ପଚା ଆମ୍ବ ଓ ପୋକରେ ସାଲୁବାଲୁ ଆଚାର । ଭୁବନେଶ୍ୱର ଉପକଣ୍ଠ ପାହାଳରେ ଅପମିଶ୍ରିତ ଆଚାର ଓ ସସ୍ କାରଖାନା ଉପରେ ଚଢାଉ କଲା ପୁଲିସ ।

196

କନକ ବ୍ୟୁରୋ : ଆଚାର ତିଆରି ହେବା ପାଇଁ ଥିବା ସାମଗ୍ରୀରେ ପୋକ ସାଲୁବାଲୁ ହେଉଛନ୍ତି । ଆଉ ଜାଣିଲେ ତାଜୁବ ହେବେ, ଏହି ସାମଗ୍ରୀରୁ ଆଚାର ପ୍ରସ୍ତୁତ ହୋଇ ଦୋକାନରେ ବିକ୍ରି ହୁଏ ଏବଂ ଲୋକମାନେ ଏହାକୁ କିଣି ଖାଇଥାନ୍ତି ।

ଭୁବନେଶ୍ୱର ପାହାଳ ଅଞ୍ଚଳରେ ଥିବା ଏକ ଆଚାର ଓ ଶସ କାରଖାନା ଉପରେ ଆଜି ଅଚାନକ ଚଢାଉ କରିଥିଲା ସ୍ପେଶାଲ ସ୍କ୍ୱାର୍ଡ ଓ କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ । ।ସାଙ୍ଗରେ ଥିଲେ ଖାଦ୍ୟ ସୁରକ୍ଷା ଅଧିକାରୀ । ଯାଞ୍ଚ ବେଳେ ଏହି କାରଖାନାରେ ଅପମିଶ୍ରିତ ଓ ନିମ୍ନମାନର ଆଚାର ଏବଂ ସସ ପ୍ରସ୍ତୁତ ହେଉଥିବା ଜଣାପଡିଥିଲା । ନା ଥିଲା ଆଇଏସଓ ସାର୍ଟିଫିକେଟ ନା ଥିଲା କୌଣସି ଆଇନଗତ କାଗଜପତ୍ର । ବେଧଡକ ଚାଲିଥିଲା ନିମ୍ନମାନର ଓ ନକଲି ଆଚାର ଓ ସସ ପ୍ରସ୍ତୁତି ।

ଦୀର୍ଘଦିନ ଧରି ଏହିଭଳି ନିମ୍ନମାନର ଆଚାର ଓ ସସ ପ୍ରସ୍ତୁତ କରି ବିକ୍ରି କରୁଥିଲା ଏହି କମ୍ପାନି । ସସ ନିର୍ମାଣ ପାଇଁ କନଫ୍ଲୋର, ଷ୍ଟାର୍ଚ, ରେଡ ପାପ୍ରିକା କଲର ଓ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିଲା । ଆଚାର ତିଆରି ପାଇଁ ୬ରୁ ୮ମାସ ପୁରୁଣା ଲଙ୍କା, ଆମ୍ବ ଓ ଲେମ୍ବୁର ବ୍ୟବହାର କରାଯାଉଥିଲା । ଯେଉଁଥିରେ କି ପୋକ ଲାଗିଥିବାର ଦେଖିବାକୁ ମିଳିଥିଲା ।

ଏହି କାରଖାନାରୁ ଆଚାର, ସସର ସାମ୍ପୁଲ ଜବତ କରାଯାଇ ଷ୍ଟଟ ଫୁଡ ଟେଷ୍ଟିଂ ଲାବ୍ରୋଟରୀକୁ ପଠାଇଦିଆଯିବା ସହିତ ପୋକ ଲାଗିଥିବା ଜିନିଷକୁ ନଷ୍ଟ କରିବା ପାଇଁ ଉଦ୍ୟମ କରାଯାଇଛି । ଏହି କମ୍ପାନିର ମାଲିକଙ୍କୁ ନୋଟିସ କରାଯିବା ସହିତ ତାଙ୍କ ପକ୍ଷ ରଖିବା ପାଇଁ ପୋଲିସ ପକ୍ଷରୁ କୁହାଯାଇଛି ।