କନକ ବ୍ୟୁରୋ : ଆମ ଦେଶର ନାଁ କଣ ହେବା ଉଚିତ, ଭାରତ ନାଁ ଇଣ୍ଡିଅ. ଏହାକୁ ନେଇ ପୁଣି ଥରେ ବିତର୍କ ମୁଣ୍ଡ ଟେକିଥିବାବେଳେ ନିଜକୁ ଭାରତବାସୀ କହିବାକୁ ଆହ୍ୱାନ ଦେଇଛନ୍ତି ଆର୍ଯ୍ୟ ସମାଜର ଆଚାର୍ଯ୍ୟ । ଭୁବନେଶ୍ୱର ଆର୍ଯ୍ୟ ସମାଜ ପରିସରରେ ଚାଲିଥିବା ସାମୁହିକ ବେଦ ପାଠ ଓ ଯଜ୍ଞ ମଣ୍ଡପରୁ ଆଚାର୍ଯ୍ୟ ଏହି ଆହ୍ୱାନ ଦେଇଛନ୍ତି ।

Advertisment

କେବଳ ଆର୍ଯ୍ୟ ସମାଜ ନୁହେଁ ବିଭିନ୍ନ ହିନ୍ଦୁ ସଂଗଠନ ଓ ସାଧୁ ସନ୍ଥ ଦେଶର ନାଁ ଇଣ୍ଡିଆ ବଦଳରେ ଭାରତ କରିବା ସପକ୍ଷରେ ଯୁକ୍ତି ରଖୁଛନ୍ତି । ଯାହାକୁ ନେଇ ଦେଶ ଏକ ପ୍ରକାର ଦୁଇ ଭାଗରେ ବିଭକ୍ତ ହୋଇଛି । ଗୋଟିଏ ପଟେ ଭାରତ ସପକ୍ଷରେ ବିଜେପି ଓ ତାର ସହଯୋଗୀ ଦଳ ଯୁକ୍ତି ରଖୁଥିବାବେଳେ ଆଉ ଗୋଟିଏ ପଟେ ଇଣ୍ଡିଆ ଓ ଭାରତ ଉଭୟ ରଖିବାକୁ ଯୁକ୍ତି ରଖିଛନ୍ତି ବିରୋଧୀ ଦଳ ।

ଦେଶର ନାଁକୁ ନେଇ ଦିଲ୍ଲୀରେ ଆରମ୍ଭ ହୋଇଥିବା ବିବାଦ ଓଡିଶାରେ ପହଁଚିଛି । ତେବେ ଦେଶର ନାଁକୁ ନେଇ ଓଡିଶାର କ୍ଷମତାରେ ଥିବା ରାଜନୈତିକ ଦଳ ବିଜେଡିର ଆଭିମୁଖ୍ୟ କଣ ରହିବ, ତା ଉପରେ ସମସ୍ତଙ୍କ ନଜର ରହିଛି । କିନ୍ତୁ ଇଣ୍ଡିଆ ନା ଭାରତ ଏସମ୍ପର୍କରେ ସୁପ୍ରିମୋ ହିଁ କହିବେ ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।

ଦେଶର ଯେତେବେଳେ ସମ୍ବିଧାନ ପ୍ରଣୟନ ହୋଇଥିଲା ସେତେବେଳଠାରୁ ଦେଶର ନାଁକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ୧୯୪୮ ମସିହା ନଭେମ୍ବର ୪ ତାରିଖର ଡ୍ରାଫ୍ଟିଂ କମିଟିର ଅଧ୍ୟକ୍ଷ ବି.ଆର ଆମ୍ବେଦକର ଦେଶର ନୂଆ ସମ୍ବିଧାନର ପରିଚୟ କରାଇଥିଲେ । ହେଲେ ସମ୍ବିଧାନରେ ‘ଭାରତ’ ନାଁ ଲେଖାନଥିବାରୁ ବିବାଦ ଦେଖାଦେଇଥିଲା । ଯାହାକୁ ନେଇ ଗୋଟିଏ ବର୍ଷ ଧରି ତର୍କ ବିତର୍କ ଚାଲିଥିଲା । ଶେଷରେ ୧୯୪୯ ମସିହା ସେପ୍ଟେମ୍ବର ୧୮ ତାରିଖରେ ନୂଆ ଅଧ୍ୟାଦେଶ ଜରିଆରେ ଧାରା-୧ରେ ଭାରତ ନାମ ଯୋଡାଯାଇଥିଲା । ଯେଉଁଥିରେ ଇଣ୍ଡିଆ ସହ ଭାରତ ମଧ୍ୟ ରହିଥିଲା । ଅର୍ଥାତ ଆଜି ପର୍ଯ୍ୟନ୍ତ ଉଭୟ ନାଁ ବ୍ୟବହାର ହୋଇ ଆସୁଛି ।