କନକ ବ୍ୟୁରୋ: ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ନେଇ ବଢ଼ିଲା ବିବାଦ। ଏହା ଦଳୀୟ କାର୍ଯ୍ୟକ୍ରମ କହି ବୟକଟ କରିବାକୁ ଘୋଷଣା କରିଛି ବିଜେଡି । ଜବାବ ରଖି ସଂସଦୀୟ ମନ୍ତ୍ରୀ କହିଛନ୍ତି, ସବୁ ଦଳର ଅଭିଜ୍ଞମାନେ ଦେବେ ତାଲିମ । ତେବେ କେମିତି ଏହା ଦଳୀୟ କାର୍ଯ୍ୟକ୍ରମ ହେଲା ବୋଲି ପ୍ରଶ୍ନ କରିଛନ୍ତି ।

Advertisment

ଆସନ୍ତା ୧୭ ଓ ୧୮ ତାରିଖ ଦୁଇଦିନ ରାଜ୍ୟର ବିଧାୟକଙ୍କୁ ତାଲିମ ଦେବାକୁ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଓ କିରଣ ରିଜିଜୁ । ଏଥିସହ କାର୍ଯ୍ୟକ୍ରମରେ ସାମିଲ ହେବେ ରାଜ୍ୟସଭା ଉପାଧକ୍ଷ ହରିବଂଶ ନାରାୟଣ ସିଂ ଏବଂ ରାଜ୍ୟର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ । ପାର୍ଲାମେଂଟ ଅଧିବେଶନ ବେଳେ ଏମାନେ ଯେଉଁସବୁ ଅଭିଜ୍ଞତା ପାଇଛନ୍ତି ତାହା ବିଧାୟକଙ୍କ ମଧ୍ୟରେ ବାଂଟିବେ । ତେବେ ଏହି କାର୍ଯ୍ୟକ୍ରମକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଦଳୀୟ କାର୍ଯ୍ୟକ୍ରମ କହି ପ୍ରଶିକ୍ଷଣ ଶିବିରକୁ ବୟକଟ କରିବ ବୋଲି କହିଛି ବିଜେଡି । ଜବାବରେ ବିଜେପି କହିଛି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ତାଲିମ ଶିବିର ଆୟୋଜିତ ହେବ ।

ଓଡିଶାରୁ କେନ୍ଦ୍ରମନ୍ତ୍ରୀ ଥିବା ଦୁଇ ନେତା କାହିଁକି ପ୍ରଶିକ୍ଷଣ ଦେବେ ବୋଲି ବିଜେଡି ପ୍ରଶ୍ନ ଉଠାଇଥିବାବେଳେ, ବିଜେପି କହିଛି, ଅତିଥି ଭାବେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏବଂ ଅନ୍ୟ ମନ୍ତ୍ରୀମାଙ୍କୁ ଡକାଯାଇଛି । ରାଜ୍ୟର ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଫୁଲ୍ଲ ଘଡେଇ ଏବଂ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ବିଧାୟକଙ୍କୁ ପ୍ରଶିକ୍ଷଶ ଦେବେ । ଏହା ଦଳୀୟ କାର୍ୟ୍ୟକ୍ରମ କେମିତି ହେଲା ? ବୋଲି ପ୍ରଶ୍ନ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।

ବିଧାନସଭାର ମୋଟ ୧୪୭ ବିଧାୟକଙ୍କ ମଧ୍ୟରୁ ୮୪ ହେଉଛନ୍ତି ନୂଆ ବିଧାୟକ । ଅନେକ ଅଭିଜ୍ଞ ବିଧାୟକ ବିଜେଡିର ଥିବାବେଳେ ଅଧିକ ନୂଆ ବିଧାୟକ ହେଉଛନ୍ତି ବିଜେପିର । ବିଧାନସଭାରେ ବିଜେପିର ୫୪ ନୂଆ ବିଧାୟକ, ବିଜେଡିର ୧୮ ନୂଆ ବିଧାୟକ, କଂଗ୍ରେସର ୯ ନୂଆ ବିଧାୟକ ଓ ୩ ନୂଆ ସ୍ୱାଧୀନ ବିଧାୟକ ଅଛନ୍ତି ।