ପଳାତକ ବିଜୟ ମାଲ୍ୟାଙ୍କ ମାମଲାରେ ସୁପ୍ରିମ କୋର୍ଟ ଖପ୍ପା, ଶୁଣାଣି ବେଳେ କହିଲେ ଏଭଳି କଥା

182

କନକ ବ୍ୟୁରୋ : ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଦଣ୍ଡ ଉପରେ ସୁପ୍ରିମ କୋର୍ଟରେ ଡିସେମ୍ବର ୧୮ ତାରିଖରେ ଶୁଣାଣି ହେବ । ମାଲ୍ୟାକୁ ୨୦୧୭ ମସିହାରେ ସୁପ୍ରିମ କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । କୋର୍ଟ ଆଜି କହିଛନ୍ତି କି ଦୋଷୀ ଦେଶକୁ ଫେରୁ କି ନଫେରୁ ଦଣ୍ଡ ଉପରେ ନିଷ୍ପତ୍ତି କୁ ଆଉ ଅପେକ୍ଷା କରାଯାଇପାରିବ ନାହିଁ । ଜଷ୍ଟିସ ୟୁ ୟୁ ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ୩ ଜଣିଆ ଖଣ୍ଡପୀଠ କହିଛନ୍ତି କି ଦୋଷୀ ବିଜୟ ମାଲ୍ୟା ନିଜ ଓକିଲଙ୍କ ସହାୟତାରେ ନିଜ ପକ୍ଷ ରଖିପାରିବେ । କୋର୍ଟ ତରଫରୁ ବରିଷ୍ଠ ଓକିଲ ଜୟଦୀପ ଗୁପ୍ତାଙ୍କୁ ଏହି ମାମଲାରେ ଏମିକସ କ୍ୟୁରୀ ଭାବେ ନିଯୁକ୍ତ କରାଯାଇଛି ।

ଭାରତୀୟ ବ୍ୟାଙ୍କମାନଙ୍କରୁ ହଜାର ହଜାର କୋଟି ଟଙ୍କା ଠକେଇ କରି ଦେଶରୁ ପଳାଇଯାଇଥିବା ବ୍ୟବସାୟୀ ବିଜୟ ମାଲ୍ୟାକୁ ସୁପ୍ରିମ କୋର୍ଟ ୨୦୧୭ ମଇ ୯ ତାରିଖରେ କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ତାଙ୍କୁ ନିଜ ପିଲାଙ୍କ ନାମରେ ବିଦେଶୀ ବ୍ୟାଙ୍କରୁ ୪୦ ମିଲିୟନ ଡଲାର ଟ୍ରାନ୍ସଫର କରିବା ଓ ସମ୍ପତ୍ତିକୁ ଠିକ୍ ଭାବେ ପରିଚାଳନା ନକରିବା ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାସହ ଏନେଇ ମାଲ୍ୟାଙ୍କ ଓକିଲଙ୍କ ତରଫରୁ ପୁର୍ନବିଚାର ମାମଲା ବି କୋର୍ଟର୍ ଖାରଜ କରିଦେଇଥିଲେ ।

ଏହା ପୂର୍ବରୁ ୨୦୨୦ ଅକ୍ଟୋବର ୫ ତାରିଖରେ ଏହି ମାମଲା କୋର୍ଟରେ ପଡିଥିଲା । ସେହିଦିନ ଜର୍ଜ ଆଶ୍ଚର୍ଯ୍ୟ ହୋଇ କହିଥିଲେ କି ୟୁକେ କୋର୍ଟରେ ପ୍ରତ୍ୟାର୍ପଣ ମାମଲା ହାରିବା ପରେ କିଭଳି ମାଲ୍ୟ ଦେଶକୁ ନଫେରି ସେଠାରେ ରହିଛନ୍ତି ।

ଅନ୍ୟପଟେ ବିଜୟ ମାଲ୍ୟାଙ୍କୁ ଦେଶକୁ ଫେରାଇ ଆଣିବା ମାମଲାରେ କେନ୍ଦ୍ର ସରକାରଙ୍କ ଓକିଲ କହିଛନ୍ତି କି ପ୍ରତ୍ୟାର୍ପଣ ମାମଲାରେ ସମସ୍ତ ଆଇନ ପ୍ରକ୍ରିୟା ଶେଷ ହୋଇଛି । କେବଳ ୟୁକେରେ କିଛି ଗୁପ୍ତ ଆଇନ ପ୍ରକ୍ରିୟା ବାକି ରହିଛି । ଏହି ମାମଲାରେ ଭାରତ ସରକାରଙ୍କୁ ପକ୍ଷଭୂକ୍ତ କରାଯାଇନାହିଁ । ଏଣୁ ଜଣାପଡୁନାହିଁ କି ୟୁକେରେ ଚାଲିଥିବା ଗୁପ୍ତ ଆଇନ ପ୍ରକ୍ରିୟା କେତେଦିନ ଲାଗିବ ।