ପୁରୀ ଶ୍ରୀମନ୍ଦିରରେ ସେବାୟତଙ୍କ ଅସନ୍ତୋଷକୁ ନେଇ ନୀତିରେ ବିଭ୍ରାଟ : ରୋଷ ଘରୁ ବାହାରି ପାରିଲାନି ବରାଦି ମହାପ୍ରସାଦ, କୋଇଲି ବୈକୁଣ୍ଠରେ ପୋତା ଯିବ ଅମଣିଆ

83

କନକ ବ୍ୟୁରୋ : ଗର୍ଭଗୃହକୁ ପ୍ରବେଶ ନେଇ କୋର୍ଟଙ୍କ କଟକଣା ଫଳରେ ବାହାରି ପାରିଲାନି ମହାପ୍ରଭୁଙ୍କ ମହାପ୍ରସାଦ । କୋର୍ଟଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିର ପ୍ରଶାସନ କେବଳ ଅଧିକୃତ ସେବାୟତଙ୍କ ଛଡା ଅନ୍ୟ କାହାରିକୁ ଗର୍ଭଗୃହକୁ ନଛାଡିବାରୁ ଦେଖାଦେଇଥିଲା ବିବାଦ । କେବଳ ପାଳିଆ ସେବକଙ୍କ ଛଡା ଅନ୍ୟକେହି ଶ୍ରୀମନ୍ଦିର ଗର୍ଭଗୃହକୁ ଯାଇପାରିବେନି । ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ଫଳରେ ବର୍ଷବର୍ଷ ଧରି ସେବାୟତଙ୍କ ସହ ଯାଉଥିବା ସେମାନଙ୍କ ପରିବାର ସଦସ୍ୟ ଗର୍ଭଗୃହକୁ ପ୍ରବେଶ କରିପାରିନଥିଲେ ।

ସେଥିପାଇଁ ଶ୍ରୀଜୀଉଙ୍କ ନୀତିକାନ୍ତିରେ ବିଳମ୍ବ ହେଲା ବୋଲି କହିଛନ୍ତି ସେବାୟତ । ନୀତିକାନ୍ତିରେ ବିଭ୍ରାଟ ଫଳରେ ରୋଷଘରୁ ଅବଢା ବାହାରି ପାରିନାହିଁ । ଲକ୍ଷଲକ୍ଷ ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ବରାଦି ଅବଢା ସେମିତି ରୋଷଘରେ ସାଇତା ହୋଇ ରହିଛି । ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଭକ୍ତଙ୍କ ଲାଗି ବରାଦି ଅବଢା ପ୍ରସ୍ତୁତ ହୋଇଥାଏ । କିନ୍ତୁ ମଙ୍ଗଳ ଆଳତିଠାରୁ ନୀତିକୁ ନେଇ ମହାବିଭ୍ରାଟ ପରେ ଭୋଗମଣ୍ଡପକୁ ଭୋଗ ଯାଇପାରି ନାହିଁ । ରୋଷଘରୁ ଅବଢା ବାହାରି ନପାରିବାରୁ ସୁଆର-ମହାସୁଆର ନିଯୋଗ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିବା ସହ ଧାରଣାରେ ବସିରହିଥିଲେ ।

ଶ୍ରୀମନ୍ଦିରରେ ହୋଇଥିବା ନୀତି ବିଭ୍ରାଟର ପରିଣାମ ଆଜି ମଧ୍ୟ ଭୋଗିବାକୁ ପଡିବ ବୋଲି ଅନୁମାନ କରାଯାଉଛି । ରୋଷଘରୁ ଅବଢା ବାହାରି ପାରିନଥିବାରୁ ଆଜି ଏହାକୁ କୋଇଲିବୈକୁଣ୍ଠରେ ପୋତାଯିବ । ଏହାପରେ ଯାଇ ନୀତିକାନ୍ତି ହେବ । ହେଲେ ଏତେ ମାତ୍ରାରେ ଅବଢାକୁ ପୋତିବା ପାଇଁ ୪ରୁ ୫ ଘଂଟା ଲାଗିପାରେ । ତେଣୁ ଆଜି ମଧ୍ୟ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।

ଦୁଇବର୍ଷ ପରେ ଖୋଲିଛି ଶ୍ରୀମନ୍ଦିର ଜଗମୋହନ । ଭିତର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ସୋମବାର ସନ୍ଧ୍ୟା ପ୍ରାୟ ୫ଟା ୧୦ ମିନିଟରେ ଜଗମୋହନ ଖୋଲାଯାଇଥିଲା । ଏହାପରେ ଭିତରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଜଗମୋହନ ଖୋଲିବା ପରେ ହାଇକୋର୍ଟଙ୍କ ୫ଜଣିଆ କମିଟି ଏହାର ଅନୁଧ୍ୟାନ କରିଛନ୍ତି । ଯାହା କାମ ବାକି ରହିଛି, ତାର ରିପୋର୍ଟ କୋର୍ଟରେ ଉପସ୍ଥାପନ କରାଯିବ । ଆସନ୍ତା ୧୯ ତାରିଖରେ ଜଗମୋହନ ସ୍ଥିତି, ଗର୍ଭଗୃହରେ ବିଶୃଙ୍ଖଳା ଓ ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସକ ହାଇକୋର୍ଟଙ୍କୁ ଅବଗତ କରିବେ ।