ତାଲାବନ୍ଦ ଭିତରେ ପ୍ରଥମ ଜିଲ୍ଲା ଭାବେ ଯାଜପୁରରେ କୋହଳ ହେଲା କଟକଣା: ଆଜିଠୁ ଖୋଲିବ ବହି, ବିଦ୍ୟୁତ ଦୋକାନ ଓ ଗ୍ୟାରେଜ; ସେପଟେ କଟକ ପଟାପୋଲ ଅଂଚଳରୁ ଉଠିଲା ଅବରୋଧ କଟକଣା

601

କନକ ବ୍ୟୁରୋ: ସାରା ଦେଶରେ ତାଲାବନ୍ଦ ଚାଲିଥିବା ବେଳେ ଯାଜପୁର ଜିଲ୍ଲାପାଳ ଏକ ବଡ ନିଷ୍ପତି ନେଇଛନ୍ତି । ଆଜିଠାରୁ ଯାଜପୁରରେ ଖୋଲିବ ବହି, ବିଦ୍ୟୁତ ଉପକରଣ ସାମଗ୍ରୀ ଓ ଇଲେକ୍ଟ୍ରିକାଲ ଦୋକାନ । ଲକଡାଉନ୍ ପ୍ରଭାବରେ ସ୍କୁଲ କଲେଜ ଆସନ୍ତା ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସରକାର ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏହାରି ଭିତରେ ଛାତ୍ରଛାତ୍ରୀଙ୍କ ପାଠପଢାରେ ଅନେକ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି । କାରଣ ପାଠ୍ୟ ପୁସ୍ତକ ଓ ପାଠ୍ୟ ଉପକରଣ ଦୋକାନ ବନ୍ଦ ରହୁଥିବାରୁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଆଜି ସକାଳ ୬ଟାରୁ ୧୦ଟା ମଧ୍ୟରେ ବହି, ବିଦ୍ୟୁତ ଉପକରଣ ସାମଗ୍ରୀ ଓ ଇଲେକ୍ଟ୍ରିକାଲ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ରଂଜନ କୁମାର ଦାସ । ଏହି ସମୟରେ ଗ୍ୟାରେଜ ଓ ମରାମତି ଦୋକାନ ଖୋଲା ରହିବ ବୋଲି ମଧ୍ୟ ସୂଚନା ମିଳିଛି ।

ଅନ୍ୟପଟେ, କଟକ ବକ୍ସି ବଜାର ଅଂଚଳରେ ଲାଗୁ ହୋଇଥିବା କଂଟେନମେଂଟ୍ ଜୋନ୍ କଟକଣା ହଟିଛିି । କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ବକ୍ସିବଜାର ନିକଟ ପଟାପୋଲ ଅଂଚଳରୁ କଟକଣା ହଟାଯାଇଛି । କିଛି ଦିନ ତଳେ କଟକର ବକ୍ସିବଜାର ଅଂଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସଂପୃକ୍ତ ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର କୋଭିଡ ହସପିଟାଲରେ ଭର୍ତ୍ତି କରାଯିବା ସହ ଚିକିତ୍ସା କରାଯାଇଥିଲା ।

ଏହାପରେ ସଂପୃକ୍ତ ଅଂଚଳକୁ କଂଟେନମେଂଟ୍ ଜୋନ୍ ଘୋଷଣା କରାଯାଇ ସିଲ କରାଯାଇଥିଲା । ଏପରିକି ସଂପୃକ୍ତ ଅଂଚଳରେ ଘରକୁ ଘର ଯାଂଚ କରାଯାଇ ସନ୍ଦିଗ୍ଧଙ୍କ ପରୀକ୍ଷା କରାଯାଇଥିଲା । ତେବେ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ସଂପୃକ୍ତ ଅଂଚଳରୁ କଟକଣା ହଟାଇଦିଆଯାଇଛି । ଏବେ ପଟାପୋଲ ଅଂଚଳ ବାସିନ୍ଦା ଜରୁରୀ ସାମଗ୍ରୀ ପାଇଁ ଘରୁ ବାହାରକୁ ବାହାରି ପାରିବେ । ତେବେ ଲକଡାଉନ୍ କଟକଣା ଜାରି ରହିବ ।