ଚର୍ଚ୍ଚାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ: କହିଲେ କଂଗ୍ରେସ ପାଇଁ ମୋଦିଙ୍କ ବଢୁଛି ଶକ୍ତି

178

କନକ ବ୍ୟୁରୋ: ରାଜନୀତି କୁ ଗୁରୁତ୍ୱ ସହ ନେଉନାହିଁ କଂଗ୍ରେସ । ଆଉ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ହୋଇଛନ୍ତି ଶକ୍ତିଶାଳି । ଏଭଳି ବୟାନ ଦେଇ କଂଗ୍ରେସକୁ ଟାର୍ଗେଟ କରଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିଜର ୩ ଦିନିଆ ଗୋଆ ଗସ୍ତରେ କଂଗ୍ରେସ ସହ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଦିଦି କହିଛନ୍ତି କଂଗ୍ରେସ ଯଦି ସଠିକ୍ ଭାବେ ରାଜନୀତି କରୁଥାନ୍ତା ତାହାଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏତେ ପ୍ରଭାବଶାଳୀ ହୋଇପାରି ନଥାନ୍ତେ ।

କଂଗ୍ରେସ ଯଦି ରାଜନୀତିକୁ ଗୁରୁତ୍ୱ ନଦିଏ ତାହାଲେ ପ୍ରଧାନମନ୍ତ୍ରୀ ମୋଦି ଆଗକୁ ଆହୁରୀ ଶକ୍ତିଶାଳୀ ହୋଇଯିବେ । ଗୋଆରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିବା ସମୟରେ ଏଭଳି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତାବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ସେଠାରେ ନିଜ ପାର୍ଟି ତୃଣମୂଳ କଂଗ୍ରେସ ଦଳକୁ ମଜବୁତ କରିବା ପାଇଁ ଲାଗିପଡିଛନ୍ତି ଦିଦି । ଗୋଆରେ ବିଜେପି ସରକାରକୁ ମାତ ଦେବା ପାଇଁ ସମସ୍ତ ୪୦ଟି ଆଶନରୁ ନିଜ ଲଢିବା ପାଇଁ ଘୋଷଣା କରିଛନ୍ତି ମମତା ବାନାର୍ଜୀ ।

ଆଉ ଏଥିପାଇଁ ଲୋକପ୍ରିୟ ଚେହେରା ଏକଜୁଟ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ବିଜେପି ବିରୋଧରେ ଦେଶର ସବୁଠାରୁ ବଡ ବିରୋଧି ଦଳ କଂଗ୍ରେସ ବୋଲି ବିଚାର କରାଯାଏ । କିନ୍ତୁ କଂଗ୍ରେସର ଦୁର୍ବଳତା କାରଣରୁ ଭାଜପା ଫାଇଦା ଉଠାଉଥିବାର କହି କଂଗ୍ରେସ ତେରଛା ବାଣ ମାରିଛନ୍ତି ଦିଦି । ସେ କହିଛନ୍ତି କଂଗ୍ରେସ କାରଣରୁ ମୋଦୀଜୀ ଶକ୍ତିଶାଳୀ ହେଉଛନ୍ତି ଏବଂ ଯାହାର କ୍ଷତି ସାରା ଦେଶବାସୀ ସହୁଛନ୍ତି ।

ସେପଟେ ଗୋଆରେ ପହଁଚି କଂଗ୍ରେସ ପାଇଁ ପ୍ରଚାର କରିବା ଆରମ୍ଭ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ଗୋଆରେ ଏକ ସଭାକୁ ସମ୍ବୋଧିତ କରିଛନ୍ତି । ସଭାରେ ସାମ୍ବାଦିକଙ୍କ ସମେତ ସାଧାରଣ ଲୋକଙ୍କ ପ୍ରଶ୍ନର ଉତର ଦେଇଛନ୍ତି ରାହୁଲ । ଏହାସହ ଗୋଆରେ ରାହୁଲଙ୍କୁ ବାଇକ୍ ରାଇଡ୍ କରୁଥିବା ଦେଖିବାକୁ ମିଳିଛନ୍ତି । ଗୋଆର ବେମ୍ବୋଲିନ ଠାରୁ ଆଜାଦ ମଇଦାନ ପର୍ଯ୍ୟନ୍ତ ରାହୁଲ ଏକ ପ୍ରାଇଭେଟ ବାଇକରେ ଏ ଯାତ୍ରା କରିଥିଲେ । ତେବେ ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଜୋରଦାର ଭାଇରାଲ ହେଇଛି ।

ଗୋଆରେ କଂଗ୍ରେସ ଓ ବିଜେପି ବିରୋଧରେ ବୟାନ ଦେଇ ଦିଦି ପ୍ରମାଣ କରିଦେଇଛନ୍ତି ଯେ ସେ ଏବେ ଜାତୀୟ ରାଜନୀତିରେ ରୁଚି ରଖୁଛନ୍ତି । ତେବେ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିକୁ ହରାଇପାରେ ସଫଳ ହୋଇଥିବା ମମତାଙ୍କୁ ଗୋଆରେ ସଫଳତା ମିଳୁଛିକୁ ନାହିଁ ତାହା ସମୟ କହିବ ।