ଯନ୍ତ୍ରଣା ଦେଉଛି ଦୂଷିତ ପାନୀୟ ଜଳ । ଗାଁରେ ଥିବା ଦୁଇଟି ନଳକୂଅରୁ ବାହାରୁଛି ଗୋଳିଆ ଓ ଆଇରନ୍ ଯୁକ୍ତ ପାଣି, ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ।

156

କନକ ବ୍ୟୁରୋ : ସ୍ୱଚ୍ଛ ପାନୀୟଜଳ ଯୋଗାଇବା ପାଇଁ ସରକାରଙ୍କ କାହିଁ କେତେ ଯୋଜନା । କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ କଡବ ପଂଚାୟତ ବୋରିକ ନୂଆଗାଁର ଲୋକେ ପିଉଛନ୍ତି ବିଷାକ୍ତ ପାନୀୟଜଳ । ଫଳରେ ଅଧିକାଂଶ ଲୋକ କିଡନୀ ରୋଗର ଶିକାର ହେଉଥିବା ଅଭିଯୋଗ ହୋଇଛି ।

ଖୋର୍ଦ୍ଧା ସଦର ମହକୁମା ଠାରୁ ମାତ୍ର ୩୦ କିମି ଦୂରରେ ରହିଛି ବୋରିକ ନୁଆଗାଁ । ଏଠାରେ ପ୍ରାୟ ୨୦୦ରୁ ଅଧିକ ଲୋକ ବସବାସ କରନ୍ତି । ବର୍ତ୍ତମାନ ଗାଁର ବଡ ସମସ୍ୟା କହିଲେ ବିଶୁଦ୍ଧ ପାନୀୟ ଜଳ । ସ୍ଥାନୀୟ ଲୋକେ କହୁଛନ୍ତି, ଏଠି ଜଳ ପାଲଟିଛି ଜହର । ଗାଁର ୩ଟି ନଳକୂପରୁ ଗୋଟିଏ ସମ୍ପୂର୍ଣ୍ଣ ଅଚଳ ହୋଇପଡିଥିବା ବେଳେ ୨ଟିରୁ ବାହାରୁଛି ଗୋଳିଆ ଓ ଆଇରନ୍ ମିଶା ପାଣି । ଯାହା ପିଇବା ଅନୁପଯୋଗୀ ।

ନଳକୂଅରୁ ଗୋଳିଆ ପାଣି ବାହାରୁଥିଲେ ବି ଲୋକେ ବାଧ୍ୟ ହୋଇ ତାହା ପିଉଛନ୍ତି । କାରଣ, ଶୋଷ ମେଂଟାଇବାର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ । ନଳକୂପରୁ ବାହାରୁ ଥିବା ବିଷାକ୍ତ ପାଣି ପିଇ ଗାଁର ଅନେକ ଲୋକ କିଡନୀ ରୋଗରେ ପୀଡିତ ହୋଇଛନ୍ତି । କିଛି ରୋଗରେ ପ୍ରାଣ ହରାଇ ସାରିଥିବା ବେଳେ ଆଉ କିଛି ଏବେ ବି ଯନ୍ତ୍ରଣା ଭୋଗୁଛନ୍ତି । ଜଳ ସମସ୍ୟା ସମ୍ପର୍କୀତ ଅଭିଯୋଗ ବିଭିନ୍ନ ସରକାରୀ ଅଫିସରେ ଗଡୁଛି, କିନ୍ତୁ ଏମାନଙ୍କ ଦୁଃଖ ଦୂର ହେବାର ନାଁ ଧରୁନି ।