କାହାକୁ ଦିଆଯିବନି ମହାବିଦ୍ୟାଳୟ ଜମି ? ସୁନ୍ଦରଗଡ ସରକାରୀ କଲେଜ ଜମିକୁ ନେଇ ସରକାରଙ୍କ ଚିଠି ପରେ ବଢୁଛି ବିବାଦ ।

141

କନକ ବ୍ୟୁରୋ : ସରକାରଙ୍କ ଚିଠି ପରେ ବଢିଲା ସରକାରୀ ମହାବିଦ୍ୟାଳୟ ଜମି ବିବାଦ । ସୁନ୍ଦରଗଡର ସୁନାମ ଧନ୍ୟ ଏବଂ ପୁରାତନ ସରକାରୀ ମହାବିଦ୍ୟାଳୟର ଜମିକୁ ନେଇ ଦେଖାଦେଇଛି ବିବାଦ । ୨୨୦ ଏକରରୁ ଅଧିକ ଜମି ଏହି କଲେଜର ରହିଥିବା ବେଳେ ଜବରଦଖଲ ଏବଂ ବିଭିନ୍ନ ପ୍ରକଳ୍ପ ହେବା ଦ୍ୱାରା ଏବେ କଲେଜ ପାଖରେ ଅଛି ମାତ୍ର ଆଉ ୧୫୪ ଏକର । ଏପରି କ୍ଷେତ୍ରରେ ରାଜ୍ୟ ସରାକରଙ୍କ ଗୃହ ଉନ୍ନୟନ ବିଭାଗ ବସ୍ତିବାସିନ୍ଦାଙ୍କୁ ଥଇଥାନ ପାଇଁ କଲେଜର ଜମି ଦେବାକୁ ନେଇ ଚିଠି କରିବା ପରେ ଅସନ୍ତୋଷ ବଢୁଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ପୁରାତନ ଛାତ୍ର ବିରୋଧ କରୁଛନ୍ତି । ସେପଟେ ଜିଲ୍ଲାପାଳ କହିଛନ୍ତି, ଉଭୟପକ୍ଷଙ୍କୁ ଦୃଷ୍ଟିରେ ରଖି ସମାଧାନର ବାଟ ବାହାର କରାଯିବ ।

ବସ୍ତିବାସିନ୍ଦାଙ୍କୁ ଦିଆଯିବ ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟର ଜମି । ରାଜ୍ୟ ସରକାରଙ୍କ ପକ୍ଷରୁ ଏମିତି ଚିଠି ଆସିବା ପରେ ତାତି ଉଠିଛନ୍ତି ପୁରାତନ ଛାତ୍ର । ୧୯୫୮ରେ ଭିତିପ୍ରସ୍ତର ସ୍ଥାପନ ହେବା ବେଳେ କଲେଜ ପାଖରେ ଥିଲା ୨୨୦ ଏକର ଜମି । ୬୬ ଏକର ଜମି ଜବରଦଖଲରେ ଥିବା ବେଳେ କଲେଜ ଖାତାରେ ଅଛି ୧୫୪ ଏକର ଜମିି । ଆଗକୁ ଏହି କଲେଜକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବା ପାଇଁ ଯୋଜନା କରୁଛନ୍ତି ସରକାର । ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ କରିବା ଉଦ୍ଦେଶ୍ୟରେ କଲେଜ ଜମିକୁ ବସ୍ତି ବାସିନ୍ଦାଙ୍କୁ ଦେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ଶିକ୍ଷା ବିଭାଗ । ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛି ପୁରାତନ ଛାତ୍ର ସଂସଦ ।

ଉଚ୍ଚଶିକ୍ଷା ବିଭାଗ ଯୁଗ୍ମସଚିବ ଶ୍ରୀମତି ସ୍ନିଗ୍ଧା ଚମ୍ପତିରାୟ, ଜିଲ୍ଲାପାଳଙ୍କୁ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି, ସରକାରୀ ମହାବିଦ୍ୟାଳୟର ଜମି ପରିମାଣ କେତେ ? ଜମିରୁ ଜବରଦଖଲ ହଟାଇ ୨୦ଟି ପରିବାରକୁ ଥଇଥାନ ପାଇଁ ଜମି ଚିହ୍ନଟ କରି ରିପୋର୍ଟ ଦିଅନ୍ତୁ । ଅନ୍ୟପଟେ ଗୃହ ଏବଂ ସହର ଉନ୍ନୟନ ବିଭାଗ ମୁଖ୍ୟ ସଚିବ, ଉଚ୍ଚଶିକ୍ଷା ବିଭାଗକୁ ଦେଇଥିବା ଚିଠିରେ ଆଉ କିଛି ଲେଖିଛନ୍ତି । ସେ ଲେଖିଛନ୍ତି, ମହାବିଦ୍ୟାଳୟର ଜମି ବସ୍ତି ବାସିନ୍ଦାଙ୍କୁ ହସ୍ତାନ୍ତର କରାଯାଉ । ଏହାରି ଭିତରେ କଲେଜ ଜମିକୁ ନେଇ ବିବାଦ ବଢୁଛି । ସେପଟେ ଜିଲ୍ଲାପାଳ କହିଛନ୍ତି, ବିଭାଗର ଚିଠି ପାଇଲା ପରେ ଉତ୍ତର ଦିଆଯାଇଛି । ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ । କଲେଜ ଜମିରେ ରହୁଥିବା ବସ୍ତିବାସିନ୍ଦା ଥଇଥାନ ପାଇଁ ଚେଷ୍ଟା କରୁଥିବା ବେଳେ ଦୁଇଟି ବିଭାଗର ଦୁଇଟି ଚିଠି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।