ପଞ୍ଜୀକରଣ ହୋଇଥିବା ଭୁବନେଶ୍ୱର କ୍ଲବର ଦାୟିତ୍ୱରେ ରହିବେ, ସେନେଇ ବିବାଦ ମୁଣ୍ଡଟେକିଛି ।
ଚଳିତ ନିର୍ବାଚନରେ ଭୁବନେଶ୍ୱର କ୍ଲବର ନବ ନିର୍ବାଚିତ ସଭାପତି ହୋଇଛନ୍ତି ଅସିତ୍ ତ୍ରିପାଠୀ । ଭୁବନେଶ୍ୱର ଗଲଫ କ୍ଲବ ସହ ରାଜ୍ୟ ଆଇଏଏସ ଅଫିସର୍ସ ଆସୋସିଏନସର ପରାମର୍ଶଦାତା ଦାୟିତ୍ୱରେ ଅଛନ୍ତି ଅସିତ୍ । ସେହିଭଳି ଅବସର ପରେ ସରକାର ତାଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ଦାୟିତ୍ୱ ଦେଇଛନ୍ତି । ତେଣୁ ପ୍ରଶ୍ନ ଉଠିଛି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସଂପୃକ୍ତ ଅସିତ୍ କିଭଳି କ୍ଲବର ଦାୟିତ୍ୱରେ ରହିବେ? ସରକାର ତାଙ୍କୁ ଦେଇଥିବା ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ପାରିବେ ତ?
ସେହିପରି ୧୯୯୬ ବ୍ୟାଚର ଆଇଏଏସ ଅଧିକାରୀ ବିଶାଲ ଦେବ ରାଜ୍ୟ ଅର୍ଥ ବିଭାଗ ଦାୟିତ୍ୱରେ ଅଛନ୍ତି । ଭୁବନେଶ୍ୱର କ୍ଲବ ପାଇଁ ହୋଇଥିବା ନିର୍ବାଚନରେ ସେ ସମ୍ପାଦକ ଭାବେ ଜିତିଛନ୍ତି । ଯିଏ ରାଜ୍ୟର ହିସାବ କିତାବ୍ କରି ଆର୍ଥିକ ବର୍ଷ ପାଇଁ ବଜେଟ ତିଆରି କରନ୍ତି ସେ କିଭଳି କ୍ଲବର ଦାୟିତ୍ୱରେ ରହି ଆର୍ଥିକ କାରବାର କଥା ବୁଝିବେ, ସେନେଇ ବିବାଦ ମୁଣ୍ଡ ଟେକିଛି ।
ସରକାରୀ ଅଧିକାରୀଙ୍କ ପାଇଁ ଥିବା ରୁଲ୍ ବୁକ୍ର ଧାରା ୧୩ ଅନୁସାରେ, ସରକାରଙ୍କ ଅନୁମତି ବିନା କୈାଣସି ବି ଅଧିକାରୀ ବେସରକାରୀ ଅନୁଷ୍ଠାନ ସହ ବାଣିଜ୍ୟ କିମ୍ବା ରୋଜଗାର ସମ୍ବନ୍ଧୀୟ କାର୍ଯ୍ୟରେ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବେ ସାମିଲ ହୋଇପାରିବେ ନାହିଁ । ଏପରିକି ନିର୍ବାଚନରେ ସାମିଲ ହେବା ଓ ପଦପଦବୀ ପାଇବା ଭଳି କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲାଗିଛି । ହେଲେ ଭୁବନେଶ୍ୱର କ୍ଲବ ନିର୍ବାଚନ ପରିପ୍ରେକ୍ଷୀରେ କଣ ଘଟିଛି ଏବଂ କିଭଳି ସରକାରୀ ପଦବୀରେ ଥାଇ ଏକ ପ୍ରାଇଭେଟ ଲିମିଟେଡ କମ୍ପାନୀରେ ଦାୟିତ୍ୱ ତୁଲାଇବେ ସେନେଇ ପ୍ରଶ୍ନ ଉଠିଛି ।
ଜାନୁଆରୀ ୧୫, ୧୯୫୦ରେ ଭୁବନେଶ୍ୱର କ୍ଲବ କମ୍ପାନୀ ଆକ୍ଟ ଅଧୀନରେ ପଞ୍ଜୀକୃତ ହୋଇଛି । ବ୍ୟବସାୟିକ ଦିଗକୁ ଆଖି ଆଗରେ ରଖି କାମ କରୁଥିବା ଏହି କ୍ଲବ ୧୫ ବର୍ଷ ତଳେ ସୁନ୍ଦରଗଡ ଖଣ୍ଡାଧାର ଖଣିର ଲାଇସେନ୍ସ ପାଇବା ପାଇଁ ବିଧିବଦ୍ଧ ଭାବେ ଆବେଦନ କରିଥିଲା । ବର୍ତମାନ ପ୍ରଶ୍ନ ଉଠୁଛି, ଯିଏ ସରକାରଙ୍କ ନିଷ୍ପତ୍ତି ଗ୍ରହଣ କରିବା ପ୍ରକ୍ରିୟାକୁ ପ୍ରଭାବିତ କରିବାର କ୍ଷମତା ରଖୁଛି, ସେହି ବ୍ୟକ୍ତି ଯଦି ଏପଟେ ସରକାରଙ୍କ ନିକଟରୁ ଲାଭ ହାସଲ କରିବା ପାଇଁ ଆବେଦନ କରିବ, ତାହେଲେ ନିରପେକ୍ଷତା କେଉଁଠି ରହିବ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/21-40.jpg)