ମନୀଷ ସିସୋଦିଆଙ୍କ ଗିରଫ ପରେ ଥମୁନି ବିବାଦ। ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ସମ୍ପୃକ୍ତି ଅଭିଯୋଗ କରି ଇସ୍ତଫା ଦାବି କଲା ବିଜେପି।

94

କନକ ବ୍ୟୁରୋ: ଆମ ଆଦମୀ ପାଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଦାବିରେ ବିଜେପିର ଧାରଣା । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ପୂର୍ବ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହେବା ପରେ ତାଙ୍କୁ ନେଇ ରାଜନୀତି ତେଜିବାରେ ଲାଗିଛି । ତେବେ ଏହାକୁ ନେଇ ବିଜେପି ବାରମ୍ବାର ଆପକୁ ଟାର୍ଗେଟ କରୁଥବାବେଳେ ସୋମବାର ରାଜଘାଟଠାରେ କେଜ୍ରିୱାଲଙ୍କ ଇସ୍ତଫା ଦାବିରେ ଧାରଣା ଦେଇଛନ୍ତି ।

ଆପ ସରକାରଙ୍କ ଦୁଇ ଦୁଇ ଜଣ ମନ୍ତ୍ରୀ ଜେଲ ଯାଇଥିବାବେଳେ ଏବେ କେଜ୍ରିୱାଲ ଇସ୍ତଫା ଦିଅ ବୋଲି ନାରା ଦେଇଛନ୍ତି । ବିଜେପି କର୍ମୀମାନେ ମହାତ୍ମାଗାନ୍ଧୀଙ୍କ ସମାଧି ପାଖେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିବା ସହ ‘କେଜ୍ରିୱାଲଙ୍କୁ ସଦବୁଦ୍ଧି’ ମିଳୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସତ ଧରାପଡିଛି ଓ ସେ ଏବେ ସିବିଆଇ ଏବଂ ଇଡି କବଜାରେ ରହିଥିବା ବିଜେପି କହିଛି । ଏହି ମାମଲାରେ କେଜ୍ରିୱାଲଙ୍କ ମଧ୍ୟ ସମ୍ପୃକ୍ତି ରହିଛି ଓ ସେ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଦାବି କରିଛି । ଅନ୍ୟପଟେ କେଜ୍ରିୱାଲ ନିଜ ଦଳର ଶକ୍ତି ପ୍ରଦର୍ଶନ କରିବା ପାଇଁ ‘ତ୍ରିରଙ୍ଗା ଯାତ୍ରା’ରେ ବାହାରିଛନ୍ତି । ରାଜସ୍ଥାନ ବିଧାନସଭା ପୂର୍ବରୁ ଶକ୍ତି ପ୍ରଦର୍ଶନ ପାଇଁ ଜୟପୁରର ସାଙ୍ଗାନେରୀ ଗେଟ ନିକଟରୁ ଏହି ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରାରେ ବହୁ ଆପକର୍ମୀ ଯୋଗ ଦେବା ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ଯୋଗଦେଇଛନ୍ତି ।