କେବେ ସ୍ୱାଧୀନ ହୋଇଥିଲା ଦେଶ: କଙ୍ଗନାଙ୍କ ବୟାନକୁ ନେଇ ବଢ଼ିଲା ବିବାଦ

108

କନକ ବ୍ୟୁରୋ: ବିଜେପିର ଗୁଣଗାନ କରୁଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ମୋଦୀ ସରକାରର ପ୍ରଶଂସା କରିବା ପାଇଁ କିଛି ଏପରି ବୟାନ ଦେଇଦେଲେ ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ଏକ କାର୍ଯ୍ୟକ୍ରମରେ କଙ୍ଗନା କହିଛନ୍ତି ୧୯୪୭ରେ ଭାରତକୁ ଯେଉଁ ସ୍ୱାଧିନତା ମିଳିଥିଲା ତାହା ଭିକ୍ଷା ସଦୃଶ, ପ୍ରକୃତ ସ୍ୱାଧିନତା ତ ୨୦୧୪ରେ ମିଳିଛି । ଏହାକୁ ନେଇ ସୋସିଆଲ ମିଡିଆରେ ସମାଲୋଚନାର ଶୀକାର ହୋଇଛନ୍ତି କଙ୍ଗନା । ଏଭଳି ଚିନ୍ତାଧାରା ପାଗଳାମି ନା ଦେଶଦ୍ରୋହ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ ।

ନିକଟରେ ପଦ୍ମଶ୍ରୀ ପୁରସ୍କାର ପାଇଥିବା ଏହି ବଲିଉଡ ଅଭିନେତ୍ରୀଙ୍କ ମନ୍ତବ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଟାଇମ୍ସ ନାଓ ସମିଟ୍ରେ କଙ୍ଗନା କହିଛନ୍ତି, ୧୯୪୭ରେ ଯେଉଁ ସ୍ୱାଧିନତା ମିଳିଥିଲା, ତାହା ଭିକ୍ଷା ମିଳିବା ପରି, ପ୍ରକୃତ ସ୍ୱାଧିନତା ମିଳିଥିଲା ୨୦୧୪ରେ । ପ୍ରକୃତରେ କଙ୍ଗନା, ମୋଦୀ ସରକାର କ୍ଷମତାରେ ଆସିବାକୁ ଇଂଗିତ ଦେଉଥିଲେ ।

କଙ୍ଗନାଙ୍କ ଏଭଳି ବୟାନବାଜି ପରେ ଆମ ଆଦମୀ ପାର୍ଟିର ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ମୁମ୍ବାଇ ପୋଲିସ ନିକଟରେ ଏଫଆଇଆର ଦେଇଛନ୍ତି । ଏଥିରେ ସେ କହିଛନ୍ତି, ତାଙ୍କର ଏଭଳି ମନ୍ତବ୍ୟ ଏକ ଦେଶଦ୍ରୋହୀ କାମ ଓ ତାଙ୍କ ବିରୋଧରେ ଆପିସିର ୫୦୪, ୫୦୫ ଓ ୧୨୪-ଏ ଧାରା ଲଗାଇବା ପାଇଁ ଦାବି କରିଛନ୍ତି ।

ବିଜେପି ସାଂସଦ ବରୁଣ ଗାନ୍ଧୀ କଡା ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଏହାଦ୍ୱାରା କଙ୍ଗନା ରଣାୱତ, ମହାତ୍ମା ଗାନ୍ଧୀଙ୍କ ବଳିଦାନ, ମଙ୍ଗଳ ପାଣ୍ଡେ, ରାଣୀ ଲକ୍ଷ୍ମୀବାଈ, ଭଗତ ସିଂହ, ଚନ୍ଦ୍ରଶେଖର ଆଜାଦ ଓ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ମହାନ ନେତାଙ୍କ ବଳିଦାନକୁ ଅବଜ୍ଞା କରିଛନ୍ତି । ଏହାକୁ ସେ ପାଗଳାମୀ କହିବେ ନା ଦେଶଦ୍ରୋହ କହିବେ, ସେନେଇ ପ୍ରଶ୍ନ ଉଠାଇଛନ୍ତି । ସେପଟେ ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି, ନିଜ ମାଲିକକୁ ଖୁସି କରିବା ପାଇଁ ଏହି ବଲିଉଡ ଅଭିନେତ୍ରୀ, ମହାନ ସ୍ୱାଧିନତା ସଂଗ୍ରାମୀଙ୍କର ବଳିଦାନକୁ ବଳି ପକାଇ ଦେଇଛନ୍ତି ।.. ନିଜର ଏଭଳି ବିବାଦୀୟ ବୟାନ ପାଇଁ ସୋସିଆଲ ମିଡିଆରେ ସମାଲୋଚନାର ଶୀକାର ହୋଇଛନ୍ତି କଙ୍ଗନା ।