ବଦଳି ପରେ ବି ପିଛା ଛାଡୁନି ବିବାଦ! କଂଗ୍ରେସର ଅଭିଯୋଗ, ଯୋଗାଣ ଅଧିକାରୀ ଓ ମିଲରଙ୍କ ଠାରୁ ଲାଞ୍ଚ ନେଉଥିଲେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ।

133

କନକ ବ୍ୟୁରୋ: ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବଦଳି ପରେ ଏବେ ମାଲକାନଗିରି ଜିଲ୍ଲାରେ ଦୁର୍ନୀତିର ପେଡି ଖୋଲିବାରେ ଲାଗିଛି । ମନୀଷ ଅଗ୍ରୱାଲ ବିଭିନ୍ନ ଅଧିକାରୀଙ୍କ ଜରିଆରେ ମୋଟା ଟଙ୍କା ଆଦାୟ ହୋଉ ଥିବା କଥା ମଧ୍ୟ ସାମନାକୁ ଆସିଛି । ଯୋଗାଣ ବିଭିଗର ଅଧିକାରୀଙ୍କ ଜରିଆରେ ମଣ୍ଡି ଦଲାଲ ଓ ମିଲରଙ୍କ ଠାରୁ ମୋଟା ଅଙ୍କ ଆଦାୟ କରାଯାଉଥିବା ଅଭିଯୋଗ କରିଛି କଂଗ୍ରେସ ଦଳ । ଜଣେ ଯୋଗାଣ ଅଧିକାରୀ କିପରି ଦଲାଲମାନଙ୍କ ସହ ଆଲୋଚନା କରି ପୁରୁଣା ମାମଲାକୁ ରଫାଦଫା କରିବା ଲାଗି ବଡ ମୁଣ୍ଡକୁ ଟଙ୍କା ଦେବା କଥା କହୁଛନ୍ତି । ସେଇ ଅଡିଓ ଟେପକୁ ଭିତି କରି ଭିଜିଲାନ୍ସରେ ଏକ ମାମଲା ଦାୟର କରିଛି କଂଗ୍ରେସ ।

ଥମୁନି ମନୀଷ ଅଗ୍ରୱାଲଙ୍କ ଅଡୁଆ । ପୂର୍ବତନ ଜିଲ୍ଲାପାଳଙ୍କ ନାଁରେ ଆଉ ଏକ ଅଭିଯୋଗ ଫର୍ଦ୍ଦ ଯୋଡିଛି କଂଗ୍ରେସ । ସରକାରୀ ବାବୁଙ୍କ ଠାରୁ ମୋଟା ଅଙ୍କର ଲାଂଚ ନେଉଥିଲେ ମନୀଷ ଅଗ୍ରୱାଲ ! ଯୋଗାଣ ଅଧିକାରୀ ଓ ମିଲରଙ୍କ ଠାରୁ ନେଉଥିଲେ ଲାଂଚ ! ପୂର୍ବତନ ଜିଲ୍ଲାପାଳଙ୍କୁ ଟଙ୍କା ଯୋଗାଉ ଥିଲେ ଏସିଏସଓ ମନୋଜ ପ୍ରଧାନ ! ଏପରି କିଛି ଅଭିଯୋଗ କରି ଭିଜିଲାନ୍ସର ଦ୍ୱାରସ୍ତ ହୋଇଛି କଂଗ୍ରେସ ।

ଗତ ୧୪ ଫେବୃଆରିରେ ମାଲାକନଗିରି ମଣ୍ଡିରେ ଦଲାଲ ଭାଗ ଛିଡାଉ ଥିବା ଭିଡିଓ ସାମ୍ନାକୁ ଆସିଥିଲା । ଯୋଗାଣ ବିଭାଗର ଅଭିଯୋଗ କ୍ରମେ ଆନନ୍ଦ ମାଲାକାର, ପଦିଆ କୱାସୀ, ଇନ୍ଦ୍ର ପଣ୍ଡା ଓ ଅନ୍ୟ ଦଲାଲଙ୍କ ନାଁରେ ମାମଲା ରୁଜୁ କରିଥିଲା ପୁଲିସ । ସେଇ ମାମଲାକୁ ରଫାଦଫା କରିବା ଲାଗି ଡିଲ ହେଉଥିବା ଆଉ ଏକ ଅଡିଓ ଏବେ ସାମନାକୁ ଆସିଛି । ପୂର୍ବତନ ଭାରପ୍ରାପ୍ତ ସିଏସ୍ଓ ତଥା ଏବେର ଏସିଏସ୍ଓ ମନୋଜ ପ୍ରଧାନ ଏହି ଅଡିଓରେ ଦଲାଲମାନଙ୍କ ସହ ମୁଲଚାଲ କରୁଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳ ମନିଷ ଅଗ୍ରୱାଲ, ଉପ ଜିଲ୍ଲାପାଳ, ବିଧାୟକ, ନେତାଙ୍କୁ କେମିତି ମ୍ୟାନେଜ କରାଯିବ ସେନେଇ ଦଲାଲଙ୍କୁ ପରାମର୍ଶ ଦେଉଛନ୍ତି ବାବୁ ମନୋଜ ।

ତେବେ ପ୍ରଶ୍ନ ଉଠୁଛି, ଯେଉଁ ଦଲାଲମାନେ ମଣ୍ଡି ଟଙ୍କା ହଡପ କରି ଧରା ପଡିଥିଲେ, ସେମାନଙ୍କ ସହ କାହିଁକି ସଲାସୁତରା କରୁଥିଲେ ଏସିଏସଓ ମନୋଜ ପ୍ରଧାନ? ସତରେ କ’ଣ ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ କଲେକ୍ସନ ମାଷ୍ଟର ଥିଲେ ମନୋଜ? ବ୍ରହ୍ମପୁର ସମେତ ଭବାନୀପାଟଣା ଓ ଜୟପୁର ଭିଜିଲାନ୍ସ କୋର୍ଟରେ ତାଙ୍କ ନାଁରେ ରହିଛି ୩ ଟି ମାମଲା । ମାଲକାନଗିରିରେ ବି ବହୁ ଦୁର୍ନୀତି ଅଭିଯୋଗ ରହିଛି । ତଥାପି ପୂର୍ବତନ ଜିଲ୍ଲାପାଳ କାହିଁକି ମନୋଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ ବୋଲି ପ୍ରଶ୍ନ କରି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ । ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ମନୀଷ ଅଗ୍ରୱାଲଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ପରେ ତାଙ୍କର ବଦଳି ହୋଇଛି । ଆଉ ଏବେ ଦୁର୍ନୀତି ଅଭିଯୋଗ କରି ଏସିଏସଓ ମନୋଜ ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି କଂଗ୍ରେସ ।