କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରତିଶ୍ରୁତିର ପ୍ରତିଯୋଗିତା: କଂଗ୍ରେସର ମାଗଣା ବିଜୁଳି, ମାଗଣା କ୍ଷୀର, ଦୀପାବଳି, ଗଣେଶ ପୂଜାରେ ସିଲିଣ୍ଡର ବାଂଟିବ ବିଜେପି

299

କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କାଉଂଟଡାଉନ୍ ଆରମ୍ଭ ହୋଇଯାଇଛି । ଆସନ୍ତା ମେ’ ୧୦ ତାରିଖରେ ମତଦାନ ହେବ । ଏହା ପୂର୍ବରୁ ପ୍ରମୁଖ ରାଜନୈତିକ ଦଳ ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି । ସୋମବାର ବିଜେପି ତା’ର ନିର୍ବାଚନୀ ଇସ୍ତାହରରେ ମାଗଣା ପ୍ରତିଶ୍ରୁତି ବର୍ଷା କରିଥିଲା । ଆଜି କଂଗ୍ରେସ ମଧ୍ୟ ତାର ନିର୍ବାଚନୀ ଇସ୍ତାହାରରେ ଅନେକ ମାଗଣା ପ୍ରତିଶ୍ରୁତି ଦେଇଛି । କଂଗ୍ରେସ ତା’ର ଘୋଷଣାପତ୍ରରେ ମାଗଣା ବିଜୁଳୀ, ମହିଳାଙ୍କୁ ମାଗଣା ବସ୍ ସେବା, ବେକାରୀ ଭତା, ପୋଲିସ କର୍ମୀଙ୍କୁ ଭତା ଦେବାକୁ ଘୋଷଣା କରିଛି ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରତିଶ୍ରୁତିର ପ୍ରତିଯୋଗିତା । ଦୁଇ ପ୍ରମୁଖ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଲୋଭନୀୟ ଅଫର୍ ଦେଇଛନ୍ତି । ବିଜେପିର ମାଗଣା ସିଲିଣ୍ଡର ପ୍ରତିଶ୍ରୁତି ପରେ କଂଗ୍ରେସ ଦୁଇ ପାଦେ ଆଗେଇ ଆଗେଇଛି । କଂଗ୍ରେସ ତା’ର ଘୋଷଣାପତ୍ରରେ ମାଗଣା ବିଜୁଳୀ, ମହିଳାଙ୍କୁ ମାଗଣା ବସ୍ ସେବା, ବେକାରୀ ଭତା, ପୋଲିସ କର୍ମୀଙ୍କୁ ଭତା ଆଦି ଅନେକ ବଡ଼ ଘୋଷଣା କରିଛି । ଆସନ୍ତୁ ନଜର ପକାଇବା କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ କ’ଣ ରହିଛି ବିଶେଷତ୍ୱ ।

କଂଗ୍ରେସ ନିର୍ବାଚନୀ ଅଫର!
– ସରକାରୀ ବସ୍ ଗୁଡ଼ିକରେ ମହିଳାଙ୍କ ପାଇଁ ମାଗଣା ଯାତ୍ରା
– ଗୃହ ଜ୍ୟୋତି ଯୋଜନା ଆଧାରରେ ୨୦୦ ୟୁନିଟ୍ ମାଗଣା ବିଜୁଳି
– ଆରକ୍ଷଣର ସର୍ବାଧିକ ସୀମା ୫୦%ରୁ ୭୫% ବୃଦ୍ଧି
– ଅନ୍ନଭାଗ୍ୟ ଯୋଜନା ଆଧାରରେ ୧୦ କିଲୋ ଚାଉଳ
– ପରିବାରର ମହିଳା ମୁଖ୍ୟଙ୍କୁ ମିଳିବ ୨ ହଜାର ଟଙ୍କା
– ବେକାରୀ ସ୍ନାତକଙ୍କୁ ୨ ବର୍ଷ ଯାଏଁ ମାସକୁ ୩ ହଜାର ଟଙ୍କା
– ବେକାରୀ ଡିପ୍ଲୋମାଧାରୀଙ୍କୁ ମାସକୁ ୧୫୦୦ ଟଙ୍କା
– ରାତି ଡ୍ୟୁଟି କରୁଥିବା ପୋଲିସକର୍ମୀଙ୍କୁ ୫୦୦୦ ଟଙ୍କାର ଭତ୍ତା
– ଚାଷୀଙ୍କ ପାଇଁ କ୍ଷୀର ସବସିଡି ୫ଟଙ୍କାରୁ ୭ଟଙ୍କା ବୃଦ୍ଧି
– ମତ୍ସ୍ୟଜୀବୀଙ୍କୁ ବର୍ଷକୁ ୫ ଶହ ଲିଟର ଟ୍ୟାକ୍ସ ଫ୍ରି ଡିଜେଲ
– ୨୦୦୬ ପରେ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ୍ ଲାଗୁ
– ବଜରଙ୍ଗଦଳ ଓ ପିଆଇଏଫ ସଂଗଠନକୁ ବ୍ୟାନ୍ କରାଯିବ

କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାରରେ ବଜରଙ୍ଗ ଦଳ ଓ ପିଏଫଆଇ ସଂଗଠନକୁ ବ୍ୟାନ୍ କରିବାକୁ ଘୋଷଣା କରିଛି । ଯାହାକୁ କାଉଂଟର କରିଛି ବିଜେପି ।
ଏହା ପୂର୍ବରୁ ବିଜେପି ତା’ର ନିର୍ବାଚନୀ ଇସ୍ତାହାରରେ ମହିଳା, ଯୁବକ ଓ ଚାଷୀଙ୍କୁ ଫୋକସ କରିଛି । ଯାହାର ନାଁ ‘ପ୍ରଜାଧ୍ୱନୀ’ ରଖାଯାଇଛି । ବିଜେପି ମାଗଣା ସିଲିଣ୍ଡର, ଚାଷୀଙ୍କୁ ଋଣ, ଖାଉଟୀଙ୍କୁ ମାଗଣା ଚାଉଳ ଓ ଗହଣ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି ।

ବିଜେପିର ମାଗଣା ପ୍ରତିଶ୍ରୁତି
– ୟୁନିଫର୍ମ ସିଭିଲ କୋର୍ଡ ଲାଗୁ ହେବ
– ପ୍ରତି ପରିବାରକୁ ବର୍ଷକୁ ୩ଟି ଗ୍ୟାସ୍ ସିଲିଣ୍ଡର ମାଗଣା
– ଉଗାଡି, ଦୀପାବଳି ଓ ଗଣେଶ ପୂଜାରେ ମିଳିବ ସିଲିଣ୍ଡର
– ବିପିଏଲ ପରିବାରକୁ ପ୍ରତିଦିନ ମିଳିବ ଅଧା ଲିଟର କ୍ଷୀର
– ଚାଷୀଙ୍କ ପାଇଁ ୫ଲକ୍ଷ ପର୍ଯ୍ୟନ୍ତ ଋଣରେ ସୁଧ ଲାଗିବନି
– ଚାଷୀଙ୍କୁ ବିହନ ପାଇଁ ପ୍ରତିବର୍ଷ ଦଶ ହଜାର ମିଳିବ
– ପ୍ରତିମାସରେ ମାଗଣା ୫କିଲୋ ଚାଉଳ ଓ ଗହମ ଦିଆଯିବ
– ପ୍ରତି ୱାର୍ଡରେ ଖୋଲିବ ଅଟଳ ଆହାର କେନ୍ଦ୍ର

କର୍ଣ୍ଣାଟକରେ ଦୁଇ ପ୍ରମୁଖ ରାଜନୈତିକ ଦଳର ପ୍ରତିଶ୍ରୁତି ବର୍ଷା ପରେ, ଭୋଟର କାହା ଆଡ଼କୁ ଆକୃଷ୍ଟ ହେଉଛନ୍ତି । ତାହା ଆସନ୍ତା ସପ୍ତାହରେ ଫଇସଲା ହୋଇଯିବ ।