ବିବାଦରେ ଓଡିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’, ଫିଲ୍ମରେ ଜାତିଆଣ ଆକ୍ଷେପ ନେଇ ଥାନାରେ ଏତଲା

1,981

କନକ ବ୍ୟୁରୋ: ମୁକ୍ତିଲାଭ କରିବା ପରେ ବିବାଦ ଭିତରକୁ ଟାଣି ହୋଇଯାଇଛି ଝିଲିକଙ୍କ ଫିଲ୍ମ ପ୍ରିୟେ ତୁ ମୋ ସିଏ । ଫିଲ୍ମରେ ନାୟକ ଓ ନାୟିକାଙ୍କ ମଧ୍ୟରେ କଥା କଟାକଟି ସମୟର ଏକ ଦୃଶ୍ୟକୁ ନେଇ ଆପତି ଉଠାଇଛନ୍ତି ଦଳିତ ମଞ୍ଚ । ରାୟଗଡା ଜିଲ୍ଲାରେ ବାସସେଫ ପକ୍ଷରୁ ରାୟଗଡା ଥାନା ଓ ସୁକିନ୍ଦା ଥାନାରେ ଦଳିତ ମଞ୍ଚ ପକ୍ଷରୁ ଏତଲା ଦିଆଯାଇଛି । ଫିଲ୍ମରେ ନାୟିକା ନାୟକକୁ ଜାତିଆଣ ଆକ୍ଷେପ କରିଛନ୍ତି । ଉଦ୍ଦେଶ୍ୟମୂଳକ ଭାବେ ଗୋଟିଏ ସମୁଦାୟକୁ ଅପମାନିତ କରିବା ପାଇଁ ସଂଳାପରେ ଏଭଳି ଶବ୍ଦ ଚୟନ କରାଯାଇଥିବା ଅଭିଯୋଗ ହୋଇଛି । ଯାହା ଏସଟି ଏସସି ପ୍ରିଭେନସନ ଆକ୍ଟର ଖୋଲାଖୋଲି ଉଲ୍ଲଂଘନ । ତେଣୁ ଫିଲ୍ମର ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ଅଭିନେତ୍ରୀଙ୍କୁ ଗିରଫ କରିବା ସହ ସିନେମାଟିକୁ ବନ୍ଦ କରିବାପାଇଁ ଦାବି କରାଯାଇଛି ।

ଜାତିଆଣ ଆକ୍ଷେପକୁ ନେଇ ବିବାଦ ତେଜିବାରୁ ଫିଲ୍ମ ନିର୍ମାତା କହିଛନ୍ତି, ଫିଲ୍ମକୁ ସେନସରସିପ୍ ସାର୍ଟିଫିକେଟ ମିଳିଛି । ଯଦି ଫିଲ୍ମରେ ସେମିତି ଆପତ୍ତିଜନକ ବିଷୟବସ୍ତୁ ରହିଥିଲା ତେବେ ଫିଲ୍ମକୁ ସେନସରସିପ୍ ସାର୍ଟିଫିକେଟ ମିଳିଲା କେମିତି? ଯକୌଣସି ଫିଲ୍ମର ରିଲିଜ ପୂର୍ବରୁ ସେନସର ବୋର୍ଡ ସାର୍ଟିଫିକେଟ ଦେଇଥାଏ । ଆଉ ଝିଲକ ମୋସନ ପିକଚର୍ସରେ ମୁକ୍ତିଲାଭ କରିଥିବା ଓଡିଆ ଫିଲ୍ମ ‘ପ୍ରିୟେ ତୁ ମୋ ସିଏ’କୁ ମଧ୍ୟ ସାର୍ଟିଫିକେଟ ମିଳିଛି । ପବିତ୍ର ବାହୁଡାରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ ଅଭିନେତା ଅମ୍ଲାନ ଦାସ ଓ ଅଭିନେତ୍ରୀ ଏଲିନା ସାମନ୍ତରାୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ସୁଧାଂଶୁ ମୋହନ ନିର୍ଦ୍ଦେଶକ ଭାର ତୁଲାଇଛନ୍ତି ।