ବୁର୍ଲା ଭିସୁଟ୍ ପରିସରରୁ ଉଠିଲା କଣ୍ଟେନମେଣ୍ଟ । ଟେଷ୍ଟିଂ ଓ ସର୍ଭେ ଶେଷ ହେବା ପରେ କଟକଣା ଉଠାଇଲା ଜିଲ୍ଲା ପ୍ରଶାସନ । ୭ ଦିନ ଯାଏଁ ଜାରି ରହିବ ଆକ୍ଟିଭ୍‌ ସର୍ଭେଲାନ୍ସ।

124

କନକ ବ୍ୟୁରୋ: ବୁର୍ଲାସ୍ଥିତ ଭିସୁଟ୍‌ ପରିସରରୁ କଣ୍ଟେନ୍‌ମେଣ୍ଟ କଟକଣା ଉଠିଛି । ଟେଷ୍ଟିଂ ଓ ସର୍ଭେ ଶେଷ ହେବା ପରେ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ କଟକଣା ଉଠାଇଛି । କିନ୍ତୁ ପ୍ରଶାସନ କହିଛି ଯେ, କଣ୍ଟେନମେଣ୍ଟ କଟକଣା ହଟିବା ପରେ ବି ଆଗାମୀ ୭ ଦିନ ଯାଏଁ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିବ । ଭିସୁଟ୍‌ ପରିସରରୁ କଣ୍ଟେନମେଣ୍ଟ କଟକଣା ଉଠିବା ନେଇ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‌ ସକ୍ସେନା ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ବ୍ୟାପିବା ଦୃଷ୍ଟିରୁ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‌ ସକ୍ସେନା ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍)ର ୧୧ଟି ଛାତ୍ରାବାସ/ଛାତ୍ରୀନିବାସକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରିଥିଲେ । ପୁଲହ, ପୁଲସ୍ତ୍ୟ, ଅତ୍ରି, କ୍ରତୁ, ବଶିଷ୍ଠ, ମାରିଚ, ଅନୁରାଧା, ଅରୁନ୍ଧତୀ, ରୋହିଣୀ, ବିଶାଖା ଓ ବସୁନ୍ଧରା ଏହି ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ରହିଥିଲା । ସେହିପରି ପୁଲହ ଛାତ୍ରାବାସର ଆଖପାଖ ଅଂଚଳକୁ ବଫର୍ ଜୋନ୍ ‌ଭାବେ ଘୋଷଣା କରାଯାଇଥିଲା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ତ୍ରିପାଠୀଙ୍କୁ ଏହି ଆଦେଶ କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା । ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀ ପାଠ୍ୟକ୍ରମର ଦ୍ବିତୀୟ, ଚତୁର୍ଥ, ଷଷ୍ଠ, ଅଷ୍ଟମ ଓ ଦଶମ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନ ପାଇଁ ଆସନ୍ତା ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଏକାଡେମିକ୍ କ୍ୟାମ୍ପସକୁ ଆସିବାକୁ ବାରଣ କରାଯାଇଛି। ସେମାନେ ଛାତ୍ରବାସ/ଛାତ୍ରୀନିବାସରେ ଅନ୍‌ଲାଇନ୍‌ କ୍ଲାସ୍ କରିବ‌େ।