କନକ ବ୍ୟୁରୋ : ଜାଲ ପ୍ରମାଣ ପତ୍ର ଦେଇ ଟେଣ୍ଡର ହାତେଇଥିବା ଅଭିଯୋଗରେ ଠିକାଦାର ଗିରଫ । ଠିକାଦାର ଦେବେନ୍ଦ୍ର ଜେନାକୁ ଗିରଫ କରି କୋର୍ଟ ଚାଲାଣ କରିଛି କେନ୍ଦୁଝର ଟାଉନଥାନା ପୁଲିସ । କେନ୍ଦୁଝର ଗ୍ରାମ୍ୟ ଉନ୍ନୟ ବିଭାଗର ଟେଣ୍ଡର ପ୍ରକ୍ରିୟାରେ ମିଛ ପ୍ରମାଣପତ୍ର ଦେଇ ଟେଣ୍ଡର ହାତେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ଗତ ୨୯ ତାରିଖରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ୩ ଜଣ ଠିକାଦାରଙ୍କ ନାଁରେ କେଉଁଝର ଟାଉନ ଥାନାରେ ଅଭିଯୋଗ କରିଥିଲେ । ଆଜି ଠିକାଦାର ଦେବେନ୍ଦ୍ର ଜେନାକୁ ପୁଲିସ ଗିରଫ କରିଛି । ଅନ୍ୟପଟେ ଫେରାର ଥିବା ୨ ଅଭିଯୁକ୍ତ ଠିକାଦାର ସୁରେନ୍ଦ୍ର ଭୁୟାଁ ଓ ଗଦାଧର ନାୟକଙ୍କୁ ଧରିବାରୁ ପୁଲିସ ଧରପଗଡ ଜାରି ରଖିଛି ।
ମିଳିଥିବା ସୂଚନା ଅନୁଯାୟୀ ସ୍ବତନ୍ତ୍ର ଶ୍ରେଣୀ ଠିକାଦାର ଦେବେନ୍ଦ୍ର ଜେନା ନିଜ ବାଲାସନ୍ ସିଟ୍ ଏବଂ ପ୍ରଫିଟ ଲସ୍ ଷ୍ଟେଟମେଣ୍ଟରେ ଜାଲିଆତି କରିଥିଲେ । ଏହି ବାଲାନସ୍ ସିଟ୍ରେ ସେ ୨୦୧୫-୧୬ ମସିହାରେ ତାଙ୍କର ୭ କୋଟି ୨୫ ଲକ୍ଷ ୬୮ ହଜାର ୯୮୦ ଟଙ୍କାର କାରବାର ଦର୍ଶାଇଥିବାବେଳେ ୨୦୧୬-୧୭ ମସିହାରେ ୭କୋଟି ୫୨ ଲକ୍ଷ ୬୦ ହଜାର ୩୮୫ ଟଙ୍କା, ୨୦୧୭-୧୮ ମସିହାରେ ୮କୋଟି ୨୦ ଲକ୍ଷ ୨୩ ହଜାର ୬୯୦ ଟଙ୍କା, ୨୦୧୮-୧୯ ମସିହାରେ ୧୦ କୋଟି ୪୦ ଲକ୍ଷ ୩୫ ହଜାର ୩୮୦ ଟଙ୍କା, ୨୦୧୯-୨୦ ମସିହାରେ ୧୬ କୋଟି ୨୫ ଲକ୍ଷ ୬୪ ହଜାର ୩୧୦ ଟଙ୍କା କାରବାର ହୋଇଥିବା ଦର୍ଶାଇଥିଲେ । ଏହି ବାଲାନସ୍ ସିଟ ଚାଟାର୍ଡ ଆକାଉଣ୍ଟାଣ୍ଟ ଫାର୍ମ ସାମଲ ଆସୋସିଏଟ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଦର୍ଶାଯାଇଥିବାବେଳେ ଏଥିରେ ୟୁଡିଆଇଏନ ନମ୍ବର ନ ଥିଲା। ସାମଲ ଆସୋସିଏଟସ୍ ଏହାକୁ ପ୍ରସ୍ତୁତ କରି ନଥିବା ସ୍ପଷ୍ଟ କରିଥିଲେ ।