ରାଜସ୍ଥାନ ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ବୟାନ: କହିଲେ‘ଯେଉଁ ବିଦ୍ୟାଳୟରେ ମହିଳା ଶିକ୍ଷକ ସେଠି ଅଧିକ ଗଣ୍ଡଗୋଳ’

132

କନକ ବ୍ୟୁରୋ: କର୍ଣ୍ଣାଟକ ମନ୍ତ୍ରୀଙ୍କ ବୟାନ ପରେ ଏବେ ରାଜସ୍ଥାନ ଶିକ୍ଷା ମନ୍ତ୍ରୀଙ୍କ ବୟାନକୁ ନେଇ ବିବାଦ । ଅନ୍ତରାଷ୍ଟ୍ରିୟ ବାଳିକା ଦିବସ ଉପଲକ୍ଷେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରା ଏମିତି କଥା କହିଲେ ଯେ , ଯେଉଁଥିରେ ଉପସ୍ଥିତ ଶିକ୍ଷୟିତ୍ରୀ ଅପମାନିତ ହୋଇଥିଲେ ଏବଂ ଉପସ୍ଥିତ ପୁରୁଷ ଶିକ୍ଷକ ହସି ଉଠିଥିଲେ । କହୁ କହୁ ମନ୍ତ୍ରୀ କହିଥିଲେ ଯେ, ଯେଉଁ ବିଦ୍ୟାଳୟର ଯେତେ ମହିଳା ଶିକ୍ଷକ ସେଠି ସେତେ ଅଧିକ କଳି ଝଗଡା ।

‘ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସରକାର ସବୁବେଳେ ମହିଳାଙ୍କୁ ଅଗ୍ରାଧିକର ଦେଇଛନ୍ତି । ହେଲେ ଏହାକୁ ନେଇ ପୁରୁଷ ବର୍ଗ ଅସନ୍ତୋଷ । କାରଣ ଅନେକ ସମୟରେ ମହିଳା ଶିକ୍ଷକଙ୍କୁ ଘର ପାଖ ଇଲାକାରେ ନିଯୁକ୍ତି ମିଳୁଥିବାବେଳେ ପୁରୁଷ ଶିକ୍ଷକଙ୍କୁ ଦୂରରେ ନିଯୁକ୍ତି ମିଳୁଛି । ତେଣୁ ଶିକ୍ଷାଦାନର ମୂଲ୍ୟାୟନ କରି କହିଁକି ନିଯୁକ୍ତି ଦିଆଯାଉନାହିଁ ବୋଲି ପୁରୁଷ ଶିକ୍ଷକ ଅଭିଯୋଗ କରିବାର ଅନେକ ନଜିର ରହିଛି’ ବୋଲି କହିଥିଲେ ମନ୍ତ୍ରୀ ଡୋଟାସରା ।

କେବଳ ଏତିକି ନୁହେଁ ଏହା ମଧ୍ୟ କହିଥିଲେ, ଯେ ଯେଉଁ ବିଦ୍ୟାଳୟରେ ଯେତେ ଅଧିକ ମହିଳା ଶିକ୍ଷକ ସେଠାରେ ସେତେ ଅଧିକ କଳି ଝଗଡା ହେଉଛି । ତେଣୁ ମହିଳା ଶିକ୍ଷକ ମାନେ ଯଦି ଛୋଟ ଛୋଟ ସମସ୍ୟାକୁ ନିଜ ନିଜ ସ୍ତରରେ ସମାଧାନ କରିଦିଅନ୍ତେ ତାହେଲେ ସେମାନେ ମଧ୍ୟ ପୁରୁଷ ଶିକ୍ଷକଙ୍କ ଠାରୁ ଆଗେଇ ଯାଇପରିବେ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ମନ୍ତ୍ରୀଙ୍କ ଏପରି ଆପତ୍ତିଜନକ ବୟାନକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ଶିକ୍ଷାଦାତା ପୁରୁଷ ହୁଅନ୍ତୁ ବା ମହିଳା ଶିକ୍ଷକ ସବୁବେଳେ ଶିକ୍ଷକ । ତେଣୁ ଜଣେ ଲୋକ ପ୍ରତିନିଧି ହିସାବରେ ଶିକ୍ଷା କ୍ଷେତ୍ରରେ ମହିଳାମାନଙ୍କୁ ଏପରି କହିବା ନିହାତି ଅଶୋଭନୀୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

କହିରଖୁଁ କି, ଦୁଇ ଦିନ ପୂର୍ବରୁ ମହିଳାଙ୍କ ବିବାହ ଓ ସନ୍ତାନ ପ୍ରସବ ଉପରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିଲେ କର୍ଣ୍ଣାଟକ ସ୍ୱାସ୍ଥ୍ରମନ୍ତ୍ରୀ କେ. ସୁଧାକର ।ପିଲାଜନ୍ମ କରିବାକୁ ମହିଳାମାନେ ଆଗ୍ରହୀ ନୁହନ୍ତି ବୋଲି କହି ନୂଆ ବିବାଦ ସୃଷ୍ଟି କରିଛନ୍ତି କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ କେ, ସୁଧାକର । ସେ କହିଛନ୍ତି, ଦେଶର ଆଧୁନିକ ମହିଳାମାନେ ପିଲାଜନ୍ମ କରିବାକୁ ରାଜି ନୁହନ୍ତି । ସେମାନେ ଅବିବାହିତ ରହିବାକୁ ପସନ୍ଦ କରୁଛନ୍ତି । ଆଉ ବାହାହେଲା ପରେ ପିଲାଜନ୍ମ କରିବାକୁ ରାଜି ହେଉନାହାନ୍ତି । ସରୋଗେସି ମାଧ୍ୟମରେ ପିଲାଜନ୍ମ କରିବାକୁ ଚାହିଁଛନ୍ତି । ବେଙ୍ଗାଲୁରୁର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ବିବାଦୀୟ ବୟାନ ଦେଇଥିଲେ ମନ୍ତ୍ରୀ କେ. ସୁଧାକର ।